ପ୍ରାଥମିକ ବିଦ୍ୟାଳୟରେ ଭ୍ରାମ୍ୟମାଣ ପାଠାଗାର ପୁସ୍ତକ ପଠନ ଦ୍ୱାରା ଜ୍ଞାନ ଆହରଣ ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ
ବରପାଲି,୧୦/୧୧ (ସୁଦାମ ଦୀପ):ବରପାଲି ବ୍ଳକ ଫୁଲାପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟ, ପରିସରରେ ଭ୍ରାମ୍ୟମାଣ ପାଠାଗାର, ବରଗଡ଼ ପକ୍ଷରୁ ଏକ ଜ୍ଞାନବର୍ଦ୍ଧକ ଓ ଶିକ୍ଷଣୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପୁସ୍ତକ ପଠନର ଗୁରୁତ୍ୱ, ଜ୍ଞାନ ଆହରଣ ଓ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପଠନ ଅଭ୍ୟାସର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା।
ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଅମ୍ବିକା ମେହେରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଅବସରପ୍ରାପ୍ତ ଅଧ୍ୟକ୍ଷ ଗୋପାଳ କୃଷ୍ଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ସୂର୍ଯ୍ୟକୁମାର ପଣ୍ଡା, ଯାଦବ ଭୋଇ (ଅବସର ପ୍ରାପ୍ତ ଶିକ୍ଷକ ), ସମାଜସେବୀ ବିପିନ୍ଦ୍ର ବରିହା ଓ ଶିକ୍ଷାପ୍ରେମୀ ନିରୋଜ ସ୍ୱାଇଁ ଯୋଗ ପ୍ରମେଖ ଯୋଗ ଦେଇଥିଲେ।
ଭ୍ରାମ୍ୟମାଣ ପାଠାଗାର ସଂଯୋଜକ ରବିନାରାୟଣ ପଣ୍ଡା ପାଠାଗାରର ଉଦ୍ଦେଶ୍ୟ ଓ ଉପାଦେୟତା ସମ୍ପର୍କରେ ଆଲୋକପାତ ମାଧ୍ୟମରେ ପିଲାମାନଙ୍କୁ ନିୟମିତ ପୁସ୍ତକ ପଢ଼ିବା ଏବଂ ନିଜର ଜ୍ଞାନ ପରିସର ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ। ଶିକ୍ଷକ ସରୋଜ କୁମାର ଭୋଇ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମରେ ରବୀନ୍ଦ୍ର ଭୋଇ ଗଣମାଧ୍ୟମ ପ୍ରତିନିଧି ଭାବେ ଉପସ୍ଥିତ ଥିଲେ।
ଏହି ଅବସରରେ ପାଠପଢ଼ା ଓ ବିଭିନ୍ନ କାର୍ଯ୍ୟକଳାପରେ କୃତିତ୍ୱ ହାସଲ କରିଥିବା ରୋଶନୀ ସାହୁ, କାହ୍ନା ଭୋଇ, ସ୍ୱାଗତ ଭୋଇ ଓ ଧରିତ୍ରୀ ପଧାନଙ୍କୁ ପୁରସ୍କୃତ କରାଯାଇଥିଲା।
ଶେଷରେ ଶିକ୍ଷକ ଜୟନ୍ତ କୁମାର ବାରିକ ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି ଭ୍ରାମ୍ୟମାଣ ପାଠାଗାର କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମନରେ ପୁସ୍ତକ ପଠନ ପ୍ରତି ଆଗ୍ରହ ସୃଷ୍ଟି କରିବା ସହ ଜ୍ଞାନ ଓ ସୃଜନଶୀଳତାର ବିକାଶ ଦିଗରେ ଏକ ପ୍ରେରଣାଦାୟକ ପଦକ୍ଷେପ ହୋଇପାରିଛି।
