ବେଦାନ୍ତ କମ୍ପାନୀକୁ ବକ୍ସାଇଟ ଖଣି ଯୋଗାଇ ଦେବାକୁ ମୁଖ୍ୟ ମନ୍ତ୍ରୀଙ୍କୁ ଦାବୀପତ୍ର

ଲାଞ୍ଜିଗଡ଼ – ( ପୁରନ୍ଦର ଦଣ୍ଡସେନା ) କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ଠାରେ ବେଦାନ୍ତ କମ୍ପାନୀ ଦ୍ୱାରା ଆଲୁମିନା ପ୍ରକଳ୍ପ ପ୍ରତିଷ୍ଠା ହେବାର ପ୍ରାୟ 21 ବର୍ଷ ବିତିଗଲାଣି l କିନ୍ତୁ ଆଜି ପର୍ଯ୍ୟନ୍ତ ବକ୍ସାଇଟ ଖଣି ନ ପାଇବା ଯୋଗୁଁ ରାଜ୍ୟ ବାହାରୁ ବକ୍ସାଇଟ ଆଣି କାମଚଳା ଭାବେ ପ୍ରକଳ୍ପ ଚାଲୁରଖିଛି l ରାଜ୍ୟ ସରକାର ପ୍ରକଳ୍ପର ଚାହିଦା ଅନୁଯାଇ ବକ୍ସାଇଟ ଯୋଗାଇ ଦେବାକୁ ଯେଉଁ ପ୍ରତିଶୃତି ଦେଇଥିଲେ, ଆଜି ପର୍ଯ୍ୟନ୍ତ ସେ ପ୍ରତିଶୃତି ପାଳନ କରି ନାହାନ୍ତି l ଏଥିପାଇଁ କମ୍ପାନୀକୁ ଅନେକ କ୍ଷତି ସହିବାକୁ ପଡୁଛି l କଳାହାଣ୍ଡି, ରାୟଗଡା ଜିଲ୍ଲା ତଥା ଓଡିଶାର ବିଭିନ୍ନ ଜିଲ୍ଲାର ଲୋକ ଏହି ଆଲୁମିନା ପ୍ରକଳ୍ପରେ କାମ କରନ୍ତି l ଯଦି ଉପଯୁକ୍ତ ପରିମାଣର କଞ୍ଚାମାଲ ନ ମିଳେ, ତାହେଲେ ପ୍ରକଳ୍ପ ବନ୍ଦ ହୋଇଯିବାର ସମ୍ଭାବନା ଅଛି l ଫଳରେ ହଜାର ହଜାର ଲୋକ, ଯେଉଁମାନେ ଏହି କମ୍ପାନୀରେ କାର୍ଯ୍ୟ କରୁଛନ୍ତି, ସେମାନେ ବେକାର ହୋଇଯିବେ ଏବଂ ପରିବାର ପ୍ରତିପୋଷଣ ସେମାନଙ୍କ ପାଇଁ କଷ୍ଟକର ହେବ l ସର୍ବୋପରି କମ୍ପାନୀକୁ ଯଦି ବକ୍ସାଇଟ ନ ମିଳେ, ତାହେଲେ ପ୍ରକଳ୍ପ ବନ୍ଦ ହେବା ସହିତ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାର ଏ ବିସ୍ତୃତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିକାଶମୂଳକ କୌଣସି କାର୍ଯ୍ୟ ହୋଇପାରିବ ନାହିଁ l ତେଣୁ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାର କେତେକ ସ୍ବେଛାସେବୀ ସଂଗଠନ ସହସ୍ରାଧିକ ଲୋକଙ୍କୁ ନେଇ ଭୁବନେଶ୍ୱରରେ ଏକ ବିଶାଳ ରାଲି କରିଥିଲେ l ସେଠାରେ ସେମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ” ବେଦାନ୍ତ କମ୍ପାନୀକୁ କଞ୍ଚାମାଲ ଓ ବକ୍ସାଇଟ ଖଣି ଯୋଗାଇ ଦିଆଯାଉ ” ଶୀର୍ଷକ ଦାବୀ ପତ୍ର ପ୍ରଦାନ କରିଥିଲେ l
ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନା / ନିୟୁଜ ଉପାନ୍ତ ଖବର