ବୋଲଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଲଟିଛି ମଟର ସାଇକେଲ ଷ୍ଟାଣ୍ଡ,ଔଷଧ ବିନା ରୋଗୀ ହନ୍ତସନ୍ତ।

ବୋଲଗଡ,(ଉପାନ୍ତ ଖବର ): ଆଞ୍ଚଳିକ ରୋଗୀମାନଙ୍କର ସ୍ୱାସ୍ଥ୍ୟର ବିକାଶ ଓ ଆଶୁ ଚିକିତ୍ସା ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବୋଲଗଡ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାହା ବିଫଳ ଘଟିଅଛି l ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରରେ ଆବଶ୍ୟକୀୟ ସ୍ୱତନ୍ତ୍ର ଅଭିଜ୍ଞତା ସମ୍ପନ୍ନ ଡାକ୍ତର ନଥିବାରୁ ପ୍ରତିଦିନ ଶହ ଶହ ରୋଗୀ ନିଜର ଜୀବନ ସୁରକ୍ଷା ପାଇଁ ସଫଳ ଆଶୁ ଚିକିତ୍ସା ପାଇପାରୁନଥିବାରୁ ହନ୍ତସନ୍ତ ହେଉ ଅଛନ୍ତି l ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ରୋଗୀମାନଙ୍କର ଜୀବନ ରକ୍ଷା ପାଇଁ ନିରାମୟ ତଥା ରୋଗୀ କଲ୍ୟାଣ ସମିତି ମାଧ୍ୟମରେ ଲକ୍ଷାଧିକ ଟଙ୍କା ବ୍ୟୟରେ ମାଗଣା ଔଷଧ ଯୋଗାଇ ଦେଉଥିଲେ ମଧ୍ୟ ବୋଲଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାହା ରୋଗୀମାନଙ୍କୁ ମିଳୁନାହିଁ l ମାଗଣା ଔଷଧ ବଣ୍ଟନ କେନ୍ଦ୍ରରରେ ମହିଳା ମାନଙ୍କ ପାଇଁ ଉପଯୁକ୍ତ ଫାର୍ମାସିଷ୍ଟ ନଥିବାରୁ ଓ ମାଗଣା ଔଷଧ ବଣ୍ଟନ କେନ୍ଦ୍ରରେ କର୍ମଚାରୀ ମାନଙ୍କର ମଟର ସାଇକେଲ ପାର୍କିଙ୍ଗ କରୁଥିବାରୁ ରୋଗୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଅଛନ୍ତି l ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଡଷ୍ଟବିନ ନଥିବାରୁ ରୋଗୀ ଓ ରୋଗୀ ସହାୟକମାନେ ଫାଟକ ସମ୍ମୁଖରେ ଛେପ, ଖଙ୍କାର, ପାନ ଗୁଟକା ପିକ ପକାଇବାରୁ ପରିବେଶ ଦୂଷିତ ହେବା ସଙ୍ଗେ ସଙ୍ଗେ ସଂକ୍ରମଣ ରୋଗ ବ୍ୟାପୁ ଅଛି l ଆଶୁ ଚିକିତ୍ସା ନିମନ୍ତେ ଦୂର ଦୁରାନ୍ତରୁ ଆସୁଥିବା ରୋଗୀ ଓ ରୋଗୀ ସହାୟକମାନେ ବିଶ୍ରାମ ନେବା ପାଇଁ ଆଶ୍ରୟ ସ୍ଥଳ ନଥିବାରୁ ସେମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଅଛନ୍ତି l ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ଓ ବାହାର ସ୍ଥାନ ପରିଷ୍କାର ପରିଚ୍ଛନ୍ନ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସକ ଆବଶ୍ୟକ ବ୍ଲିଚିଂ ପାଉଡର, ଫିନାଇଲ,ସ୍ପିରିଟ ଓ ହ୍ୟାଣ୍ଡ ବ୍ରସ ଦେଉଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଉନଥିବାରୁ ସଦା ସର୍ବଦା ଡାକ୍ତର ଖାନା ପରିସର ସମେତ, ପାଇଖାନା ଓ ମୁ୍ତ୍ରାଶୟ ଦୃଗନ୍ଧ ମୟ ହେଉ ଅଛି l ଫଳରେ ରୋଗୀମାନେ ଆଶୁ ଚିକିତ୍ସା ପାଇବା ପାଇଁ ବୋଲଗଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଘୃଣା କରୁଅଛନ୍ତି l ଏଠାର ରୋଗୀ କଲ୍ୟାଣ ସମିତିର କମିଟି ଏଥିପ୍ରତି ଦୃଷ୍ଟି ନ ଦେବାରୁ ସାମ୍ବାଦିକ, ବୁଦ୍ଧିଜୀବୀ, ଶିକ୍ଷାବିତ୍ ଓ ସମାଜ ସେବୀ ମାନେ ଦୃଢ଼ନିନ୍ଦା କରିଅଛନ୍ତି l ତେଣୁ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏଥିପ୍ରତି ଶୀଘ୍ର ଦୃଷ୍ଟି ଦେବାକୁ ବୋଲଗଡ ବ୍ଲକ ଅଞ୍ଚଳବାସୀ ଅନୁରୋଧ କରିଅଛନ୍ତି l