November 9, 2026

ଅର୍ଣ୍ଣବ ବାତ୍ୟା ବିପନ୍ନଙ୍କ ପାଖରେ ଠିଆ ହେଲା ଓଡ଼ିଶା ମନରେଗା ଶ୍ରମିକ ୟୁନିଅନ

IMG-20261109-WA0079
Share

ଆସିକା ଓ ଧରାକୋଟ ବ୍ଲକ୍‌ର ବିଭିନ୍ନ ଗାଁରେ ରିଲିଫ୍ ସାମଗ୍ରୀ ବଣ୍ଟନ – ଶ୍ରମିକ ଏକତା ଓ ମାନବିକତାର ନିଆରା ଉଦାହରଣ

ଆସିକା, ୯ ନଭେମ୍ବର ୨୦୨୬:

ଅର୍ଣ୍ଣବ ବାତ୍ୟାର ଭୟଙ୍କର ତାଣ୍ଡବରେ ଓଡ଼ିଶାର ଅନେକ ଅଞ୍ଚଳରେ ଜନଜୀବନ ଗୁରୁତର ଭାବେ ବିପର୍ଯ୍ୟସ୍ତ ହୋଇପଡ଼ିଛି। ହଜାର ହଜାର ଗରିବ ଓ ଶ୍ରମଜୀବୀ ପରିବାରଙ୍କ ଘରଦ୍ୱାର, ଜୀବନ ଓ ଜୀବିକା ଉପରେ ବାତ୍ୟା ଓ ପରବର୍ତ୍ତୀ ବନ୍ୟାର ଭୟାବହ ପ୍ରଭାବ ପଡ଼ିଛି। ଅନେକ ପରିବାର ନିଜର ଜୀବନବ୍ୟାପୀ ସଞ୍ଚିତ ସମ୍ପତ୍ତି ହରାଇ ଖାଦ୍ୟ, ବସ୍ତ୍ର ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଅଭାବ ମଧ୍ୟରେ ଦୁର୍ଦ୍ଦିନ କାଟୁଛନ୍ତି। ଏଭଳି ଏକ ସଙ୍କଟଜନକ ସମୟରେ ବିପନ୍ନ ଲୋକଙ୍କ ପାଖରେ ଠିଆ ହୋଇ ସହଯୋଗର ହାତ ବଢ଼ାଇଛି ଓଡ଼ିଶା ମନରେଗା ଶ୍ରମିକ ୟୁନିଅନ।

ସିପିଆଇ (ଏମ୍-ଏଲ୍) ରେଡ୍ ଷ୍ଟାରର ନେତୃତ୍ୱରେ ୟୁନିଅନର କର୍ମୀମାନେ ବାତ୍ୟା ପ୍ରଭାବିତ ବିଭିନ୍ନ ଗାଁ ପରିଦର୍ଶନ କରି କ୍ଷୟକ୍ଷତିର ଅନୁଧ୍ୟାନ କରିବା ସହ ଅତ୍ୟଧିକ କ୍ଷତିଗ୍ରସ୍ତ ଗରିବ ଓ ଶ୍ରମଜୀବୀ ପରିବାରଗୁଡ଼ିକୁ ଚିହ୍ନଟ କରିଥିଲେ। ବିପନ୍ନଙ୍କ ତୁରନ୍ତ ଆବଶ୍ୟକତାକୁ ଗୁରୁତ୍ୱ ଦେଇ ସେମାନଙ୍କ ନିକଟରେ ରିଲିଫ୍ ସହାୟତା ପହଞ୍ଚାଇବା ପାଇଁ ୟୁନିଅନ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା।

ୟୁନିଅନର ନେତ୍ରୀ ପି. ପାର୍ବତୀ ଓ ଯଶୋଦା ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ବିପନ୍ନ ପରିବାରଙ୍କୁ ସହାୟତା ପ୍ରଦାନ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହାପରେ ୟୁନିଅନର କର୍ମୀମାନେ ଘରକୁ ଘର ବୁଲି ଶ୍ରମିକ ପରିବାର, ଶୁଭେଚ୍ଛୁ ଓ ସହୃଦୟ ବ୍ୟକ୍ତିମାନଙ୍କୁ ଏହି ମାନବିକ ଉଦ୍ୟମରେ ସାମିଲ ହେବାକୁ ନିବେଦନ କରିଥିଲେ।

ଏହି ଆହ୍ୱାନରେ ସାମିଲ ହୋଇ ଶ୍ରମିକ ପରିବାର ଓ ଶୁଭେଚ୍ଛୁମାନେ ନିଜ ନିଜ ସାମର୍ଥ୍ୟ ଅନୁଯାୟୀ ନୂଆ ଲୁଗା, ଲୁଙ୍ଗି, ବିଭିନ୍ନ ପୋଷାକ, ଆର୍ଥିକ ସହାୟତା, ବିସ୍କୁଟ ଓ ଅନ୍ୟାନ୍ୟ ଶୁଖିଲା ଖାଦ୍ୟ ସାମଗ୍ରୀ ଯୋଗାଇ ଦେଇଥିଲେ। ଏହି ସହଯୋଗ ଶ୍ରମଜୀବୀ ଲୋକଙ୍କ ମଧ୍ୟରେ ଥିବା ପାରସ୍ପରିକ ସମ୍ବେଦନଶୀଳତା ଓ ସହଯୋଗୀ ମନୋଭାବର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ।

ଆଜି ଆସିକା ଓ ଧରାକୋଟ ବ୍ଲକ୍‌ର ବିଭିନ୍ନ ବାତ୍ୟା ପ୍ରଭାବିତ ଅଞ୍ଚଳରେ ସଂଗୃହୀତ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଥିଲା। ନବରତ୍ନପୁର, ମାଗୁରାପଲ୍ଲୀ, ଜାହାଡ଼ା, ଗଣ୍ଡପଲ୍ଲୀ, କେ. ରାଇସିଂପୁର ଏବଂ ଆସିକାର ପରିବା ମହାଲକ୍ଷ୍ମୀ ବ୍ୟବସାୟୀମାନଙ୍କ ସମେତ ବାତ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କୁ ଏହି ସହାୟତା ପହଞ୍ଚାଯାଇଥିଲା।

ଏହି ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମରେ ସି.ପି.ଆଇ (ଏମ୍-ଏଲ୍) ରେଡ୍ ଷ୍ଟାର ରାଜ୍ୟ ସମ୍ପାଦକ ଶଙ୍କର ଇନକିଲାବ, ଓଡ଼ିଶା ମନରେଗା ଶ୍ରମିକ ୟୁନିଅନର ରାଜ୍ୟ ସମ୍ପାଦିକା ପି. ପାର୍ବତୀ, ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନର ଜିଲ୍ଲା ସମ୍ପାଦକ ରାମଚନ୍ଦ୍ର ବାଡ଼ତ୍ୟା, ଯଶୋଦା ନାୟକ, ଭାଣ୍ଡି ଚନ୍ଦ୍ରମଣି, ରମେଶ ନାୟକ, ରବିନ୍ଦ୍ର ମାହାରାଣା, ପ୍ରଫୁଲ୍ଲ ନାୟକ, ଲକ୍ଷ୍ମୀ ନାୟକ, ଏନ୍. ରାଜେଶ୍ୱରୀ, ଅଶୋକ ଦାଶ, ନୟନୀ ନାୟକ, କୁମାରୀ ନାୟକ, ଭାଗ୍ୟ ନାୟକ ଓ ବର୍ଷା ଦାଶଙ୍କ ସମେତ ୟୁନିଅନର ଅନ୍ୟାନ୍ୟ କର୍ମୀମାନେ ସକ୍ରିୟ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।

ୟୁନିଅନ ପକ୍ଷରୁ କୁହାଯାଇଛି ଯେ, “ଅର୍ଣ୍ଣବ ବାତ୍ୟାରେ ସର୍ବସ୍ୱ ହରାଇଥିବା ବିପନ୍ନ ପରିବାରଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଏକ ଛୋଟିଆ ପ୍ରୟାସ କରିଛୁ। ଏହି ବିପଦ ସମୟରେ କେବଳ ସରକାରୀ ସହାୟତାକୁ ଅପେକ୍ଷା ନକରି ସମାଜର ସଚେତନଶୀଳ ନାଗରିକ, ଆର୍ଥିକ ସ୍ୱଚ୍ଛଳ ବର୍ଗ ଓ ସମସ୍ତ ସହୃଦୟ ବ୍ୟକ୍ତି ବିପନ୍ନ ଲୋକଙ୍କ ପାଖରେ ଠିଆ ହୋଇ ସହଯୋଗର ହାତ ବଢ଼ାନ୍ତୁ।”

ୟୁନିଅନ ଆହୁରି କହିଛି ଯେ, ଶ୍ରମିକଙ୍କ ଅଧିକାର ପାଇଁ ସଂଘର୍ଷ ଓ ଶ୍ରମିକ ଏକତା ଗଢ଼ିବା ସହିତ ବିପଦ ଓ ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କ ପାଖରେ ଠିଆ ହେବା ମଧ୍ୟ ଏକ ସାମାଜିକ ଦାୟିତ୍ୱ। ଶ୍ରମିକଙ୍କ ଏକତା କେବଳ ଅଧିକାର ଆଦାୟରେ ସୀମିତ ନୁହେଁ; ବରଂ ପରସ୍ପରର ଦୁଃଖ, ଯନ୍ତ୍ରଣା ଓ ସଙ୍କଟରେ ସାଥୀ ହେବାରେ ଏହାର ପ୍ରକୃତ ମହତ୍ତ୍ୱ ରହିଛି।

ବିପନ୍ନଙ୍କ ଦୁଃଖ ଦୂର ନହେବା ପର୍ଯ୍ୟନ୍ତ ଏହି ସହଯୋଗ ଓ ସଂହତିର ଧାରା ଜାରି ରହିବ। ଅର୍ଣ୍ଣବ ବାତ୍ୟାରେ କ୍ଷତିଗ୍ରସ୍ତ ଜନସାଧାରଣଙ୍କ ପୁନର୍ବାସ, ଜୀବିକାର ପୁନରୁଦ୍ଧାର ଓ ଜୀବନକୁ ସ୍ୱାଭାବିକ କରିବା ପାଇଁ ସମସ୍ତ ସଚେତନ ଜନଗଣଙ୍କୁ ଆଗେଇ ଆସିବାକୁ ଓଡ଼ିଶା ମନରେଗା ଶ୍ରମିକ ୟୁନିଅନ ଆହ୍ୱାନ ଜଣାଇଛି।

ସହଯୋଗ ହିଁ ମାନବିକତା, ଏକତା ହିଁ ଶକ୍ତି।

You may have missed