ଭାରତ-ପାକିସ୍ତାନ ସଂଘର୍ଷ: ମାଡ଼ ଖାଇଲା ପର୍ଯ୍ୟଟନ, ୭ ଦିନ ପାଇଁ ସବୁ ବୁକିଂ ବାତିଲ୍।

ଭୁବନେଶ୍ୱର ( ଦେବାଶିଷ ଦାଶ )
ସ୍କୁଲ, କଲେଜ ଛୁଟି । ଜମିଥାଆନ୍ତା ପରିବାର ସହ ବୁଲାବୁଲି । କିଏ ପଶ୍ଚିମବଙ୍ଗରୁ, କିଏ ମହାରାଷ୍ଟ୍ର ଓ ଆଉ କିଏ ଗୁଜରାଟରୁ ଆସି ଥାଆନ୍ତେ ଭୁବନେଶ୍ୱର, ପୁରୀ, ଗୋପାଳପୁର ।
ବିମାନ ସହ ହୋଟେଲ ଟିକଟ ବୁକିଂ ସରିଥିଲା ।
ଏତିକିବେଳେ ମାଡ଼ି ଆସିଲା ଯୁଦ୍ଧ ଭୟ । ଭାରତ-ପାକିସ୍ତାନ ସଂଘର୍ଷ ଭିତରେ ଚାଲିଲା ମିସାଇଲ ବର୍ଷା । ଦେଶର ଅନେକ ବିମାନବନ୍ଦରକୁ ସୁରକ୍ଷା ଦୃଷ୍ଟିରୁ ବନ୍ଦ କରାଗଲା । କିଛି ବିମାନ ଟିକଟ ଆପେ ବାତିଲ ହେଲା । ବାକି ନିଜ ଆଡ଼ୁ ବିମାନ, ଟ୍ରେନ ଓ ହୋଟେଲ ଟିକଟ ବାତିଲ କରିଦେଲେ ଭୟରେ। ଆଗାମୀ ୭ ଦିନ ପାଇଁ ଓଡ଼ିଶାକୁ ରାଜ୍ୟ ବାହାରୁ କରାଯାଇଥିବା ସମସ୍ତ ପର୍ଯ୍ୟଟକଙ୍କ ଟିକଟ ବୁକିଂ ବାତିଲ୍ ହୋଇଛି । ଯୁଦ୍ଧ ଆତଙ୍କ ଭିତରେ ମାଡ଼ ଖାଇଛି ପର୍ଯ୍ୟଟନ । କେବଳ ଓଡ଼ିଶା ନୁହେଁ, ସାରା ଦେଶରେ ଗୁରୁତର ଭାବେ ପ୍ରଭାବିତ ହୋଇଛି ପର୍ଯ୍ୟଟନ । ସ୍ଥିତି ଏମିତି, ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ର ବିରତି ଘୋଷଣା ପରେ ବି ପର୍ଯ୍ୟଟନ ପୁଣି ଥରେ ଟ୍ରାକକୁ ଫେରିବା ନେଇ ଅନିଶ୍ଚିତତା ରହିଛି ।
କାଶ୍ମୀରରେ ଦୀର୍ଘବର୍ଷ ପରେ ସୁଧୁରି ଆସୁଥିଲା ପର୍ଯ୍ୟଟନ ଶିଳ୍ପ । ମାତ୍ର ପହଲଗାମ୍ରେ ଯେଉଁଭଳି ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ ନିର୍ମମ ଭାବେ ହତ୍ୟା କଲେ, ପୂରା କାଶ୍ମୀରରେ ଧ୍ୱସ୍ତବିଧ୍ୱସ୍ତ ହୋଇଗଲା ପର୍ଯ୍ୟଟନ । ଏହାର ପ୍ରଭାବ ସାରା ଦେଶରେ ପଡ଼ିବା ଆରମ୍ଭ କଲା । ବିଦେଶୀ ପର୍ଯ୍ୟଟକଙ୍କ ଭାରତ ଆଗମନ କମିଲା । ଏପଟେ ଯୁଦ୍ଧ ଭୟ ବଢ଼ିବା ପରେ ଦେଶୀୟ ପର୍ଯ୍ୟଟକଙ୍କ ସଂଖ୍ୟା ବି ହ୍ରାସ
ପାଇଛି ।