September 11, 2026

ନୁଆଁଖାଇ ପାଇଁ ମା’ ସମଲେଶ୍ୱରୀଙ୍କ ପୀଠରେ ପହଞ୍ଚିଲା ଧାନ କେଣ୍ଡା ଦୁଲଦୁଲି ବାଦ୍ୟର ତାଳେ ଶୋଭାଯାତ୍ରା,୧୫ରେ ଲାଗିବ ନବାନ୍ନ ଭୋଗ

IMG-20260910-WA0036
Share

 

ସମ୍ବଲପୁର, ୧୦.୦୯: ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୁଆଁଖାଇକୁ ନେଇ ଗାଁଠୁ ସହର ଯାଏ ସବୁଠି ଉତ୍ସବର ମାହୋଲ ସୃଷ୍ଟି ହୋଇଛି। ନବାନ୍ନ ପାଇଁ ନୂଆ ଧାନ ଅମଳ ଆରମ୍ଭ ହୋଇଥିବା ବେଳେ ସମ୍ବଲପୁରର ଇଷ୍ଟଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ନୁଆଁଖାଇ ଭୋଗ ଲାଗି ପାଇଁ ଆଜି ପହଞ୍ଚିଛି ପବିତ୍ର ଧାନ କେଣ୍ଡା। ଏଥିସହ ନବାନ୍ନ ଭୋଗ ପାଇଁ ଆବଶ୍ୟକ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ମନ୍ଦିରରେ ପହଞ୍ଚିଛି।

 

ଧନକଉଡ଼ା ବ୍ଲକ ଅନ୍ତର୍ଗତ ବଲବସପୁର ଗ୍ରାମର ଚାଷୀ ସୁବାଷ ବେହେରାଙ୍କ ପରିବାର ଧାନ କେଣ୍ଡା ସହ ଅନ୍ୟ ଭୋଗ ସାମଗ୍ରୀ ନେଇ ସମ୍ବଲପୁରର ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ପହଞ୍ଚିଥିଲେ। ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ରାଏଙ୍କୁ ସେମାନେ ଏହି ସାମଗ୍ରୀ ହସ୍ତାନ୍ତର କରିଥିଲେ।

 

ଏହା ପୂର୍ବରୁ ଗୁରୁବାର ପୂର୍ବାହ୍ନରେ ଗୋପାଳଜୀ ମଠରେ ପାରମ୍ପରିକ ପୂଜାର୍ଚ୍ଚନା କରାଯାଇଥିଲା। ପରେ ଦୁଲଦୁଲି ବାଦ୍ୟର ତାଳେ ତାଳେ ଏକ ଶୋଭାଯାତ୍ରାରେ ଧାନ କେଣ୍ଡା ଓ ଭୋଗ ସାମଗ୍ରୀକୁ ସମ୍ବଲପୁର ଅଣାଯାଇଥିଲା। ମନ୍ଦିର ସମ୍ମୁଖରେ ପୂଜକ ଓ ଅଞ୍ଚଳବାସୀ ଶ୍ରଦ୍ଧା ଓ ଉତ୍ସାହର ସହ ଚାଷୀ ପରିବାରକୁ ସ୍ୱାଗତ କରିଥିଲେ।

 

ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ନୁଆଁଖାଇ ନବାନ୍ନ ଭୋଗ ପାଇଁ ଧାନ କେଣ୍ଡା ସମେତ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ମନ୍ଦିରରେ ପହଞ୍ଚିଛି।

 

ଉଲ୍ଲେଖଯୋଗ୍ୟ, ବଲବସପୁର ଗ୍ରାମର ଚାଷୀ ସୁବାଷ ବେହେରାଙ୍କ ପରିବାର ପ୍ରାୟ ୧୫ ବର୍ଷ ଧରି ୬୦ ଦିନିଆ ସରିଆ ଧାନ ଚାଷ କରି ନୁଆଁଖାଇ ଅବସରରେ ମା’ ସମଲେଶ୍ୱରୀଙ୍କ ପୀଠକୁ ନବାନ୍ନ ଭୋଗ ପାଇଁ ଧାନ ପ୍ରଦାନ କରିଆସୁଛନ୍ତି। ଚାଷୀଙ୍କ ଶ୍ରମ, ପରମ୍ପରା ଓ ଆସ୍ଥାର ଏହି ସମନ୍ୱୟ ପଶ୍ଚିମ ଓଡ଼ିଶାର ନୁଆଁଖାଇ ସଂସ୍କୃତିକୁ ଆହୁରି ସମୃଦ୍ଧ କରିଆସୁଛି।

 

ଏହି ଅବସରରେ ପୂଜକ ପରିବାରର ଶିବ ପ୍ରସାଦ ରାଏ, ଦେବେନ୍ଦ୍ର ରାଏ, ଯୋଗେନ୍ଦ୍ର ରାଏ, ଗୋମତୀ ରାଏ, ଦୀପଶିଖା ରାଏଙ୍କ ସମେତ ବଲବସପୁରର ଚାଷୀ ସୁବାଷ ବେହେରା, ପୁଷ୍ପାଞ୍ଜଳି ବେହେରା, ସତ୍ୟଭାନ ବେହେରା, ନିରୁପମା ବେହେରା, ଅଶୋକ ବେହେରା, ଜାହ୍ନବୀ ବେହେରା, ଦିଲୀପ ବେହେରା, ଜୟନ୍ତୀ ବେହେରା ଓ ପଦ୍ମିନୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

 

ଆସନ୍ତା ସେପ୍ଟେମ୍ବର ୧୫ ତାରିଖରେ ପଶ୍ଚିମ ଓଡ଼ିଶାର ଏହି ମହାନ ଗଣପର୍ବ ନୁଆଁଖାଇ ଅବସରରେ ସମ୍ବଲପୁରର ଇଷ୍ଟଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ପାରମ୍ପରିକ ବିଧିବିଧାନ ଅନୁଯାୟୀ ନବାନ୍ନ ଭୋଗ ଲାଗିବ। ଏହାକୁ ନେଇ ଏବେଠାରୁ ସମ୍ବଲପୁରରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି।