November 16, 2024

ରସାୟନ ବିଜ୍ଞାନ ବିଭାଗୀୟ ବାର୍ଷିକୋତ୍ସବ ଏବଂ ବିଦାୟ ସମ୍ବର୍ଦ୍ଧନା 

Share

ରସାୟନ ବିଜ୍ଞାନ ବିଭାଗୀୟ ବାର୍ଷିକୋତ୍ସବ ଏବଂ ବିଦାୟ ସମ୍ବର୍ଦ୍ଧନା

ବୁଗୁଡା : ତା ୧୨/୦୫/୨୩ : ସ୍ଥାନୀୟ ପିପୁଲ୍ସ କଲେଜର ରସାୟନ ବିଜ୍ଞାନ ପକ୍ଷରୁ ବାର୍ଷିକୋତ୍ସବ ପାଳନ ସହ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲର ପାଦଦେଶରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବିଭାଗୀୟ ମୁଖ୍ୟ ଅଧ୍ୟାପକ ମନୋଜ କୁମାର ଦାସ ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ଅଧ୍ଯାପକ ବିଜେନ୍ଦ୍ର କୁମାର ଆଚାର୍ଯ୍ୟ , ଶ୍ରୀକୃଷ୍ଣ ମଣ୍ଡଳ ଓ ଦିଲ୍ଲୀପ କୁମାର ସିହୁ , ଅଧ୍ୟାପିକା ଶୁଭସ୍ମିତା ମହାପାତ୍ର , ଡେମୋନଷ୍ଟେଟର୍ ନରହରି ଚୌଧୁରୀ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ । ଏ ଅବସରରେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରଥମ ଓ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଶେଷ ବର୍ଷର ବିଦାୟୀ ଛାତ୍ରଛାତ୍ରୀଙ୍କୁ ଉପହାର ପ୍ରଦାନ ପୂର୍ବକ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବିଦାୟୀ ଛାତ୍ରଛାତ୍ରୀମାନେ ଅଧ୍ଯାପନାକାରୀଙ୍କ ଆଶୀର୍ବାଦ ଭିକ୍ଷା ସହ କନିଷ୍ଠ ଛାତ୍ରଛାତ୍ରୀଙ୍କ ଶୁଭ କାମନା କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଛାତ୍ରୀ ଆୟୁଷୀ ନାୟକ ସ୍ବାଗତ ସମ୍ଭାଷଣ ଏବଂ ପରିଶେଷରେ ଛାତ୍ର ଆଶୁତୋଷ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ବିଭାଗୀୟ କର୍ମଚାରୀ ଅନିଲ କୁମାର ଦାଶ ସକ୍ରିୟ ସହଯୋଗ କରିଥିଲେ ।