April 20, 2025

ରାମନାଗୁଡାରେ ଜନଜାତି ଦିବସ ପାଳିତ

Share

.

ରାମନାଗୁଡା ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକରେ ଧୁମଧାମରେ ପାଳନ କରାଯାଇଛି ବିଶ୍ୱ ଜନଜାତି ଦିବସ । ଏହି ବିଶ୍ୱ ଜନଜାତି ଦିବସ ଅବସରରେ ଜାତାପୁ ସମାଜ ଆବାହକତ୍ବ ଏହି ବିଭିନ୍ନ ଗ୍ରାମରୁ ସୈରା କନ୍ଦ ଆଦି ଜନଜାତି ଲୋକେ ଏକତ୍ରିତ ହୋଇ ରାମନାଗୁଡା ମଙ୍ଗଳା ମନ୍ଦିର ଠାରୁ ଏକ ବିଶାଳ ରାଲିରେ ଜନଜାତି ପାରମ୍ପରିକ ପୋଷାକ, ନାଚଗୀତ ଏବଂ ବାଜା ବଜାଇ କଲ୍ୟାଣ ମଣ୍ଡପ
ପର୍ଯ୍ୟନ୍ତ ଶୋଭାଯାତ୍ରା କରିଥିଲା । ପ୍ରାୟ ୧ ହଜାର ଆଦିବାସୀ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏହି ଜନଜାତି ସମ୍ପ୍ରଦାୟର ସମୃଦ୍ଧ ଐତିହ୍ୟ, ପରମ୍ପରା ଏବଂ ଏକତା ପ୍ରଦର୍ଶିତ ହୋଇଥିଲା । ପାରମ୍ପରିକ ବେଶଭୂଷାରେ ସଜେଇ ହୋଇ ଜନଜାତି ଅଂଶଗ୍ରହଣକାରୀମାନେ ତାଳବାଦ୍ୟରେ ନୃତ୍ୟ କରି, ହୃଦୟସ୍ପର୍ଶୀ ଗୀତ ଗାନ କରି ଏବଂ ମଧୁର ବାଜା ବଜାଇ ସମଗ୍ର ସହରକୁ ଆନନ୍ଦ ଉଲ୍ଲାସ ଏବଂ ସାଂସ୍କୃତିକ ସ୍ପନ୍ଦନରେ ଆଚ୍ଛନ୍ନ କରି ଦେଇଥିଲେ । ରାଲି ବେଳେ ଢୋଲ, ବାଜା, ବାଦ୍ୟର ତାଳେ ତାଳେ ମନଛୁଆଁ ଧ୍ୱନିରେ ମୁଖରିତ ହୋଇ ଉଠିଥିଲା ରାଜରାସ୍ତା ।ବିଭିନ୍ନ ଅଞ୍ଚଳର ଜନଜାତି ପରସ୍ପର ମଧ୍ୟରେ ମିଶିବା, କାହାଣୀ, ଅନୁଭୂତି ଏବଂ ନିଜର ଭାବନାକୁ ବାଣ୍ଟିବା ଦ୍ୱାରା ଏକତା ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା । ଆଦିବାସୀ ସମ୍ପ୍ରଦାୟର ଲୋକମାନଙ୍କ ମଧ୍ୟରେ ଗର୍ବ ଏବଂ ଆତ୍ମବିଶ୍ୱାସର ଭାବନା ସୃଷ୍ଟି କରିବା ପାଇଁ ଏହି ଦିନକୁ ବେଶ ଆଡ଼ମ୍ବର ସହାକାରେ ପାଳନ କରନ୍ତି ଜନଜାତି ମାନେ ।ଏହି କାର୍ଯ୍ୟକ୍ରମରେ ଆଦିବାସୀମାନେ ସମ୍ମୁଖୀନ ହେଉଥିବା ଆହ୍ୱାନ ଉପରେ ବକ୍ତବ୍ୟ ଏବଂ ଏକଥାକୁ ନେଇ ଆଲୋଚନା କରାଯାଇଥିଲା । ଆଦିବାସୀମାନଙ୍କ ପ୍ରତି ହୋଇଥିବା ଅତ୍ୟାଚାର ଉପରେ ଆଲୋଚନା ହୋଇଥିଲା । ପ୍ରତିବର୍ଷ ୯ ଅଗଷ୍ଟ ବିଶ୍ବ ଆଦିବାସୀମାନଙ୍କର ଏକ ସ୍ମରଣୀୟ ଦିବସ ଅଟେ । ମିଳିତ ଜାତିସଂଘର ଆଦିବାସୀ ଜନସଂଖ୍ୟା ଶାଖାର କାର୍ଯ୍ୟକାରୀ ସଦସ୍ୟ ବୈଠକରେ ୧୯୮୨ ମସିହାରେ ପ୍ରଥମେ ଅନ୍ତର୍ଜାତୀୟ ବିଶ୍ବ ଆଦିବାସୀ ଦିବସ ପାଳନର ପ୍ରସ୍ତାବ ଉପସ୍ଥାପନା କରାଯାଇଥିଲା । ପରବର୍ତ୍ତୀ ମିଳିତ ଜାତିସଂଘର ସାଧାରଣ ଅଧିବେଶନରେ ୨୩ ଡିସେମ୍ବର ୧୯୯୪ ମସିହାରେ, ୯ ଅଗଷ୍ଟକୁ ପ୍ରତି ବର୍ଷ ‘ଅନ୍ତର୍ଜାତୀକ ଆଦିବାସୀ ଦିବସ’ ରୂପେ ମାନ୍ୟତା ଦେଇ ପାଳନ କରିବାପାଇଁ ଗୃହୀତ ହେଲା । ସେହିଦିନଠାରୁ ବିଶ୍ବର ବିଭିନ୍ନ ଦେଶରେ ଆଦିବାସୀମାନଙ୍କ ଅଧିକାରର ସୁରକ୍ଷା ବାର୍ତ୍ତାକୁ ଆଦିବାସୀମାନେ ଆଗ୍ରହର ସହିତ ସମଗ୍ର ବିଶ୍ବରେ ପାଳନ କରି ଆସୁଛନ୍ତି । ଏହି କାର୍ଯ୍ୟକ୍ରମରେ ସାଂଗଠନିକ ସମ୍ପାଦକ ମାଣ୍ଡାଙ୍ଗି ରାମଚନ୍ଦ୍ର,ପିରବାକା ଗୋବିନ୍ଦ , ଜିଲ୍ଲା ଉପସଭାପତି କଣ୍ଡାଗରୀ ପ୍ରକାଶ ,ପ୍ରଭାକର ମାଣ୍ଡାଙ୍ଗି, କୈଳାସ ମାଣ୍ଡାଙ୍ଗି,ଗଣପତି ତୋଇକା, ଶ୍ରୀନୁ ପାଚିକା,ତୁମ୍ବେସୁ ମାଣ୍ଡାଙ୍ଗି, ନାରାୟଣ ମାଣ୍ଡାଙ୍ଗି ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ବିଶ୍ବ ଜନଜାତି ଦିବସ ପରିଚାଳନା କମିଟି ନିଦ୍ଧେର୍ଶକ କଣ୍ଡାଗରୀ ଚିନ୍ନା ପରିଚାଳନା କରିଥିଲେ।।

ରିପୋର୍ଟ ସଞୀବ କୁମାର ଦାଶ