December 3, 2024

କିପରି ଚାଲିଛି ଚକ୍ରଭଟ୍ଟା ପଥର କ୍ୱାରି ? ପଥର ବିସ୍ଫୋରଣ ରେ ଲୋକେ ହନ୍ତସନ୍ତ

Share

 

ଗୁଣୁପୁର,(ସୁରେନ୍ଦ୍ର ମହାନ୍ତି )ରାୟଗଡା ଜିଲ୍ଲା ଗୁଣୁପୁର ତହସିଲ ଅନ୍ତର୍ଗତ ଶିରିଝୋଲି ପଞ୍ଚାୟତ ରେ ରହିଛି ଚକ୍ରଭଟ୍ଟା ପଥର ଖାଦାନ । ପ୍ରଦୀପ କୁମାର ପଣ୍ଡା ନାମକ ଜଣେ ବ୍ୟକ୍ତି ଏହି ଖାଦାନ କୁ ୨୦୨୧-୨୨ ରୁ ୨୦୨୫-୨୬ ପର୍ଯ୍ୟନ୍ତ ଲିଜ ସୂତ୍ରରେ ନେଇଛନ୍ତି । ତେବେ ଏହି ଖାଦାନ ରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି । ଲିଜଧାରୀ ପଥର ଗୁଡିକୁ ଆଖପାଖ ଅଞ୍ଚଳରେ ଲୁଚାଇ ରଖୁଥିବା ଦେଖିବାକୁ ମିଳିଛି । ୨୦୨୫-୨୬ ପର୍ଯ୍ୟନ୍ତ ଅବଧି ରହିଥିବା ବେଳେ ପଥର ଗୁଡ଼ିକ କାହିଁକି ଏଣେ ତେଣେ ଲୁଚାଇ ରଖୁଛନ୍ତି ତାହା ବଡ଼ ସନ୍ଦେହ ସୃଷ୍ଟି କରିଛି ।

ଅନ୍ୟ ପକ୍ଷରେ ଏହି ପଥର ଖାଦାନ ରେ ହେଉଛି ବିସ୍ଫୋରଣ । ଯାହା ଫଳରେ ଖାଦାନ ନିକଟରେ ଥିବା ଚିନ୍ତାଲଗୁଡା ଗ୍ରାମର ଲୋକମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ସପ୍ତାହରେ ତିନି ଥର ହେଉଛି ପଥର ବିସ୍ଫୋରଣ । ଯାହାଦ୍ୱାରା ଲୋକଙ୍କ ଘର ଦ୍ୱାର କାନ୍ଥ ଭାଙ୍ଗି ପଡିବା ସହ ଦୋହଲି ଯାଉଥିବା ଅଭିଯୋଗ କରିଛନ୍ତି । ପଥର ଗୁଡ଼ିକ ବିକ୍ଷିପ୍ତ ହୋଇ ଛିଟିକି ପଡୁ ଥିବାରୁ ଯାତାୟାତ ରେ ମଧ୍ୟ ଅସୁବିଧା ର ସମ୍ମୁଖୀନ ହେଉଥିବା ସ୍ଥାନୀୟ ଲୋକମାନେ କହିଛନ୍ତି ।

ଏନେଇ ବିଭାଗୀୟ ଡି ଡି ଏମ ଙ୍କୁ ଅବଗତ କରାଇବାରୁ ଉକ୍ତ ଖାଦାନ ସମସ୍ତ ନୀତି ନିୟମ ଅନୁସାରେ ପରିଚାଳିତ ହେଉଛି ଏଠାରେ ବିସ୍ଫୋରଣ ପାଇଁ ଅନୁମତି ରହିଛି ବୋଲି କହିଥିଲେ । ତେବେ ପାଖରେ ଗ୍ରାମ ଥାଇ ଲୋକଙ୍କ ସ୍ୱାର୍ଥ କୁ ଭୁଲିଯାଇ କିପରି ବିସ୍ଫୋରଣ ପାଇଁ ଅନୁମତି ଦିଆଯାଇଛି ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।