July 6, 2024

ଜନସ୍ବାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀ ଙ୍କ ଦବଙ୍ଗଗିରି : ଲୋକଙ୍କ ଘରୁ କାଟିଦେଲେ ପାଇପ ଲାଇନ ।

Share

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି) ପ୍ରତ୍ୟେକ ଘରେ ଘରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ କରାଯାଇଛି ବୋଲି ରାଜ୍ୟ ସରକାର ପ୍ରଚାର କରୁଥିବା ବେଳେ ଖୋଦ ସରକାରୀ ବାବୁ ଏହାକୁ ଭୁଲ ପ୍ରମାଣିତ କରି କାର୍ଯ୍ୟ ରେ ଦେଖେଇ ଦେଇଛନ୍ତି । ରାୟଗଡା ଜିଲ୍ଲା ଗୁଣୁପୁର ପୌର ପରିଷଦ ଅନ୍ତର୍ଗତ ମହିମା ନଗର ରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କ ଘରକୁ ପାଇପ ଲାଇନ ସଂଯୋଗ କରାଯାଇଛି । ତେବେ ଗତକାଲି ଜନସ୍ବାସ୍ଥ୍ୟ ବିଭାଗ ର କନିଷ୍ଠ ଯନ୍ତ୍ରୀ ଘର ଘର ବୁଲି ଜଳ ଯୋଗାଣ ଲାଇନ କାଟି ଦେଇଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି । କୌଣସି ବିନା ସୂଚନା ରେ ଏଭଳି ଅମାନବୀୟ କାଣ୍ଡ ବାବୁ ଜଣକ ଘଟେଇଥିବା ଅଭିଯୋଗ ହୋଇଛି । ଫଳରେ ପାଣି ନ ପାଇ ମହିମା ନଗର ଅଞ୍ଚଳ ବାସୀ ଏବେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ଅବଗତ କରାଇବାରୁ ସେମାନେ ଶୁଳ୍କ ଦେଇ ନାହାନ୍ତି, ଚୋରା ରେ ପାଇପ ଲାଇନ ନେଉଥିବା ରୁ କାଟି ଦିଆଯାଇଛି ବୋଲି କହିଛନ୍ତି । ତେବେ ଯଦି ସାଧାରଣ ଗରୀବ ଲୋକେ ଶୁଳ୍କ ଦେଇ ପାରି ନଥିଲେ ତେବେ ସେମାନଙ୍କୁ ବିଭାଗ ପକ୍ଷରୁ ଲିଖିତ ନୋଟିସ ଦେଇ ସମୟ ଧାର୍ଯ୍ୟ କରିବା ନିୟମ ରହିଛି । ଏସବୁ କିଛି ନ କରି ସିଧା ଯାଇ ଲୋକଙ୍କ ଘରୁ ପାଇପ ଲାଇନ କାଟି ପକେଇବା କି ପ୍ରକାର ନ୍ୟାୟ ବୋଲି ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ସମ୍ପର୍କରେ ପୂର୍ବରୁ ମାଇକ ଯୋଗେ ପ୍ରଚାର କରାଯାଇଥିଲା ତଥାପି ଲୋକେ କର ନ ଦେବାରୁ ଏଭଳି କରାଯାଇଛି ବୋଲି କନିଷ୍ଠ ଯନ୍ତ୍ରୀ ଆମ ପ୍ରତିନିଧି ଙ୍କୁ ଫୋନ ଯୋଗେ ସୂଚନା ଦେଇଛନ୍ତି । ଅନ୍ୟ ପକ୍ଷରେ ଯଦି ପାଇପ ଲାଇନ ସଂଯୋଗ ନ କରାଯାଏ ତେବେ କାର୍ଯ୍ୟାଳୟ ରେ ତାଲା ପକାଇବା କୁ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି ।

You may have missed