ଶିଶୁ ମନ୍ଦିରରେ ଜେଜେବାପା ଜେଜେମା ସମ୍ମିଳନୀ

ବୁଗୁଡ଼ା : ତା ୦୯/୧୧/୨୫ : ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ବପରିସରରେ ଜେଜେବାପା ଜେଜେମା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା ଚାଳନା ସମିତି ସଭାପତି ପ୍ରମୋଦ ଚନ୍ଦ୍ର ସେନାପତିଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଜିଲ୍ଲା ଶିକ୍ଷାଧିକାରୀ ରଘୁନାଥ ସାହୁ ଏବଂ ସମ୍ମାନିତ ଅତିଥି ଭାବେ ଶିଶୁ ମନ୍ଦିର ସମ୍ପାଦକ ବିଶ୍ବ ମୋହନ ମିଶ୍ର ଯୋଗ ଦେଇ ନାତିନାତୁଣୀଙ୍କ ଅନୁରୋଧ ରକ୍ଷା କରି ଉପସ୍ଥିତ ଥିବା ଜେଜେ ବାପାମାଆଙ୍କୁ ସାଧୁବାଦ ଜଣାଇ ସେମାନଙ୍କ ଦିଗଦର୍ଶନ ହିଁ ନାତିନାତୁଣୀଙ୍କ ଉତ୍ତମ ଭବିଷ୍ୟତ ନିର୍ମାଣରେ ସହାୟକ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ଉକ୍ତ ସମ୍ମିଳନୀରେ ଶିକ୍ଷା ବିକାଶ ସମିତିର ଆଧାର ସ୍ତର ଅନ୍ତର୍ଗତ ଶିଶୁ ବାଟିକାର ଅରୁଣ, ଉଦୟ, ପ୍ରଭାତ ସମେତ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀରେ ଅଧ୍ୟୟନରତ ଶିଶୁଙ୍କ ଶତାଧିକ ଜେଜେ ବାପାମାଆ ଯୋଗ ଦେଇଥିବା ବେଳେ ଏ ଅବସରରେ ନାତିନାତୁଣୀଙ୍କ ଅନାବିଳ ସ୍ନେହ ହିଁ ପୌଢାବସ୍ଥାରେ ଜେଜେ ବାପାମାଙ୍କୁ ଖୁସି ଦେଇଥାଏ ବୋଲି ମତ ପ୍ରକାଶ ପାଇଥିଲା । ଏ ଅବସରରେ ପ୍ରଶ୍ନମଞ୍ଚ କାଳାଂଶ ସାଙ୍ଗକୁ ଜେଜେବାପାମାଆଙ୍କୁ ଉତ୍ସାହିତ କରିବା ପାଇଁ ଶିଶୁଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଗୁରୁମା ସସ୍ମିତା ରାଉତଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରୀ ସ୍ନେହାରାଣୀ ପରିଡା ଅମୃତ ବଚନ ପ୍ରଦାନ କରିଥିଲା ବେଳେ ପ୍ରାରମ୍ଭରେ ପ୍ରଧାନାଚାର୍ଯ୍ୟ ଆଟଲ ଲିଙ୍ଗରାଜ ଅତିଥି ପରିଚୟ ପ୍ରଦାନ ଏବଂ ପରିଶେଷରେ ଆଚାର୍ଯ୍ୟ ପ୍ରତିନିଧି ଗୁରୁମା ସୁମତି ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଶିଶୁ ମନ୍ଦିରର ସେବାବ୍ରତୀମାନେ ସକ୍ରିୟ ସହଯୋଗ କରିଥିଲେ ।
