March 12, 2026

ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ୍, ଝିଅ ପରେ ଏମ୍‌ସରେ ଆଖିବୁଜିଲେ ମାଆ..

IMG-20250811-WA0117
Share

 

 

 

ଭୁବନେଶ୍ବର ୧୧/୦୮: ରାଜଧାନୀରେ ହିଟ୍ ଆଣ୍ଡ ରନ୍ ଘଟଣା। ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ରେବତୀ। ଏବେ ମୃତ୍ୟୁ ସହ ସଂଘର୍ଷ କରୁଛି କୁନି ପୁଅ ମାହି। ପୂର୍ବରୁ କୁନି ଝିଅ ରେଶମା ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ରେବତୀଙ୍କ ମୃତ୍ୟୁ ପରେ ସ୍ବାମୀ ମାନସ ଦୁଃଖରେ ଭାଙ୍ଗିପଡିଛି। ସମ୍ପର୍କୀୟଙ୍କ କାନ୍ଦ ବୋବାଳିରେ ଫାଟୁଛି ହସ୍ପିଟାଲ ପରିସର। ଏହି ଘଟଣାରେ ଥର୍ ଗାଡ଼ି ଜବତ ହୋଇଥିବା ବେଳେ ମାଲିକ ଫେରାର ଅଛନ୍ତି। ରେସ୍ କରୁଥିବା ସ୍କର୍ପିଓ ଓ ଚାଳକଙ୍କୁ ଧରିବା ଉଦ୍ୟମ ଚଳାଇଛି ପୁଲିସ।

 

ସୂଚନା ମୁତାବକ, ଶନିବାର ସକାଳେ ରେବତୀ ଝିଅ ରେଶ୍‌ମା ଓ ପୁଅ ମାହିଙ୍କୁ ସାଙ୍ଗରେ ଧରି ଫୁଲେଶ୍ୱର ବସ୍ତିରୁ ପଟିଆ ଅଭିମୁଖେ ବାହାରିଲେ । ସେଠାରେ ଆର୍‌ଆଇ ଥିବା ତାଙ୍କ ଭାଇ ଦିଲ୍ଲୀପଙ୍କୁ ଭେଟିଥିଲେ । ଭାଇଙ୍କ ହାତରେ ରାଖୀ ବାନ୍ଧିବା ପରେ ଘରେ ଖାଇଥିଲେ। ସନ୍ଧ୍ୟାରେ ସମସ୍ତେ ‘ଆମ ବସ୍‌’ରେ ଚଢ଼ି ଘରକୁ ଫେରିଥିଲେ । ସେମାନେ ପାତ୍ରପଡ଼ାସ୍ଥିତ ସପିଂ ମଲ୍‌ ସାମ୍ନାରେ ସନ୍ଧ୍ୟା ୬ଟା ୨୭ ମିନିଟ୍‌ରେ ବସ୍‌ରୁ ଓହ୍ଲାଇଲେ । ରେବତୀ ଗୋଟିଏ ହାତରେ ମାହିକୁ କାଖେଇଥିଲେ । ଅନ୍ୟ ହାତରେ ରେଶ୍‌ମା ହାତକୁ ଧରି ଫୁଲେଶ୍ୱର ବସ୍ତିକୁ ଯିବା ପାଇଁ ଚାଲି ଚାଲି ଜାତୀୟ ରାଜପଥ ପାର୍‌ ହେଉଥିଲେ ।

 

ଏତିକିବେଳେ ଖଣ୍ଡଗିରି ଆଡୁ ଦ୍ରୁତଗତିରେ ଆସୁଥିବା ଏକ ଥାର୍‌ ଗାଡି ସେମାନଙ୍କୁ ଧକ୍କା ଦେଇଥିଲା । ରେବତୀ ଓ ରେଶ୍‌ମା ରାସ୍ତାରେ ଛିଟ୍‌କି ପଡିଥିଲେ । ରେଶ୍‌ମାର ମୁଣ୍ଡରେ ଶକ୍ତ ଆଘାତ ଲାଗିବାରୁ ସେଠାରେ ମୃତ୍ୟୁ ଘଟିଥିଲା। ସେପଟେ ଆଜି ଚିକିତ୍ସାଧୀନ ଅବସ୍ଥାରେ ରେବତୀଙ୍କ ମୃତ୍ୟୁ ଘଟିଥିବା ନେଇ ଡାକ୍ତର ଘୋଷଣା କରିଛନ୍ତି। ଏବେ ବି କୁନି ପୁଅ ଚିକିତ୍ସା ଜାରି ରହିଛି।

 

ଅନ୍ୟପଟେ ଖଣ୍ଡଗିରି ପୁଲିସ କାର୍ ମାଲିକଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ତେବେ ବର୍ତ୍ତମାନ ଯାଏ ଥର କାର ମାଲିକ, ସ୍କର୍ପିଓ କିମ୍ବା ଚାଳକ ସନ୍ଧାନ ମିଳିପାରିିନାହିଁ।