March 12, 2025

ବିଜେପିକୁ ଜୟନାରାୟଣ ଅଡ଼ୁଆ: ମୁହଁ ଖୋଲୁନାହାନ୍ତି ଦଳୀୟ ନେତା, ବିଧାନସଭାରେ ଉଠିବ ପ୍ରସଙ୍ଗ..

Share

 

‘ବନ୍ଦେ ଉତ୍କଳ ଜନନୀ’କୁ ବିରୋଧ କରି ବିଧାୟକ ଜୟନାରାୟଣ ମିଶ୍ର ଓଡ଼ିଶାରେ ମିଶିବା ଆମର ଐତିହାସିକ ଭୁଲ ବୋଲି ଦେଇଥିବା ମନ୍ତବ୍ୟ ସାରା ରାଜ୍ୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ଏହାକୁ ନେଇ ଏବେ ରାଜ୍ୟ ବିଜେପି ଅଡ଼ୁଆରେ ପଡ଼ିଯାଇଛି।

 

 

ବିଜେପିକୁ ଜୟନାରାୟଣ ଅଡ଼ୁଆ: ମୁହଁ ଖୋଲୁନାହାନ୍ତି ଦଳୀୟ ନେତା, ବିଧାନସଭାରେ ଉଠିବ ପ୍ରସଙ୍ଗ

ଭୁବନେଶ୍ବର: ‘ବନ୍ଦେ ଉତ୍କଳ ଜନନୀ’କୁ ବିରୋଧ କରି ବିଧାୟକ ଜୟନାରାୟଣ ମିଶ୍ର ଓଡ଼ିଶାରେ ମିଶିବା ଆମର ଐତିହାସିକ ଭୁଲ ବୋଲି ଦେଇଥିବା ମନ୍ତବ୍ୟ ସାରା ରାଜ୍ୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ଏହାକୁ ନେଇ ଏବେ ରାଜ୍ୟ ବିଜେପି ଅଡ଼ୁଆରେ ପଡ଼ିଯାଇଛି। ‘ଓଡ଼ିଆ ଅସ୍ମିତା’ର ନାରା ଦେଇ ଶାସନକୁ ଆସିଥିବା ନିଜ ଦଳ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରିଛନ୍ତି ଜୟନାରାୟଣ। ଏହି ପ୍ରସଙ୍ଗରେ ବିଜେପି ଏବେ କି ଆଭିମୁଖ୍ୟ ନେବ, ତାହାର ବାଟ ପାଉନି। ଦଳୀୟ ନେତାମାନେ ମୁହଁରେ ତାଲା ପକାଇବାକୁ ଏକପ୍ରକାର ବାଧ୍ୟ ହୋଇଛନ୍ତି। ଜୟନାରାୟଣ ବିଭିନ୍ନ ପ୍ରସଙ୍ଗରେ ଭିନ୍ନ ମନ୍ତବ୍ୟ ଦେଇ ସବୁବେଳେ ଚର୍ଚ୍ଚାରେ ଥା’ନ୍ତି। ବିଜେପି ଶାସନକୁ ଆସିଲା ପରେ ଦଳର କାର୍ଯ୍ୟକଳାପକୁ ନେଇ ସେ ବିଭିନ୍ନ ସମୟରେ ଗଣମାଧ୍ୟମରେ ନିଜର ଅସନ୍ତୋଷ ଜାହିର କରିଛନ୍ତି। ତାଙ୍କର ମନ୍ତବ୍ୟ ପାଇଁ ଦଳ ଅଡ଼ୁଆରେ ପଡ଼େ ସତ। କିନ୍ତୁ ତାହା ଦଳୀୟ ବ୍ୟାପାର ହୋଇଥିବାରୁ ସାଧାରଣରେ ଏହା ବିଶେଷ ପ୍ରଭାବ ପକାଏ ନାହିଁ। ଏଥର ଜୟନାରାୟଣଙ୍କ ମନ୍ତବ୍ୟକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏମିତିରେ ବି ଜୟନାରାୟଣ ଜଣେ ସାଧାରଣ ନେତା ନୁହନ୍ତି। ପାଞ୍ଚ ପାଞ୍ଚ ଥର ବିଧାନସଭାକୁ ପ୍ରତିନିଧିତ୍ବ କରିଛନ୍ତି। ପୁଣି ମେଣ୍ଟ ସରକାର ସମୟରେ ସରକାରୀ ଦଳର ଉପମୁଖ୍ୟ ସଚେତକ ରହିବା ସହ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। ଗତ ବିଧାନସଭାରେ ସେ ବିରୋଧୀ ଦଳ ନେତା ହୋଇଥିଲେ। ତେଣୁ ତାଙ୍କ ପରି ଜଣେ ବରିଷ୍ଠ ନେତା ଏପରି ମନ୍ତବ୍ୟ ଦେବାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି।

 

 

ଏହି ପ୍ରସଙ୍ଗରେ ବିଜେଡି ଓ କଂଗ୍ରେସ ନିଜର ପ୍ରତିକ୍ରିୟା ଦେଇସାରିଛନ୍ତି। ଜୟନାରାୟଣ ମନ୍ତ୍ରୀ ହେବା ଲୋଭରେ ଏବଂ ନିଜର ସ୍ବାର୍ଥ ହାସଲ ପାଇଁ ଏପରି ମନ୍ତବ୍ୟ ଦେଉଛନ୍ତି ବୋଲି ସେମାନେ ଆକ୍ଷେପ କରିଛନ୍ତି। କିନ୍ତୁ ସରକାର ଓ ସରକାରୀ ଦଳ ଅକଳରେ ପଡ଼ିଯାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଲୋକମାନେ ସରକାରଙ୍କୁ ଟାର୍ଗେଟ୍‌ କରୁଥିବା ଦେଖିବାକୁ ମିଳୁଛି। ସରକାର ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଜୋର୍‌ଦାର ଦାବି ହେଉଛି। କିନ୍ତୁ ଘଟଣାର ୨୪ ଘଣ୍ଟା ବିତିଯାଇଥିଲେ ବି ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ କିଛି କୁହାଯାଇ ନାହିଁ। ସେମିତି ବିଜେପି ପକ୍ଷରୁ ମଧ୍ୟ ଏହାକୁ ବିରୋଧ କରାଯାଉନି କି ସମର୍ଥନ କରାଯାଉନି। ଦଳର କୌଣସି ବରିଷ୍ଠ ନେତା କିମ୍ବା ମୁଖପାତ୍ର ଗଣମାଧ୍ୟମକୁ କୌଣସି ବିବୃତି ଦେଉନାହାନ୍ତି। ଏଥର ନିର୍ବାଚନରେ ‘ଓଡ଼ିଆ ଅସ୍ମିତା’ ବିଜେପିର ମୁଖ୍ୟ ପ୍ରସଙ୍ଗ ରହିଥିଲା। କିନ୍ତୁ ନିଜ ଦଳର ବିଧାୟକ ବିଚ୍ଛିନ୍ନତାବାଦର ସ୍ବର ଉଠାଇଥିବାରୁ ବିଜେପି ତୁରନ୍ତ ଆଭିମୁଖ୍ୟ ସ୍ପଷ୍ଟ କରିବା ଉଚିତ ବୋଲି ମତପ୍ରକାଶ ପାଉଛି। ଆସନ୍ତାକାଲି ବିଧାନସଭାରେ ବିରୋଧୀ ଦଳ ଏହି ପ୍ରସଙ୍ଗକୁ ଉଠାଇବାକୁ ଯୋଜନା କରୁଛନ୍ତି। ସରକାରଙ୍କ ଆଭିମୁଖ୍ୟ ସମ୍ପର୍କରେ ବିରୋଧୀ ଦଳ ଜବାବ ମାଗିବେ। ବିରୋଧୀଙ୍କୁ ସରକାର କିପରି ଜବାବ ଦେବେ ଏବଂ ଜୟନାରାୟଣ ଗୃହ ଭିତରେ କି ଆଭିମୁଖ୍ୟ ଦେଖାଇବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି