February 22, 2025

ପାରାଦୀପ- ଚଣ୍ଡିଖୋଲ ୫୩ନମ୍ବର ଜାତୀୟ ରାଜପଥ ରାସ୍ତା ନିର୍ମାଣ ସମୀକ୍ଷା..

Share

 

କେନ୍ଦ୍ରାପଡା,( ଦେବାଶିଷ ଦାଶ )

 

ପାରାଦୀପ – ଚଣ୍ଡିଖୋଲ ୫୩ନମ୍ବର ଜାତୀୟ ରାଜପଥର ୮ ଲେନ ରାସ୍ତା ନିର୍ମାଣ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଶୁକ୍ରବାର ଅପରାହ୍ନରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ମାଟି, ବାଲି, ପାଣି ସୁରକ୍ଷା ମଞ୍ଚ(ମାବାପା)ର ଆବାହକ ଆଇନଜୀବୀ ବିଧୁଭୂଷଣ ମହାପାତ୍ର ଏକ ୩ଦଫା ଦାବି ନେଇ ପ୍ରସ୍ତାବ ଆଗତ କରିଥିଲେ। ଶ୍ରୀ ମହାପାତ୍ର କହିଥିଲେ ଯେ ଜିଲ୍ଲାର ଛାତି ଉପର ଦେଇ ଯାଇଥିବା ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥ ପ୍ରଶସ୍ତିକରଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ୫ ବର୍ଷ ତଳେ ଉଚ୍ଚା ରେଳପଥ କରି ହାରାହାରୀ ଏକ ହଜାର ହେକ୍ଟର ଚାଷ ଜମିରୁ ମାଟି ଲୁଟି ହୋଇଥିବା ବେଳେ ଏବେ ଏକ ୮ ଧାଡିଆ ଜାତୀୟ ରାଜପଥ ନିର୍ମାଣ କରି ପ୍ରାୟ ୫୦ ହଜାର ହେକ୍ଟର ଚାଷ ଜମିରୁ ମାଟି ନେଇ ଖାଲ କରିବାକୁ ମସୁଧା କରାଯାଉଛି। ଗତବର୍ଷ ମାର୍ଚ୍ଚ ୧୭ ତାରିଖରେ ମା ବା ପା ସୁରକ୍ଷା ମଂଚ ପକ୍ଷରୁ ଏସମ୍ପର୍କରେ ତତକାଳୀନ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଫଳରେ ଏପ୍ରିଲମାସ ପରଠାରୁ କେନ୍ଦ୍ରାପଡାରୁ ମାଟି ଉଠାଣ ବନ୍ଦ ରହିଥିଲା। ଡିସେମ୍ବର ପର୍ଯ୍ୟନ୍ତ ପାଉଁଶ, ଜିପସମ, ପଥର ଏବଂ ମୋରମରେ ରାସ୍ତା ନିର୍ମାଣ ହେଉଥିଲା । ଗତ ବର୍ଷ ସାରା ଜାତୀୟ ରାଜପଥକୁ ଅତିକ୍ରମ କରିଥିବା ପାଟନାଳୀ ଓ କେନାଲ ମୁହଁକୁ ମନଇଚ୍ଛା ବନ୍ଦ କରାଯିବା ଯୋଗୁଁ ଡେରାବିଶ, କେନ୍ଦ୍ରାପଡା, ଗରଦପୁର, ମାର୍ଶାଘାଇ ଓ ମହାକାଳପଡା ବ୍ଲକର ବହୁ ଚାଷ ଜମିରେ ଧାନ ଅମଳ ୭୦ ଭାଗ କମିଯାଇଥିଲା । ଜଳ ସେଚନ ଓ ଜଳ ନିଷ୍କାସନ ପାଇଁ ଏହି ଜାତୀୟ ରାଜପଥ ବାଧକ ସାଜିଛି । ଜିଲ୍ଲାରେ ଥିବା ଜଳସେଚନ ବିଭାଗ ଅଧିକାରୀଙ୍କୁ ଏହି ଠିକାସଂସ୍ଥା ଭୟଭୀତ କରି ରଖିଥିବା ସେ ଅଭିଯୋଗ କରିଥିଲେ । ଏଣୁ ବେଳହୁଁ ସାବଧାନ ହୋଇ ସମସ୍ତ ଜଳ ସେଚନ ଓ ନିଷ୍କାସନ ପଥକୁ ପରିସ୍କାର ଓ ସୁଗମ କରିବାକୁ ସେ ଦାବି କରିଥିଲେ । ଠିକ ସେହିପରି ଜାତୀୟ ରାଜପଥକୁ ସଂଯୁକ୍ତ କରୁଥିବା ସମସ୍ତ ରାସ୍ତାକୁ ମନଇଚ୍ଛା ରାସ୍ତା ନିର୍ମାଣ କରି ପୂର୍ବ ବ୍ୟବସ୍ଥାକୁ ନଷ୍ଟ କରି ମନଇଚ୍ଛା ଅଣ୍ଡର ପାସ୍ ନିର୍ମାଣ କରିବା ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ବସବାସ କରୁଥିବା ଜନତା ଓ ଚାଷୀମାନେ ଦୀର୍ଘ ପଥ ଅତିକ୍ରମ କରି ଚାଷ ଜମିକୁ ଯିବାକୁ ବାଧ୍ୟ ହେଉଛନ୍ତି। ମାର୍ଶାଘାଇର ଟୁବିହୁଡା ନିକଟରେ ଗ୍ରାମବାସୀଙ୍କୁ ଠିକା ସଂସ୍ଥା ଧମକ ଦେଇଥିବା ନେଇ ଥାନାରେ ଏତଲା ମଧ୍ୟ ହୋଇଛି । ଗ୍ରାମ୍ୟ ଉନ୍ନୟନ, ରାସ୍ତା ଓ ଗୃହ ନିର୍ମାଣ ଓ ବ୍ଲକ ରାସ୍ତାର ଅଧିକାରୀ ମାନେ ଏହି ସଂସ୍ଥା ଭୟରେ ନିରବଦ୍ରଷ୍ଟା ସାଜିଥିବା ସେ କହିଥିଲେ। ଏତ୍‌ଦ ବ୍ୟତୀତ ଏହି କମ୍ପାନୀର ଠିକା କର୍ମଚାରୀମାନେ ବୈଠକରେ ମିଛ ପ୍ରତିଶ୍ରୁତି ଦେଇଥିବା ବେଳେ ପରେ ତାହାକୁ ରକ୍ଷା କରୁନଥିବା ସେ କହିଥିଲେ । ଜିଲ୍ଲାପାଳ ଜାତୀୟ ରାଜପଥ କତ୍ତୃପକ୍ଷଙ୍କୁ ଏହି ରାସ୍ତା କେଉଁଥିରେ ନିର୍ମାଣ ହେଉଛି ବୋଲି ପ୍ରଶ୍ନ କରିବାରେ ସେ କହିଥିଲେ ଯେ ରାସ୍ତା ପାଉଁଶ, ଜିପସମ ଓ ମୋରମରେ ହେଉଛି। କିନ୍ତୁ ଆଇନଜୀବୀ ଶ୍ରୀ ମହାପାତ୍ର ଏହାର ଘୋର ବିରୋଧ କରି କହିଥିଲେ ଯେ ରାସ୍ତା ଚୋରା ବାଲି ଓ ଚୋରା ମାଟିରେ ହେଉଛି। ଏହାପରେ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଉପଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କୁ ଏହାର ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ। ଆସନ୍ତା ୧୭ତାରିଖରେ ପରବର୍ତ୍ତୀ ବୈଠକ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଜିଲ୍ଲା ପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ କହିଲେ ଯେ ରାସ୍ତା ଅଣ୍ଡର ପାସ୍‌ରେ ବିଦ୍ୟୁତ୍ କେବୁଲକୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରିବା ଏବଂ ଜଳ ନିଷ୍କାସନ ପଥକୁ ସୁରକ୍ଷିତ ରଖିବା ପାଇଁ ଦାବି କରିଥିଲେ। ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର, ଡେପୁଟୀ କଲେକ୍ଟର(ଉନ୍ନୟନ) ତୃପ୍ତି ମହାନ୍ତି, ଜାତୀୟ ରାଜପଥର କେନ୍ଦ୍ରୀୟ ରେସିଡେଣ୍ଟ ଇଞ୍ଜିନିଅର ଗିରିଶ କୁମାର ଷଡଙ୍ଗୀ, ସାଇଟ ଇଞ୍ଜିନିଅର ଜ୍ଞାନରଞ୍ଜନ ମହାନ୍ତି, ଡିପିଏମ ସୋନୋଇ କୁମାର, ପ୍ରୋଜେକ୍ଟ ମ୍ୟାନେଜର କୁମାର ରାଜେଶ, ଡ୍ରେନେଜ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ସିର୍ଦ୍ଧାର୍ଥ ଶେଖର, ସହକାରୀ ଯନ୍ତ୍ରୀ ପି.କେ. ସିଂ,ଜଳସେଚନ ବିଭାଜନ ଅଧୀକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀ, ସହକାରୀ ଯନ୍ତ୍ରୀ ଧରଣୀଧର ବେହେରା, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଜନ ନିର୍ବାହୀ ଯନ୍ତ୍ରୀ ବସନ୍ତ କୁମାର ନାୟକ, ଗ୍ରାମ୍ୟ ଉନ୍ନୟନ ବିଭାଜନ-୧ ଅଧୀକ୍ଷଣ ଯନ୍ତ୍ରୀ ରାଜେଶ ପ୍ରଧାନ, ଡିପା ର ଆଇ.ପି. ଅଫିସର ସୈାଭାଗ୍ୟରଞ୍ଜନ ମଲ୍ଲିକ, ଏ.ଆର.ଇ. ଡିପା ବଳରାମ ସାହୁ, କେନ୍ଦ୍ରାପଡା, ଡେରାବିଶ ଓ ମାର୍ଶାଘାଇ ତହସିଲଦାର, ଡେରାବିଶ ବିଡିଓ ପ୍ରମୁଖ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ .