ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ର ୫୦ ବର୍ଷ ପୂର୍ତ୍ତି..
ଓଡ଼ିଶାର ସର୍ବପ୍ରଥମ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ସ୍ଵର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ଯାଉଛି । ଗଣଯୋଗାଯୋଗ ଶିକ୍ଷା କ୍ଷେତ୍ରରେ ଦୀର୍ଘ ୫୦ ବର୍ଷର ଗରିମାମୟ ଇତିହାସକୁ ଏକ କାର୍ଯ୍ୟକ୍ରମର ଉତ୍ସବ ମଧ୍ୟରେ ଉପଲବ୍ଧି କରିବାର ଉଦ୍ୟମରେ ଏକ ଅର୍ନ୍ତଜାତୀୟ ସମ୍ମିଳନୀ ଓ ପୂର୍ବ ଛାତ୍ରଛାତ୍ରୀ ମାନଙ୍କର ସମାବେଶର ଆୟୋଜନ କରାଯାଇଛି।
କୁଲପତି ପ୍ରଫେସର ଗୀତାଞ୍ଜଳୀ ଦାଶଙ୍କ ପୃଷ୍ଠପୋଷକତାରେ ଚଳିତ ମାସ ୧୪ ରୁ ୧୬ ପର୍ଯ୍ୟନ୍ତ ହେବାକୁ ଥିବା ଏହି ବିଶାଳ କାର୍ଯ୍ୟକ୍ରମରେ ଦେଶ ବିଦେଶରୁ ବିଭିନ୍ନ ଅତିଥି, ଶିକ୍ଷାବିତ୍, ଓ ପୂର୍ବ ଛାତ୍ରଛାତ୍ରୀମାନେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଯୋଗ ଦେବେ। ଡିସେମ୍ବର ୧୪ ତାରିଖରେ ହେବାକୁ ଥିବା ଉଦ୍ଘାଟନୀ ଉତ୍ସଵରେ ମୁଖ୍ୟ ଅତିଥି ଭାବେ ପୂର୍ବାଞ୍ଚଳ ଗଣମାଧ୍ୟମ ସଂସ୍ଥାର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଯୋଗ ଦେବେ। ମୁଖ୍ୟ ବକ୍ତା ଭାବେ ଗଣଯୋଗାଯୋଗ ଶିକ୍ଷା କ୍ଷେତ୍ରରେ ପ୍ରସିଦ୍ଧି ଅର୍ଜନ କରିଥିବା ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ବି. ପି ସଞ୍ଜୟ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବେ। ବିଭାଗୀୟ ମୁଖ୍ୟ ଡକ୍ଟର ବନ୍ଦିତା କୁମାରୀ ପଣ୍ଡା ଓ ସମ୍ମିଳନୀର ପୃଷ୍ଠପୋଷକ ପ୍ରଫେସର ଗଣେଶ ସେଠୀ ମଞ୍ଚରେ ଉପସ୍ଥିତ ରହିବେ।
ଏହି ଅବସରରେ ପୁରାତନ ଛାତ୍ରଛାତ୍ରୀ ମାନଙ୍କର ସମାବେଶ ବିଭାଗକୁ ଉତ୍ସବମୁଖର କରାଇଛି। ଏହି ସମାବେଶ ଆଗକୁ ଛାତ୍ରଛାତ୍ରୀ ମାନଙ୍କର ନିଯୁକ୍ତି , ତାଲିମ , ଇଣ୍ଟର୍ନସିପ କ୍ଷେତ୍ରରେ ସହାୟକ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।