October 5, 2024

ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ମରୁଡି , ସଙ୍କଟରେ ପାଠପଢା , ତୁରନ୍ତ ପ୍ରତିକାର ଦାବି 

Share

ବୁଗୁଡା : ତା.୧୨/୦୭/୨୪ : ସ୍ଥାନୀୟ ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ମରୁଡି ଯୋଗୁଁ ପିଲାଙ୍କ ପାଠପଢା ଏବେ ସଂକଟମୟ ପରିସ୍ଥିତି ଦେଇ ଗତି କରୁଥିବାରୁ ପିଲାଙ୍କ ଭବିଷ୍ୟତକୁ ନେଇ ଅଭିଭାବକଙ୍କ ମନରେ ଘୋର ଚିନ୍ତା ଘାରିଛି । ଏହି ବିଦ୍ୟାଳୟରେ ଷଷ୍ଠରୁ ଦଶମ ପର୍ଯ୍ୟନ୍ତ ୫ଟି ଶ୍ରେଣୀରେ ପଢୁଥିବା ମୋଟ ୩୧୨ ଜଣ ଛାତ୍ରୀଙ୍କ ପାଇଁ ଭାରପ୍ରାପ୍ତା ପ୍ରଧାନ ଶିକ୍ଷୟିତ୍ରୀ ଓ କ୍ରୀଡା ଶିକ୍ଷକଙ୍କ ସମେତ ମାତ୍ର ୬ ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ରହିଥିବା ବେଳେ ଏହି ବିଦ୍ୟାଳୟରେ ଗତ ୬ ସେପ୍ଟେମ୍ବର ୨୦୨୧ ଠାରୁ ସ୍ଥାୟୀ ପ୍ରଧାନ ଶିକ୍ଷକ ପଦବୀ ସାଙ୍ଗକୁ ଟିଜିଟି ଆର୍ଟସର ୨ଟି , ଟିଜିଟି ସିବିଜେଡ୍ ୧ଟି , ଟିଜିଟି ପିସିଏମ୍ ୧ଟି , ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ପଦବୀ ଖାଲି ପଡିଛି । ୧୯୬୪ରେ ସ୍ଥାପିତ ବୁଗୁଡା ଅଞ୍ଚଳର ସର୍ବ ପୂରାତନ ଏହି ବାଳିକା ଉଚ୍ଚ ବିଦ୍ୟାଳୟରେ ୧୨ ଜଣ ପରିବର୍ତ୍ତେ ୬ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ରହିଥିବାରୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ କାମଚଳା ପାଠପଢା ଚାଲିଥିବା ବେଳେ ଅଷ୍ଟମ , ନବମ ଓ ଦଶମ ଶ୍ରେଣୀର ଛାତ୍ରୀଙ୍କ ପାଠପଢାରେ ଘୋର ଅସୁବିଧା ହେଉଛି । ଶିକ୍ଷକ ଅଭାବ ଯୋଗୁଁ ପ୍ରତ୍ଯେକ ଶ୍ରେଣୀରେ କୋତୋଟି ପିରିଅଡ୍ ପାଠ ପଢାଯାଉଥିବା ବେଳେ ଅନ୍ୟ କେତେକ ପିରିଅଡ ଖାଲି ପଡୁଥିବାରୁ ପିଲାଏ ମଜା ମଜଲିସ୍ କରି ଘରକୁ ଫେରୁଛନ୍ତି । ଏଥି ସହ ନବମ ଓ ଦଶମ ଶ୍ରେଣୀରେ ଯଥାକ୍ରମେ ୮୮ ଓ ୯୨ ଜଣ ଛାତ୍ରୀ ଥିଲେ ସୁଦ୍ଧା କୌଣସି ସେକ୍ସନ ନଥିବାରୁ ପାଠ ପଢାରେ ବ୍ଯାଘାତ ସୃଷ୍ଟି ହେଉଛି । ଏ ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀର ହିନ୍ଦୀ ଓ ସଂସ୍କୃତ ପଢାଇବାକୁ କେହି ଶିକ୍ଷକ ନଥିବାରୁ ଏସବୁ ବିଷୟରେ ପିଲେ ଦୁର୍ବଳ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଆର୍ଥିକ ବୋଝରୁ ମୁକୁଳିବା ପାଇଁ ଅଭିଭାବକମାନେ ବିଭିନ୍ନ ବେସରକାରୀ ବିଦ୍ୟାଳୟରୁ ନିଜ ନିଜ ପିଲାଙ୍କୁ ଆଣି ଏଠି ନାମ ଲେଖାଉଥିବା ବେଳେ ଏବେ ଏଠାକାର ଶିକ୍ଷକ ମରୁଡି ପରିସ୍ଥିତି ଯୋଗୁଁ ସେମାନେ ମହରଗରୁ ଆସି କାନ୍ତାରରେ ପଡିଛନ୍ତି ବୋଲି କ୍ଷୋଭ ପ୍ରକାଶ କରୁଛନ୍ତି । ଅନ୍ୟପକ୍ଷରେ , ଭାରପ୍ରାପ୍ତା ପ୍ରଧାନ

ଶିକ୍ଷୟିତ୍ରୀ ବିଦ୍ୟାଳୟରେ ଶିକ୍ଷକ ମରୁଡି ଯୋଗୁଁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବା କଥାକୁ ସ୍ବୀକାର କରିବା ସହ ଏହି ବିଦ୍ୟାଳୟ ପାଇଁ ଗଣିତ, ବିଜ୍ଞାନ ଓ ସଂସ୍କୃତ ଆଦି ତିନୋଟି ବିଷୟର ଶିକ୍ଷକ ପଦବୀ ପୂରଣ ପାଇଁ ମଞ୍ଜୁରି ମିଳିଥିବା ବେଳେ ହିନ୍ଦୀ ବିଷୟ ଅଧ୍ଯାପନା ପାଇଁ ଡେପୁଟେସନରେ ଜଣଙ୍କୁ ପ୍ରେରଣ କରିବାକୁ ଆବେଦନ କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି । ତେବେ ଏହି ଉଚ୍ଚ ବିଦ୍ୟାଳୟରେ ରହିଥିବା ଶିକ୍ଷକ ମରୁଡି ସମସ୍ଯାକୁ ଦୂର କରିବା ପାଇଁ ଶିକ୍ଷା ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ ନିମନ୍ତେ ସାଧାରଣରେ ଦାବି ହେଉଛି ।