November 15, 2024

ଗଜପତି:- ଜିଲ୍ଲାସ୍ତରୀୟ ଜାତୀୟ କୃମିନାଶକ ଦିବସର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ::– ୧ ଲକ୍ଷ ୯୮ ହଜାର ୨୪୧ ଜଣ ଶିଶୁଙ୍କୁ ଏବଂ ୨୨ ହଜାର ୫୮୦ ଜଣ ପ୍ରଜନନ କ୍ଷମ ମହିଳାଙ୍କୁ ଔଷଧ ଦେବା ଲକ୍ଷ୍ୟଧାର୍ଯ୍ୟ ..

Share

ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ନୂଆ କେରାଣ୍ଡି ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାସ୍ତରୀୟ ଜାତୀୟ କୃମିନାଶକ ଦିବସର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ସୌମ୍ୟାରାଣୀ ଗୌଡଙ୍କ ପୌରହିତ୍ୟରେ ଜିଲ୍ଲାବ୍ୟାପୀ କୃମିନାଶକ କାର୍ଯ୍ୟକ୍ରମର ଅନୁଷ୍ଠିତ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଏଡିପିଏଚଓ: ପରିବାର କଲ୍ୟାଣ ତଥା ଭାରପ୍ରାପ୍ତ ସିଡିଏମଓ: ଡ଼ାଃ ମହେନ୍ଦ୍ର ଭୂୟାଁ ଏବଂ ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧ୍ୟିକ୍ଷକ ଡ଼ାଃ ପତିତପାବନ ବାରୀକ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ ।

ସେମାନେ ମୁଖ୍ୟତଃ କୃମି କଣ , ଏହା କାହିଁକି ହୋଇଥାଏ ଏବଂ ପିଲାମାନଙ୍କ ଉପରେ କୃମି ସଂକ୍ରମଣର ପ୍ରଭାବ ସମ୍ପର୍କରେ କହି କୃମି ଔଷଧ ସେବନ କରିବା ଦ୍ୱାରା ଏହା କିଭଳି ପିଲାକୁ ରୋଗମୁକ୍ତ କରିବା ସହ ଏହା ଶରୀର ରକ୍ତହୀନତା ନିୟନ୍ତ୍ରଣ କରିବା ଓ ଖାଦ୍ୟ ଗ୍ରହଣ ପରିମାଣ ବୃଦ୍ଧି କରିବା ସହ ମାନସିକ ସ୍ଥିରତା ଆଣିବା ଓ ପାଠପଢ଼ା ଦକ୍ଷତା ବୃଦ୍ଧି ଏବଂ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରରେ ଉପସ୍ଥାନ ବୃଦ୍ଧି କରିବାରେ ବିଶେଷ ସହାୟକ ହୋଇଥାଏ ସେ ସମ୍ପର୍କରେ କହି , ଜିଲ୍ଲାବ୍ୟାପୀ କାର୍ଯ୍ୟକ୍ରମର ସଫଳତା ସହ କୃମିମୁକ୍ତ ତଥା ଏନିମିଆ ମୁକ୍ତ ସମାଜ ଗଠନରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

ଅନ୍ୟପକ୍ଷରେ ଏ ସମ୍ପର୍କରେ ଅଧିକ ସୂଚନା ଦେଇ ସେମାନେ କହିଥିଲେ ଯେ , ଏହି କାର୍ଯ୍ୟକ୍ରମରେ ଚଳିତ ଥର ଜିଲ୍ଲାରେ ଥିବା ୧ ହଜାର ୨ଟି ସ୍କୁଲ ଏବଂ ୨ ହଜାର ୪୩୬ ଟି ଅଙ୍ଗନବାଡି ସମେତ ଏଥି ବ୍ୟତୀତ ରହି ଯାଇଥିବା ମୋଟ ୧ ଲକ୍ଷ୍ୟ ୯୮ହଜାର ୨୪୧ ଜଣ ୧ ରୁ ୧୯ ବର୍ଷ ବୟସର ସବୁ ପିଲାଙ୍କୁ କୃମି ଔଷଧ ଦିଆଯିବା ସହ ୨୦ ରୁ ୨୪ ବର୍ଷ ବୟସର ସମସ୍ତ ୨୨ ହଜାର ୫୮୦ ଜଣ ପ୍ରଜନନକ୍ଷମ ମହିଳା ମାନଙ୍କୁ କୃମୀନାଶକ ଔଷଧ ଖାଇବାକୁ ଦିଆଯିବା ଲକ୍ଷ୍ୟଧାର୍ଯ୍ୟ ରହିଛି । ଏହା ଜିଲ୍ଲାର ସମସ୍ତ ସ୍କୁଲ , ଅଙ୍ଗନବାଡି କେନ୍ଦ୍ର ଓ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଦିଆହେବ । ଆଜି ଶୁଭାରମ୍ଭ ହୋଇଥିବା ଦିନ (୧୦ ତାରିଖ)ରେ ଯେଉଁ ପିଲା କୌଣସି କାରଣରୁ କୃମିନାଶକ ଔଷଧ ଖାଇପାରି ନ ଥିବେ ସେମାନେ ଚଳିତ ମାସର ଆଉ ୭ ଦିନ ପରେ ଅର୍ଥାତ ଅଗଷ୍ଟ ୧୭ ତାରିଖ ଦିନ ଏହି ଔଷଧ ଖାଇପାରିବେ ବୋଲି କହିଥିଲେ ।।

ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ମଞ୍ଚାସିନ ଥିବା ଅତିଥି ଗୋଷ୍ଟି ଶିକ୍ଷା ଅଧିକାରୀ ଶ୍ରୀ ଟି: କିଶୋର କୁମାର , ଏବିଇଓ: ଶ୍ରୀ ଏନ: ବିମଳ , ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଏମ: ରବି କୁମାର ଏବଂ ଜିଲ୍ଲା ଆଶା ସହକାରୀ ପ୍ରବନ୍ଧକ ଶ୍ରୀ ନାରାୟଣ ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମର ଆଭିମୁଖ୍ୟ ଏବଂ କୃମିନାଶକ ଔଷଧ ଖାଇବାର ଆବଶ୍ୟକତା ଓ ଏହାର ଉପାଦେୟତା ସମ୍ପର୍କରେ କହିଥିଲେ ।

ପରେ ବିଦ୍ୟାଳୟର ଶତାଧିକ ପିଲାଙ୍କୁ ମଞ୍ଚାସିନ ଅତିଥିମାନେ କୃମିନାଶକ ଔଷଧ ବଟିକା ଖୁଆଇ ଜିଲ୍ଲାବ୍ୟାପୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ସମସ୍ତ କାର୍ଯ୍ୟକ୍ରମରେ ଡିଏମଆରସିଏଚ: ଶ୍ରୀମତୀ ପ୍ରଣତୀ ସାହୁ ସଂଯୋଜନା ଓ ପରିଚାଳନା କରିଥିବା ବେଳେ ପିଏଚଇଓ: ମମତା ପାଢ଼ୀ ଅତିଥି ମାନଙ୍କୁ ସ୍ଵାଗତ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ଏଡିପିଏଚସିଓ: ଶ୍ରୀମତୀ ନୟନା ମଲ୍ଲିକ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ସେହିଭଳି ଭାରପ୍ରାପ୍ତ ସିଡିଏମଓ: ଡ଼ାଃ ମହେନ୍ଦ୍ର ଭୂୟାଁ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ସୌମ୍ୟାରାଣୀ ଗୌଡ ପ୍ରମୁଖଙ୍କ ଗହଣରେ ଆୟୁଷ୍ମାନ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରରେ , କେନ୍ଦ୍ରର ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ପୂର୍ଣ୍ଣିମା ଦାସ ଏବଂ ଏଏନଏମ: ଶ୍ରୀମତୀ ବି: ଜଗଦମ୍ବା ଛୋଟ ଛୁଆ ମାନଙ୍କୁ କୃମିନାଶକ ସିରପ ଖୁଆଇଥିଲେ ।

———————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

———————————————–