ବସ୍ତି ପିଲାଙ୍କ ପାଇଁ ‘ଧୁଲ କେ ଫୁଲ’ କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଲେଶ୍ଵର(ଶେଖ୍ ନଜିମ୍):- ବସ୍ତିରେ ରହୁଥିବା ପିଲା ମାନଙ୍କଠାରେ ଲୁକ୍କାୟିତ କଳା ପ୍ରତିଭାକୁ ସମସ୍ତଙ୍କ ସାମ୍ନାକୁ ଆଣିବା ଉଦ୍ଦେଶ୍ୟ ନେଇ ଯୁବ ବିକାଶ ଫାଉଣ୍ଡେସନ ଆନୁକୁଲ୍ୟରେ ‘ଧୁଲ କେ ଫୁଲ- ୨୦୨୪’ କାର୍ଯ୍ୟକ୍ରମର ପ୍ରଥମ ଅଡିସନ ତଥା ପ୍ରତିଯୋଗିତା ବାଲେଶ୍ଵର ମ୍ୟୁନିସିପାଲିଟି ଅନ୍ତର୍ଗତ ୩ ନଂ ୱାର୍ଡ ସୁନହଟ ଗ୍ରାମର କନକ ଦୁର୍ଗା ମଣ୍ଡପରେ ଆୟୋଜିତ ହୋଇଯାଇଛି। ଏହି ଅଡିସନ କାର୍ଯ୍ୟକ୍ରମରେ ୱାର୍ଡ ନମ୍ବର ୨, ୩ ଏବଂ ୪ର ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ସଂଗୀତ, ନୃତ୍ୟ ଏବଂ ଚିତ୍ରାଙ୍କନରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ପ୍ରତିଯୋଗିତା ଶେଷରେ ଯୁବ ବିକାଶ ତରଫରୁ ଧୁଲ କେ ଫୁଲର ଟିମ ମୁଖ୍ୟ ପ୍ରଶାନ୍ତ କୁମାର ପଟେଲଙ୍କ ସଭାପତିତ୍ୱରେ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ୩ ନଂ ୱାର୍ଡର କାଉନସିଲର ରୋଜାଲିନ ପାଣି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ କନକ ଦୁର୍ଗାପୂଜା କମିଟିର ସଭାପତି କାହ୍ନୁଚରଣ ଦାସ, ସଂପାଦକ ଶକ୍ତି ଗୋପାଲ ଆଚାର୍ଯ୍ୟ, ସଦସ୍ୟ ମଦନ ମୋହନ ଦାସ, ରାମଚନ୍ଦ୍ର ସାମନ୍ତରାୟ, ସନ୍ତୋଷ ଦାସ, ଜୟ ବାରିକ ସହିତ ଯୁବ ବିକାଶର ଅସିତ ଦଳାଇ ଉପସ୍ଥିତ ଥିଲେ। ଶେଷରେ ସଂଗଠନର ନିର୍ଦ୍ଦେଶକ ନିହାର ରଞ୍ଜନ ଓଝା ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିବା ସହିତ ବିଚାରକ ଭାବେ ଯୋଗ ଦେଇଞ୍ଚା କଣ୍ଠଶିଳ୍ପୀ ବିକାଶ ଚନ୍ଦ୍ର, କଣ୍ଠଶିଳ୍ପୀ କମଲ କୁମାର ମଲିକ, ନୃତ୍ୟ ଶିକ୍ଷକ ଅଭୟ ସାହୁ, ରାକେଶ ଦାସ, ଚିତ୍ରଶିଳ୍ପୀ ଅଶୋକ ଦାସ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଯୁବ ବିକାଶର ସମ୍ବିତ ଖୁଣ୍ଟିଆ, ଚୁମକି ମାଝୀ, ଲକ୍ଷ୍ମୀପ୍ରିୟା ମାର୍ଣ୍ଡି, ସୁବାସ ଖୁଣ୍ଟିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କନକ ଦୁର୍ଗାପୂଜା କମିଟିର ସଦସ୍ୟମାନେ ସହଯୋଗ କରିଥିଲେ।