June 29, 2024

 ରାୟଗଡା ବିଧାନସଭା ନିର୍ବାଚନ : ଭାସ୍କର ରାଓଙ୍କ ପାଇଁ ସମ୍ମାନର ପ୍ରଶ୍ନ !

Share

 

ରାୟଗଡା ୧୨/୫ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ଆଉ ମାତ୍ର ତିନି ଦିନ ବାକି ରହିଛି। ପ୍ରମୁଖ ରାଜନୈତିକ ଦଳ ବିଜଦ, କଂଗ୍ରେସ, ବିଜେପି ଦଳର ପ୍ରାର୍ଥୀ ମାନଙ୍କ ଜୋରସରରେ ପ୍ରଚାର କରି ଭୋଟରଙ୍କୁ ନିଜ ସପକ୍ଷରେ ମତଦାନ କରିବା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ଏଥର ସମସ୍ତଙ୍କ ଦୃଷ୍ଟି ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଉପରେ ରହିଛି। ଏହି ନିର୍ବାଚନରେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ଏନ ଭାସ୍କର ରାଓଙ୍କ ପାଇଁ ମର୍ଯ୍ୟାଦାର ପ୍ରଶ୍ନ ହୋଇଛି। ରାୟଗଡ଼ା ଆସନରେ ବିଜୁ ଜନତା ଦଳର ଫଳାଫଳ ଭାସ୍କର ରାଓଙ୍କ ରାଜନୈତିକ ଭବିଷ୍ୟତ ଉପରେ ନିର୍ଭର କରୁଥିବା ସମୀକ୍ଷକ ମାନେ ମତ ଦେଉଛନ୍ତି। ୨୦୧୯ ରେ ସେ ରାଜ୍ୟସଭା ସାଂସଦ ଥାଇ ନିର୍ବାଚନ ମଙ୍ଗ ଧରିଥିଲେ। ଏହସତ୍ତ୍ବେ ରାୟଗଡା ବିଧାନସଭା ଆସନରେ ବିଜଦ ପ୍ରାର୍ଥୀ ପୂର୍ବତନ ମନ୍ତ୍ରୀ ଲାଲ ବିହାରୀ ହିମିରିକା ସ୍ବାଧିନ ପ୍ରାର୍ଥୀ ମକରନ୍ଦ ମୁଦୁଲିଙ୍କ ଠାରୁ ପରାଜିତ ହେବାକୁ ପଡିଥିଲା। ଚଳିତ ଥର ବହୁ ବାଦ ବିବାଦ ଓ ଗୋଷ୍ଠୀ କନ୍ଦଳ ମଧ୍ୟରେ ଆନୁସୂୟା ମାଝିଙ୍କୁ ବିଜଦ ର ପ୍ରାର୍ଥୀ କରାଯାଇଛି। ତାଙ୍କ ପ୍ରାର୍ଥୀତ୍ବକୁ ଭାସ୍କର ରାଓ ଗୋଷ୍ଠୀ ତୀବ୍ର ବିରୋଧ କରି ହାଇକମାଣ୍ଡଙ୍କୁ ଚାଲେଞ୍ଜ କରିବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଭାସ୍କର ରାଓଙ୍କ ୫୦ ବର୍ଷ ରାଜନୈତିକ ଜୀବନରେ ପୂର୍ବରୁ କେବେହେଲେ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଖୋଲାଖୋଲି ବିରୋଧ କରିନଥିଲେ। ଶେଷରେ ତାଙ୍କୁ ଜିଲ୍ଲା ବିଜୁ ଜନତା ଦଳର ସଭାପତି ଦାୟିତ୍ୱ ସହ ଦଳୀୟ ପ୍ରାର୍ଥୀ ଅନୁସୟା ମାଝିଙ୍କୁ ବିଜୟ କରେଇବା ଗୁରୁଦାୟିତ୍ୱ ଦେଇଛନ୍ତି। ଅନୁସୂୟାଙ୍କୁ ବିରୋଧ କରୁଥିବା ଆଉ ଜଣେ ନେତା ପୂର୍ବରୁ ଭାସ୍କର ରାଓଙ୍କ ରାଜନୈତିକ ଶତ୍ରୁ ,ଏବେ ମିତ୍ର ପାଲଟିଥିବା କାଶୀପୁରର ରାଜନେତା କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ବିଜଦର ନିର୍ବାଚନ ମଣ୍ଡଳୀର ପରିଚାଳନା ଦାୟିତ୍ବ ଦେଇଛନ୍ତି। ଏବେ ବିଜଦ ପ୍ରାର୍ଥୀ ଅନୁସୂୟାଙ୍କ ବିଜୟ କରେଇବାକୁ ଉଭୟ ଭାସ୍କର ରାଓ ଓ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ପାଇଁ କର ବା ମର ପରିସ୍ଥିତି। ସେମାନେ ବିଦ୍ରୋହୀ ନେତା ଓ କର୍ମୀଙ୍କୁ ମନେଇ ବିଜୟ ପାଇଁ ପ୍ରାଣମୂର୍ଚ୍ଚା ଉଦ୍ୟମ କରୁଛନ୍ତି। ସର୍ତ୍ତ ଅନୁଯାୟୀ ତାଙ୍କ ବିରୋଧୀ ଭାବେ ପରିଚିତ ବରିଷ୍ଠ ବିଜୁ ଜନତା ଦଳର ନେତା ୟାଇ କଣ୍ଡାବାବୁ,ପି ଗୋୖରୀ ଶଙ୍କର ଏବଂ ପୂର୍ବତନ ବିଧାୟକ ମକରନ୍ଦ ମୁଦୁଲିଙ୍କୁ ରାୟଗଡା ଜିଲ୍ଲାରୁ ଦୁରେଇ ରଖାଯାଇଛି। ସେମାନଙ୍କୁ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର, ନାରାୟଣ ପାଟଣା, ଦଶମନ୍ତପୁର ରେ ସାଂସଦ କୌଶଲ୍ୟା ହିକକ୍କାଙ୍କ ନିର୍ବାଚନ ପଚାର କାର୍ଯ୍ୟରେ ହାଇକମାଣ୍ଡ ନିୟୋଜିତ କରିଥିବା ଦେଖିବାକୁ ମିଳିଛି। ବିଜଦ ପ୍ରାର୍ଥୀ ଅନୁସୂୟା ମାଝି ପୂର୍ବତନ ମନ୍ତ୍ରୀ ସ୍ଵର୍ଗତଃ ଅନନ୍ତରାମ ମାଝିଙ୍କ ଝିଅ । ନିଜ କାଶୀପୁର ଅଞ୍ଚଳରେ ନିଜର ଦଖଲ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଟିକିରିରେ ଅନୁସୂୟାଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି। ତେବେ ଆଦିବାସୀ ମାନ୍ୟତା ପାଇଁ ଦୀର୍ଘ ବର୍ଷ ଧରି ଲଢେ଼ଇ କରୁଥିବା କାଶୀପୁର ଅଞ୍ଚଳର ଝଡ଼ିଆ ସମ୍ପ୍ରଦାୟର ଭୋଟ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ତେବେ ସେମାନଙ୍କ ଭୋଟ ଏଥର କୁଆଡେ ଯିବ କହିବା ମୁସ୍କିଲ। ଗତଥର ମକରନ୍ଦ ମୁଦୁଲିକି ସମର୍ଥନ ଦେଇଥିଲେ। ଝଡ଼ିଆ ମାନଙ୍କ ଉପରେ ଉଭୟ ଅନୁସୂୟା ମାଝି ଏବଂ କଂଗ୍ରେସ ପ୍ରାର୍ଥୀ ଆପଲସ୍ବାମୀ କାଦ୍ରକା ଆଶା ବାନ୍ଧି ବସିଛନ୍ତି। ଅନ୍ୟପଟେ କାଶୀପୁର ଅଞ୍ଚଳର ଅନ୍ୟ ଜଣେ ଝିଅ ସୂଚରିତା ମାଝି ସ୍ବାଧିନ ପ୍ରାର୍ଥୀ ଭାବେ ଲଢ଼ୁଥିବାରୁ ସେହି ଭୋଟ ତାଙ୍କ ସପକ୍ଷରେ ଯିବା ସମ୍ଭାବନାକୁ ଏଡାଇ ହେବ ନାହିଁ। କଂଗ୍ରେସ ପ୍ରାର୍ଥୀ ଆପଲସ୍ବାମୀ ଦ୍ବିତୀୟ ଥର ପାଇଁ ପ୍ରତିଦ୍ବନ୍ଦିତା କରୁଛନ୍ତି। ଆଦିବାସୀ ସଂଘର ସଭାପତି ହୋଇଥିବା ଆପଲସ୍ବାମୀ ଅନେକ ସାମାଜିକ କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ତାଙ୍କ ପାଇଁ କାଶୀପୁର ଓ ରାୟଗଡ଼ା ରେ ତେଲେଙ୍ଗାନା ଉପ ମୁଖ୍ୟମନ୍ତ୍ରୀ, ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେଶ ଭାଗଲେ ପ୍ରମୁଖ ପ୍ରଚାର କରି ଯାଇଥିବା ବେଳେ ରାହୁଳ ଗାନ୍ଧୀ ଭିଡିଓ ବାର୍ତ୍ତାରେ ଆୟୋଜିତ ସମାବେଶରେ ଅନୁରୋଧ କରିଥିଲେ। ସାଂସଦ ପ୍ରାର୍ଥୀ ସପ୍ତଗିରି ଉଲ୍ଲାକାଙ୍କ ପ୍ରଭାବରେ ଏଥର କଂଗ୍ରେସ ପ୍ରାର୍ଥୀ ଆପଲସ୍ବାମୀ ବିଜୟ ପାଇଁ ବେଶ ଆଶାବାଦୀ ରହିଛନ୍ତି। ସେହିପରି ବିଜେପି ପ୍ରାର୍ଥୀ ବସନ୍ତ ଉଲ୍ଲାକା ମଧ୍ୟ ନିଜ ସପକ୍ଷରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଚାର ଜୋରଜାର କରିଛନ୍ତି। ତାଙ୍କ ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ , ତ୍ରିପୁରା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଶାଳ କୁମାର ଦେବ ରାୟଗଡା ଆସି ପ୍ରଚାର କରି ଯାଇଛନ୍ତି। ଜିଲ୍ଲା ଭାଜପା ସଭାପତି ଶିବ ପଟନାୟକଙ୍କ ତତ୍ଵବୋଧନରେ ପ୍ରଚାର କାର୍ଯ୍ୟ ଜାରି ରଖାଯାଇଛି । ଏମାନଙ୍କ ବ୍ୟତୀତ ବହୁ ଜନ ସମାଜ ପାର୍ଟିର ପୂର୍ଣ୍ଣଚନ୍ଦ୍ର ମାଝି ସମେତ ଆଉ ୫ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ନିର୍ବାଚନ ମଣ୍ଡଳୀରେ ସେମାନଙ୍କର ବିଶେଷ ପ୍ରଭାବ ନାହିଁ। ରାୟଗଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୁକାବିଲା ବିଜଦ ଏବଂ କଂଗ୍ରେସ ଦଳ ମଧ୍ୟରେ ହେବାର ସମ୍ଭାବନା ଦେଖାଦେଇଛି। ସୂଚନାଯୋଗ୍ୟ ଗତ ୨୦୧୯ ବିଧାନସଭା ନିର୍ବାଚନରେ ସ୍ବାଧିନ ପ୍ରାର୍ଥୀ ମକରନ୍ଦ ମୁଦୁଲି ୫୨୮୪୪ ଭୋଟ ପାଇଁ ବିଜୟ ହୋଇଥିଲେ । ସେହିପରି ବିଜଦ ପ୍ରାର୍ଥୀ ଲାଲ ବିହାରୀ ହିମିରିକାଙ୍କୁ ୪୭,୯୭୪ ,କଂଗ୍ରେସ ପ୍ରାର୍ଥୀ ଆପଲସ୍ବାମୀ କାଦ୍ରକାଙ୍କୁ ୩୯,୬୫୭,ବାଜପାର ବସନ୍ତ ଉଲ୍ଲାକାଙ୍କୁ ୨୪,୪୨୫ ଏବଂ ବହୁ ଜନ ସମାଜ ପ୍ରାର୍ଥୀ ପୂର୍ଣବତୀଙ୍କୁ ୪୦୮୮ ଖଣ୍ଡ ଭୋଟ ମିଳିଥିଲା।(ସୁରେନ୍ଦ୍ର ମହାନ୍ତି )