ଅବହେଳିତ ଗ୍ରାମ ମିଞ୍ଜା..

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) ଓଡିଶାର ସର୍ବାଧିକ ପଛୁଆ ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ପାପଡ଼ାହାଣ୍ଡି ବ୍ଲକ ଅଧିନସ୍ଥ ନାକଟିଗୁଡା ଗ୍ରାମ ପଞ୍ଚାୟତର ବଣ ଜଙ୍ଗଲ ଘେରା ମିଞ୍ଜା ଗ୍ରାମଟି ସମ୍ପୂର୍ଣ ଅବହେଳିତ ଅଟେ।ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ଗ୍ରାମବାସୀ ବିକାଶର ମୁହଁ ଦେଖିନାହାନ୍ତି।ଏହି ଗ୍ରାମ ପ୍ରତି ସରକାର କିମ୍ବା କୌଣସି ସରକାରୀ ବାବୁଙ୍କ ତଥା କୌଣସି ଗଣମାଧ୍ୟମର ଦୃଷ୍ଟି ଆଜି ପର୍ଯ୍ୟନ୍ତ ପଡ଼ିନାହିଁ।ଯାହା ଫଳରେ ଗ୍ରାମବାସି ବିଭିନ୍ନ ମୌଳିକ ସୁବିଧା ଗୁଡ଼ିକରୁ ବଞ୍ଚିତ ହୋଇ ଆସୁଛନ୍ତି।ବିକାଶ ନାମରେ ଚାଲିଛି କେବଳ ଜଙ୍ଗଲ ଧ୍ବଂସ।ଲୋକେ ଦିନ ଦ୍ବିପ୍ରହରରେ ଗଛ ଗୁଡିକ କାଟି ନେଇଯାଇ ଜଙ୍ଗଲ ସଫା କରୁଥିବା ବେଳେ ଜଙ୍ଗଲ ବିଭାଗର ନିଦ୍ରାଭଙ୍ଗ ହେଉନାହିଁ।ଏପଟେ ମିଞ୍ଜା ଗ୍ରାମରେ ଦିନରାତି ଖୋଲାଖୋଲି ମଦ କାରବାର ଓ ସ୍ଥାନୀୟ ଅବକାରୀ ବିଭାଗ ନିଜର କର୍ତ୍ତବ୍ୟ ପାଳନ ପୂର୍ବକ ନାମମାତ୍ର ଧରପଗଡ କରେ।ଯାହା ଫଳରେ ସମ୍ପୂର୍ଣ ଗ୍ରାମ ମଦୁଆଙ୍କ ଅଡ୍ଡାସ୍ଥଳି ପାଲଟି ଯାଇଛି। ସେଥିଯୋଗୁଁ ବିଭିନ୍ନ ସମୟରେ ଅପରାଧମାନ ଘଟିଥାଏ।ମାଆ ଭଉଣୀ ମାନେ ଏଠି ନିଜକୁ ସୁରକ୍ଷିତ ମଣୁନାହାନ୍ତି।ଏହାବାଦ ଭାରତ ସରକାରଙ୍କ ସ୍ଵଚ୍ଚ ଭାରତ ଅଭିଯାନ ଏଠାରେ ସମ୍ପୂର୍ଣ ଫେଲ ମାରିଛି।ଗ୍ରାମର ଯେଉଁ ଆଡେ ଗଲେ କେବଳ ଗଦାଗଦା ଅଳିଆ ପଡ଼ିଥିବା ଦେଖିବାକୁ ମିଳେ।ସ୍ଥାନୀୟ ପଞ୍ଚାୟତ ସମିତିର ସମସ୍ତ ସଦସ୍ୟ ବିରୋଧୀ ଦଳର ହୋଇଥିବାରୁ ବୋଧହୁଏ ଏଥିପ୍ରତି କୌଣସି ଦୃଷ୍ଟି ଦେଉନାହାନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।ଏହାଛଡା ଜଳଯୋଗାଣ ନାମରେ ଗ୍ରାମରେ ଏକ ପାଣିଟାଙ୍କି ନିର୍ମାଣ ହୋଇ କେତେ ବର୍ଷ ବିତିଗଲାଣି କିନ୍ତୁ ଜଳ ଯୋଗାଣର ଶୁଭାରମ୍ଭ ଏପର୍ଯ୍ୟନ୍ତ ହୋଇପାରିନାହିଁ।ଯାହା ଫଳରେ ଗରିବ ଗ୍ରାମବାସୀ ନିହାତି ପୁରୁଣା କଳଙ୍କି ଲାଗିଯାଇଥିବା ମାତ୍ର ଗୋଟିଏ ଦୁଇଟି ଥିବା ନଳକୂପରୁ ଦୂଷିତ ଜଳ ବ୍ୟବହାର କରିବାପାଇଁ ବାଧ୍ୟ ହେଉଛନ୍ତି।ମିଞ୍ଜା ଗ୍ରାମବାସି ଏଠାରୁ ପ୍ରାୟ ୭ କି.ମି ଦୂରରେ ଥିବା ପାପଡାହାଣ୍ଡି ଗ୍ରାମ ଉପରେ ସମ୍ପୂର୍ଣ ନିର୍ଭରଶୀଳ ଅଟନ୍ତି।କିନ୍ତୁ ଏହି ରାସ୍ତାଟି ଖାଲ ଖମାର ଗିଟି ପଥରରେ ଭରପୁର ହୋଇଥିଲା। ଏହି ରାସ୍ତାଟି ସମ୍ପୂର୍ଣ ଜଙ୍ଗଲ ମଧ୍ୟଦେଇ ଗତି କରୁଛି ଏବଂ ଏହି ଜଙ୍ଗଲ ଟି ଭାଲୁ ପ୍ରବଣ ହୋଇଥିବାରୁ ଲୋକେ ଅନେକ ସମୟରେ ଭାଲୁ ଆକ୍ରମଣର ଶିକାର ହୋଇଥାନ୍ତି।ତେଣୁ ଏହି ରାସ୍ତା ଶୀଘ୍ର ମରାମତି ପାଇଁ ମିଞ୍ଜା ଗ୍ରାମ ତଥା ଆଖପାଖର ଗ୍ରାମବାସି ଦାବି କରିଆସୁଥିଲେ।ଏହା ପରେ ପ୍ରଶାସନର ଏହି ଦାବି ଉପରେ କରୁଣା ଦୃଷ୍ଟି ପଡିବାରୁ ରାସ୍ତାଟି ତିଆରି ହେଲା।କିନ୍ତୁ ହାସ୍ୟାସ୍ପଦର କଥା ହେଲା ରାସ୍ତାଟି ତିଆରି ହୋଇ ମାସେ ନପୂରୁଣୁ ରାସ୍ତା ଉପରେ ଘାସ ଉଠିବା ଆରମ୍ଭ ହେଲାଣି।ଏହି ରାସ୍ତାରେ ନାମମାତ୍ର ପିଚୁ ପକାଯାଇ ନିର୍ମାଣ କରାଯାଇଛି।ଏନେଇ ଗ୍ରାମବାସି ଖୁସି ହେବା ଛାଡି ରାସ୍ତାର ସ୍ଥାୟିତ୍ୱକୁ ନେଇ ଚିନ୍ତାରେ ଅଛନ୍ତି। ଏତଦ୍ ବ୍ୟତୀତ ଶିକ୍ଷା ନାମରେ ଏହି ଗ୍ରାମରେ ଏକ ପ୍ରାଥମିକ ବିଦ୍ୟାଳୟ ଅଛି। କିନ୍ତୁ ଏଠାରେ ପାଠ ପଢ଼ା ନାମ ମାତ୍ର ଅଟେ।ଏହା ଏକ ବିଦ୍ୟାଳୟ କି ଭୋଜନାଳୟ କିଛି ଜଣାପଡ଼େନାହିଁ।ଏହି ଅବହେଳିତ ଗ୍ରାମର ଏସବୁ ସମସ୍ୟାର ଶୀଘ୍ର ସମାଧାନ ପାଇଁ ଗ୍ରାମର କିଛି ବୁଦ୍ଧିଜୀବୀ ଦାବି ଜଣାଇଛନ୍ତି।ଯଦି ଦାବି ଶୀଘ୍ର ପୂରଣ ନହୁଏ ତେବେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସି।