ପିପୁଲ୍ସ କଲେଜରେ ମାନବାଧିକାର ଦିବସ ପାଳନ ଓ ଆଲୋଚନାଚକ୍ର
ବୁଗୁଡା : ତା ୧୦/୧୨/୨୫ : ସ୍ଥାନୀୟ ପିପୁଲ୍ସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ମାନବାଧିକାର ଦିବସ ପାଳନ ସହିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଥିବା ବେଳେ ଏହାର ଶୀର୍ଷକ ” ହ୍ୟୁମାନ ରାଇଟ୍ସ ଏଜ୍ ଏଭ୍ରିଡେ ଏସେନ୍ସିଆଲ୍ ଏଣ୍ଡ୍ ଫ୍ଯୁଚର ପ୍ରୋସ୍ପେକ୍ଟସ୍ ” ରହିଥିଲା । କଲେଜର ସାଧାରଣ ସଭାଗୃହରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡ.ପୁରୁଷୋତ୍ତମ ମିଶ୍ର ଅଧ୍ଯକ୍ଷତା କରିଥିଲେ। ବିଭାଗୀୟ ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ କାର୍ଯ୍ୟକ୍ରମର ଉଦ୍ଦେଶ୍ଯ ଜ୍ଞାପନ କରିଥିବା ବେଳେ ଛାତ୍ରୀ ଆଶା ବିଷୋୟୀ,ଇପ୍ସିତା ସ୍ବାଇଁ, କିରଣବାଳା ବିଷୋୟୀ ଓ ଲିପିକା ସ୍ବାଇଁ ପ୍ରମୁଖ ଆଲୋଚନାଚକ୍ରର ସନ୍ଦର୍ଭ ପାଠ କରିଥିଲେ। ଏ ଅବସରରେ ମଞ୍ଚାସୀନ ବିଭାଗୀୟ ଅଧ୍ଯାପକ ଲୋକନାଥ ବେହେରା ଓ ପବିତ୍ର ଖଣ୍ଡୁଆଳ ପ୍ରମୁଖ ମାନବାଧିକାରର ଐତିହାସିକ ମୂଲ୍ଯବୋଧ ସମ୍ପର୍କରେ ବର୍ଣ୍ଣନା କରିବା ସହ ସଂପ୍ରତି କେତେକ କ୍ଷେତ୍ରରେ ମାନବାଧିକାରର ଅପବ୍ୟବହାର କାରଣ ଏବଂ ଏହାର ନିରାକରଣ ନିମନ୍ତେ ଆବଶ୍ୟକୀୟ ସମାଧାନ ପନ୍ଥାମାନ ସମ୍ପର୍କେ ମଧ୍ୟ ଆଲୋକପାତ କରିଥିଲେ। ଏଥି ସହ ୧୯୯୩ ମାନବିକ ଅଧିକାର ସୁରକ୍ଷା ଆଇନ ଅନୁସାରେ ସମଗ୍ର ଭାରତ ବର୍ଷରେ ତା’ର ନାଗରିକମାନଙ୍କୁ ପ୍ରଦାନ କରାଯାଇଥିବା କେତେକ ମାନବିକ ଅଧିକାର ସମ୍ପର୍କେ ପୁଙ୍ଖାନୁପୁଙ୍ଖ ଆଲୋଚନା ସହ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମର ପରିଶେଷରେ ଛାତ୍ର ସୋମିତ୍ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।
