May 12, 2025

ଶ୍ରୀରାମପାଲି ପାଳିଲେ ବିଶ୍ୱ ମାତୃତ୍ୱ ଦିବସ, କାନ୍ଦି କାନ୍ଦିଜଣାଇଲେ ଦୁଃଖ ଦୁର୍ଦ୍ଦଶା 

Share

 

 

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ): ପ୍ରାୟ ୧୫୦ ବର୍ଷ ପୂର୍ବରୁ ପ୍ରତିଷ୍ଠିତ ଶ୍ରୀରାମପାଲି ଗ୍ରାମବାସୀ ମାନଙ୍କର ଦୁଃଖ ଦୁର୍ଦ୍ଦଶା କହିଲେ ନ ସରେ | ଦେଶ ସ୍ବାଧୀନ ହେବାର ୭୭ ବର୍ଷ ବିତି ଯାଇଥିଲେ ମଧ୍ୟ ସର୍ବନିମ୍ନ ସୁବିଧାରୁ ଏ ପର୍ଯ୍ୟନ୍ତ ବଞ୍ଚିତ ରହିଛନ୍ତି ଶ୍ରୀରାମପାଲି ଗ୍ରାମବାସୀ | କାନ୍ଦି କାନ୍ଦି ଏଭଳି ନିଜ ନିଜର ଦୁଃଖ ଦୁର୍ଦ୍ଦଶା ବଖାଣିଛନ୍ତି ଗ୍ରାମବାସୀ ମାନେ |

ବିଶ୍ୱ ମାତୃ ଦିବସ ପାଳନ ଶୁଭ ଅବସରରେ ଗତ ରବିବାର ଅପରାହ୍ନରେ ଶ୍ରୀରାମପାଲି ଗ୍ରାମବାସୀ ମାନଙ୍କ ପକ୍ଷରୁ ଶ୍ରୀ ହନୁମାନ ମନ୍ଦିର ପ୍ରାଙ୍ଗଣରେ ପ୍ରକୃତିବନ୍ଧୁ ମେଘୁ ମୁଣ୍ଡାଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ ରାଷ୍ଟ୍ରୀୟ ବୁଦ୍ଧିଜୀଵୀ ପରିଷଦର ସଭାପତି ସମାଜସେଵୀ ସଂସ୍କୃତିରତ୍ନ କାର୍ତ୍ତିକ ପ୍ରସାଦ ବହିଦାର ମୁଖ୍ୟଅତିଥି ଭାବରେ ଏବଂ ବରିଷ୍ଠ ଚାଷୀନେତା ରାମସାଗର ସାହୁ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରିଥିଲେ |

ଜମିପଟ୍ଟା ଅଭାବରୁ ଆବାସ ଯୋଜନା ଆଦି ବିଭିନ୍ନ ସରକାରୀ ସୁବିଧାରୁ ବଞ୍ଚିତ ଅନେକ ଗ୍ରାମବାସୀ ଭଙ୍ଗା ମାଟି କୁଡ଼ିଆରେ ବହୁ ଦୁଃଖକଷ୍ଟରେ ଜୀବନଯାପନ କରୁଛନ୍ତି | ଘର ମାନଙ୍କରେ ଶୌଚାଳୟ ନ ଥିବାରୁ ଶୌଚ ପାଇଁ ଅନେକଦୂର ପଡ଼ିଆକୁ ଯିବାକୁ ପଡ଼ୁଛି | ପାନୀୟ ଜଳ ସମସ୍ୟା ଏବଂ ବିଜୁଳି ସମସ୍ୟା ଦୂରୀକରଣ ସହ ଗ୍ରାମରେ ଏକ ଆଙ୍ଗନବାଡ଼ି କେନ୍ଦ୍ର ଏବଂ ସୁଲଭ ଶୌଚାଳୟ ପ୍ରତିଷ୍ଠା ନିହାତି ଜରୁରୀ ବୋଲି ଗ୍ରାମବାସୀ ମାନେ ଦୃଢ଼ଦାବୀ କରିଥିଲେ | ଭଗ୍ନ ଅବସ୍ଥାରେ ଥିବା ଶ୍ରୀ ହନୁମାନ ମନ୍ଦିରର ପୁନରୁଦ୍ଧାର ସମ୍ପର୍କରେ ଆଲୋଚନା କରାଯାଇଥିଲା | ଆଗାମୀ ଦିନରେ ଗ୍ରାମର ମହିଳା ମାନଙ୍କୁ ନେଇ ଏକ ମହିଳା ସମିତି ଗଠନ କରାଯିବ ବୋଲି ପ୍ରସ୍ତାବ ଗ୍ରହଣ କରାଯାଇଥିଲା |

ସମ୍ପ୍ରତି ଆତଙ୍କ ଆତଙ୍କବାଦ ଓ ଆତଙ୍କବାଦୀ ମାନଙ୍କ ବିରୁଦ୍ଧରେ ସଂଘଟିତ ଯୁଦ୍ଧରେ ଭାରତୀୟ ସୈନ୍ୟ ବାହିନୀ ବୀର ଯୱାନ ମାନଙ୍କ ଶୌର୍ଯ୍ୟ ପରାକ୍ରମ ଏବଂ ଭାରତ ସରକାରଙ୍କ ନେତୃତ୍ୱକୁ ସଭାରେ ଭୁୟସୀ ପ୍ରଶଂସା କରାଯାଇଥିଲା | ଶ୍ରୀମତୀ ସାବିତ୍ରୀ ଭୋଇ, ନିଳେନ୍ଦ୍ରୀ ବେହେରା, କିରନୀ କିଶାନ, ଭୂମିସୁତା ରାଉତ, ମନ ବଢ଼େଇ, ଗୁଲାପୀ ମିର୍ଦ୍ଧା, ବାସନ୍ତି ରାଉତ, ସନ୍ତୋଷିନୀ ବେହେରା ପ୍ରମୁଖ ଶତାଧିକ ଗରିବ ଶ୍ରେଣୀର ଆବାଳ ବୃଦ୍ଧ ବନିତା ପୁରୁଷ ମହିଳା ଏହି ସଭାରେ ଯୋଗଦାନ କରି ସେମାନଙ୍କର ଦୁଃଖ ଦୁର୍ଦ୍ଦଶା ନିବେଦନ କରିଥିଲେ | ଆଗାମୀ ଦିନରେ ଗ୍ରାମବାସୀ ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଗୁଡିକର ସମାଧାନ ପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନଙ୍କ ସହିତ ସାକ୍ଷାତ ଆଲୋଚନା କରାଯିବ ବୋଲି ପ୍ରସ୍ତାବ ଗ୍ରହଣ କରାଯାଇଥିଲା |ସଭା ଶେଷରେ ଅଶ୍ୱିନୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।