September 29, 2024

ନିର୍ବାଚନ ପ୍ରଚାରରେ କମ୍ପୁଛି ବୁଗୁଡ଼ା ଅଞ୍ଚଳର ଗଳିକନ୍ଦି…

Share

ବାଲିପଦର : ତା ୧୨/୦୫/୨୪ : ଚଳିତ ସାଧାରଣ ନିର୍ବାଚନର ଉଷ୍ମତା ବୃଦ୍ଧି ପାଇଥିଲା ବେଳେ ଆଉ ମାତ୍ର କିଛି ଦିନ ପରେ ମେ ମାସ ୨୦ ତାରିଖ ଦିନ ଆସ୍କା ଲୋକସଭା ସାଙ୍ଗକୁ ପୋଲସରା ବିଧାନସଭା ଆସନ ଲାଗି ୨୬୩ଟି ବୁଥରେ ଭୋଟ ଗ୍ରହଣ କରାଯିବ । ଜାତୀୟ ଦଳ କଂଗ୍ରେସ ସମେତ କିଛି ସ୍ବାଧୀନ ପ୍ରାର୍ଥୀଙ୍କ ପ୍ରଚାର ଠିକଣା ଢଙ୍ଗରେ ଚାଲିଥିବା ବେଳେ ସାମ୍ପ୍ରତିକ ପରିସ୍ଥିତିରେ ମୁହାଁମୁହିଁ ହୋଇଥିବା ଓଡିଶା ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପିର ଧୂଆଁଧାର ପ୍ରଚାରରେ ବୁଗୁଡା ଅଞ୍ଚଳର ଗଳିକନ୍ଦି କମ୍ପି ଉଠୁଛି । ଏପରିକି ବେଳେବେଳେ ବୁଗୁଡା ସହରରେ ଏହି ଦୁଇ ଦଳର ପ୍ରଚାର ପ୍ରତିଯୋଗିତା ଯୋଗୁଁ ଉତ୍କଟ ଶବ୍ଦ ପ୍ରଦୂଷଣ ଜନସାଧାରଣଙ୍କ ବିରକ୍ତିର କାରଣ ପାଲଟିଥିବା ବେଳେ ସ୍ଥାନୀୟ ପୋଲିସ ପ୍ରଶାସନ ବଧିର ପାଲଟିଯାଇଥିବା ପରି ମନେ ହେଉଛି । ବୁଗୁଡ଼ା ସହରାଞ୍ଚଳ ସାଙ୍ଗକୁ ଗ୍ରାମାଞ୍ଚଳର ଭୋଟରମାନଙ୍କ ମନ ଜିଣିବାକୁ ନେତାମାନେ ମନଛୁଆଁ ଭାଷଣ ମଧ୍ୟ ଦେଉଛନ୍ତି । ବିଭିନ୍ନ ସାହିକୁ ମାଳ ମାଳ ପ୍ରଚାର ଗାଡ଼ି ବାରମ୍ବାର ପରିକ୍ରମା କରି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରୁଥିବା ଦେଖିବାକୁ ମିଳୁଛି । ବିଜେଡି ପକ୍ଷରୁ ଦଳର ଷ୍ଟାର ପ୍ରଚାରକ ଭି.କାର୍ତ୍ତିକେୟ ପାଣ୍ଡିଆନ୍ ବୁଗୁଡ଼ା ଗସ୍ତରେ ଆସି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ଭିକ୍ଷା କରିବା ପରେ ଦଳୀୟ ନେତା ଓ କର୍ମୀ ବେଶ୍ ଉତ୍ସାହିତ ହୋଇପଡ଼ିଛନ୍ତି । ଏଥର ଆସ୍କା ଲୋକସଭା କ୍ଷେତ୍ରରେ ୭ ଜଣ ଏବଂ ପୋଲସରା ବିଧାନସଭା କ୍ଷେତ୍ରରେ ୯ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାରକରିବା ପାଇଁ ବିଜେପି କିମ୍ବା କଂଗ୍ରେସର ଶୀର୍ଷ ସ୍ତରୀୟ କୌଣସି ନେତା ଆସି ନ ଥିଲେ ମଧ୍ୟ ପ୍ରାର୍ଥୀ ଏବଂ ସେମାନଙ୍କ ସମର୍ଥକମାନେ ଘର ଘର ବୁଲି ଜୋରଦାର ପ୍ରଚାର କରୁଥିବା ଦେଖିବାକୁ ମିଳୁଛି । ଗତ କିଛିଦିନ ହେଲା ଗ୍ୟାରେଣ୍ଟି ଶବ୍ଦକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର୍ ଧରିଛି । କ୍ଷମତାକୁ ଆସିଲେ କେଉଁଦଳ କ’ଣ କରିବ ତା’ର ପ୍ରତିଶ୍ରୁତି ମଧ୍ଯ ଦିଆଯାଉଛି । ବିଜେପି ପକ୍ଷରୁ ମୋଦୀ ଗ୍ୟାରେଣ୍ଟିର ନାରା ଦିଆଯାଉଥିଲା ବେଳେ ବିଜେଡି ପକ୍ଷରୁ ନବୀନଙ୍କ ୫-ଟି ରୂପାନ୍ତରୀକରଣ ଗ୍ୟାରେଣ୍ଟିର ସ୍ଲୋଗାନ ଦିଆଯାଉଛି । ତେବେ କାହା ଗ୍ୟାରେଣ୍ଟିକୁ ଭୋଟରମାନେ କେତେ ଭରସା କରୁଛନ୍ତି, ଆଉ କାହାକୁ ଗ୍ରହଣ କରିବେ ତାହା ଆଗାମୀ ଜୁନ୍ ମାସ ୪ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା ପରେ ସ୍ପଷ୍ଟ ହେବ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି ।(ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ ସାହୁ)