ଲାଞ୍ଜିଗଡ଼ରେ ପରିମଳ ବ୍ୟବସ୍ଥାର ବିକଳ ଚିତ୍ର ..
ଲାଞ୍ଜିଗଡ଼(ପୁରନ୍ଦର ଦଣ୍ଡସେନା) ଲାଞ୍ଜିଗଡ଼ର ପରିମଳ ବ୍ୟବସ୍ଥାକୁ ନେଇ ବାରମ୍ବାର ପ୍ରଶ୍ନ ଉଠା ଯାଉଛି ଏବଂ ଖବର ମଧ୍ୟ ପ୍ରକାଶ କରାଯାଉଛି l କିନ୍ତୁ ଅବସ୍ଥାରେ କୌଣସି ସୁଧାର ଆସୁନାହିଁ l ଦୀର୍ଘ ବର୍ଷ ହେଲା ଯଥା ପୂର୍ବଂ ତଥା ପରଂ l ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଯୋଗୁଁ ଲୋକେ ଅତିଷ୍ଠ ଏବଂ ପ୍ରଦୂଷଣ ମଧ୍ୟ ବଢ଼ି ଚାଲିଛି l ଯେଉଁ ଆଡ଼େ ଦେଖ, ଅଳିଆ ଆବର୍ଜନା କୁଢ଼ କୁଢ଼ ହୋଇ ପଡ଼ିରହିଛି l ମୁଖ୍ୟ ରାସ୍ତା ଉପରେ ନର୍ଦ୍ଦମା ଜଳ ବହିଚାଲିଛି lଆଉ ସେ ନର୍ଦ୍ଦମା ଜଳର ବହିବାର ବିରାମ ନାହିଁ l ମହାନଦୀର ଜଳ ହୁଏତ ଖରାଦିନେ ଶୁଖି ଯାଇପାରେ,କିନ୍ତୁ ଲାଞ୍ଜିଗଡ଼ ମୁଖ୍ୟ ରାସ୍ତାରେ ବହି ଯାଉଥିବା ନର୍ଦ୍ଦମା ଜଳ କେବେ ବି ଶୁଖେ ନାହିଁ l ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଛୋଟ ବଡ଼ ଗାଡ଼ି ଏବଂ ହଜାର ହଜାର ଲୋକ ଯାତାୟାତ କରିଥାନ୍ତି l ଜନ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ କର୍ମଚାରୀ ଓ ବେଦାନ୍ତ ଆଲୁମିନାର କର୍ମଚାରୀ ମାନେ ପ୍ରତିଦିନ ଏଇ ରାସ୍ତା ଉପର ଦେଇ ଯିବା ଆସିବା କରିଥାନ୍ତି, କିନ୍ତୁ କେହି ହେଲେ ଏ ଉତ୍କଟ ସମସ୍ୟା ପ୍ରତି ଦୃଷ୍ଟି ଦେଇ ନ ଥାନ୍ତି l ଦୁର୍ଗନ୍ଧରେ ନାକ ଫାଟି ପଡୁଥିବା ଯୋଗୁଁ ଚାଲି ଯାଉଥିବା ଲୋକେ ନାକରେ ଲୁଗା ମାଡ଼ି ଚାଲି ଯାଆନ୍ତି l ଏ ସମସ୍ୟାର ସମାଧାନ ଦିଗରେ ନା ପଞ୍ଚାୟତ ସ୍ତରରେ କିମ୍ବା ସରକାରୀ ସ୍ତରରେ ହୋଇପାରୁଛି ନା ବେଦାନ୍ତ କମ୍ପାନୀ କିଛି କରୁଛି l ପାରିପାର୍ଶ୍ଵିକ ବିକାଶର ଡିଣ୍ଡିମ ପିଟୁଥିବା ବେଦାନ୍ତ କମ୍ପାନୀ ଏ ବିଷୟରେ ସ୍ଥାଣୁ ପାଲଟି ଯାଇଛି l ଦୀପ ତଳ ଅନ୍ଧାର ଭଳି ଲାଞ୍ଜିଗଡ଼ରେ ଥିବା ବେଦାନ୍ତ କମ୍ପାନୀ ଲାଞ୍ଜିଗଡ଼କୁ ହିଁ ଅତ୍ୟନ୍ତ ଅବହେଳିତ ଅବସ୍ଥାରେ ଛାଡ଼ି ଦେଇଛି l ଅନେକ ସମସ୍ୟା ଘେରରେ ରହିଥିଲେ ମଧ୍ୟ ଲାଞ୍ଜିଗଡ଼ ପ୍ରତି ସରକାରଙ୍କର କିମ୍ବା ବେଦାନ୍ତ କମ୍ପାନୀର ସୁଦୃଷ୍ଟି ପଡୁନାହିଁ l ତେଣୁ ଏ ଅଞ୍ଚଳର ଜନସାଧାରଣଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଉଛି ଏବଂ ଆଗାମୀ ଯେ କୌଣସି ସମୟରେ ଏହା ଆନ୍ଦୋଳନର ରୂପ ନେଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳେ l