July 1, 2024

ଆଜି ମୋଦି ନେବେ ଶପଥ:ସାଥିରେ ୫୨ ରୁ ୫୫ ମନ୍ତ୍ରୀ ଶପଥ ନେବା ସମ୍ଭାବନା

Share

ନୂଆଁଦିଲ୍ଲୀ:(ଡା.ରାଜାରାମ ଷଡଙ୍ଗୀ): ଆଜି ତୃତୀୟ ପାଳି ପାଇଁ ବିଶ୍ୱର ସବୁଠୁ ଲୋକପ୍ରିୟ ନେତା ନରେନ୍ଦ୍ର ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ।ଏହି ନବ ଗଠିତ ମନ୍ତ୍ରୀ ମଣ୍ଡଳରେ ୫୨ ରୁ ୫୫ ନୂତନ ମନ୍ତ୍ରୀ ମଧ୍ୟ ସାମିଲ ହେବାର ସମ୍ଭାବନା ରହିଛି।ଅର୍ଥାତ୍ ଆଜିଠୁ ନରେନ୍ଦ୍ର ମୋଦିଙ୍କ ତୃତୀୟ ଇନିଂସ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ସନ୍ଧ୍ୟା ୭ଟା ୧୫ରେ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିପାଇଁ ରାଷ୍ଟ୍ରପତି ଭବନରେ ହୋଇଛି ଭବ୍ୟ ଆୟୋଜନ । ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ମୋଦି ଶପଥ ନେବାକୁ ଥିବା ବେଳେ, ତାଙ୍କ ସହ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିବେ ।

ଏହି ଶପଥ ଉତ୍ସବରେ ସାମିଲ ହେବେ ୭ ପଡ଼ୋଶୀ ଏବଂ ଭାରତ ମହାସାଗର କ୍ଷେତ୍ର ଅନ୍ତର୍ଗତ ଦେଶର ଶୀର୍ଷ ନେତା।ଏମାନଙ୍କ ସମେତ ପ୍ରାୟ ୮ ହଜାର ଅତିଥି ମଧ୍ୟ ଶପଥ ପାଠ ଉତ୍ସବରେ ଭାରତୀୟ ଅତିଥି ଭାବେ ଯୋଗଦେବେ।ପଡ଼ୋଶୀ ପ୍ରଥମ ନୀତିକୁ ଆଧାର କରି ସମ୍ମାନୀୟ ଶୀର୍ଷ ନାଗରୀକଙ୍କୁ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ନିମନ୍ତ୍ରଣ କରାଯାଇଛି। ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସମେତ କିଛି ଅତିଥି ଦିଲ୍ଲୀରେ ପହଞ୍ଚି ସାରିଛନ୍ତି।

ଆୟୋଜନ ହେବାକୁ ଥିବା ଶପଥ ଉତ୍ସବରେ ସେଣ୍ଟ୍ରାଲ୍ ଭିଷ୍ଟା ଶ୍ରମିକ, ସଫେଇ କର୍ମଚାରୀ, ବନ୍ଦେ ଭାରତ ଟ୍ରେନ କର୍ମଚାରୀ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ସମାରୋହ ପାଇଁ ରାଜଧାନୀ ଦିଲ୍ଲୀ ଆଜି ଚଳଚଞ୍ଚଳ ହୋଇଛି। ସିସି ଟିଭି ନଜରରେ କର୍ତ୍ତବ୍ୟପଥ ରହିଥିବା ବେଳେ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।ଏଥିପାଇଁ ବିଭିନ୍ନ ବିଭାଗୀୟ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହିତ, ଦିଲ୍ଲୀ ଏନସିଆରକୁ ଦୁଇ ଦିନ ପାଇଁ ନୋ-ଫ୍ଲାଏ ଜୋନ୍ ଭାବେ ଘୋଷଣା କରାଯାଇଛି । ବିଶ୍ୱର ୬ ରାଷ୍ଟ୍ରମୁଖ୍ୟ ଶପଥ ସମାରୋହ ସାମିଲ ହେବେ । ବାଙ୍ଗଲାଦେଶ ସମେତ ଶ୍ରୀଲଙ୍କା ରାଷ୍ଟ୍ରପତି, ମାଳଦୀପ ରାଷ୍ଟ୍ରପତି, ନେପାଳ, ଭୁଟାନ ଓ ମରିସସ୍ ରାଷ୍ଟ୍ର ମୁଖ୍ୟ ଭାରତ ଆସୁଛନ୍ତି ଏହି ଉତ୍ସବରେ ଯୋଗଦେବା ପାଇଁ ।

ଅନ୍ୟ ପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ କିଏ ସବୁ ମନ୍ତ୍ରୀ ଆଜି ଶପଥ ନେବେ ସେଥିପାଇଁ ସାରାଭାରତ କାହିଁକି ବିଶ୍ୱ ସ୍ତରୀୟ ନେତା ମଧ୍ୟ ଚାହିଁ ବସିଛନ୍ତି।ଯାହା ଅନୁମାନ ହେଉଛି ବିଜେପିର ଦୁଇ ବଡ଼ ସହଯୋଗୀ ଟିଡିପି ୨ରୁ ୩, ଜେଡିୟୁ ରୁ ୨ରୁ ୩ ମନ୍ତ୍ରୀ ରହିପାରନ୍ତି।ଅବଶ୍ୟ ବାଚସ୍ପତି ପଦକୁ ନେଇ ଜେଡିୟୁ-ଟିଡିପି ଓ ବିଜେପି ମଧ୍ୟରେ ଟଣାଓଟରା ପରିସ୍ଥିତି ସୃ୍ଷ୍ଟି ହେଉଥିଲେ ମଧ୍ୟ ପ୍ରାୟତଃ ସଦ୍ୟ ବିଜେଡିରୁ ବିଜେପିରେ ଯୋଗଦେଇ କଟକ ଲୋକସଭା ଆସନରୁ ନିର୍ବାଚିତ ହୋଇଥିବା ଭର୍ତ୍ତୁହରି ମହତାବ ଙ୍କ ଭଳି ନିର୍ବିବାଦୀୟ ନେତା ବାଚସ୍ପତି ହେବେ ଏହା ଏକ ପ୍ରକାର ନିଶ୍ଚିତ ଜଣାପଡୁଛି।କାରଣ ବିଜେପି ବାଚସ୍ପତି ଭଳି ସମ୍ମାନୀୟ ପଦ ସହ ଗୃହ, ପ୍ରତିରକ୍ଷା, ଅର୍ଥ ଏବଂ ବୈଦେଶିକ ବ୍ୟାପର ବିଭାଗ ଅନ୍ୟ କାହାକୁ ଛାଡିନପାରେ। ସମୀକରଣ ଦୃଷ୍ଟିରୁ ଆନ୍ଧ୍ରପ୍ରଦେଶ, ବିହାର, ମହାରାଷ୍ଟ୍ର, ଓଡ଼ିଶାକୁ ମନ୍ତ୍ରୀମଣ୍ଡଳରେ ଗୁରୁତ୍ୱ ଦିଆଯିବା ସମ୍ଭାବନା ରହୁଛି ।

ଯାହା ଜଣା ପଡୁଛି ମୋଦିଙ୍କ ସହ ପ୍ରାୟ ୫୨ରୁ ୫୫ ଜଣ ମନ୍ତ୍ରୀ ଶପଥ ନେଇପାରନ୍ତି।ଏଥିରେ ୧୯ରୁ ୨୨ ଜଣ କ୍ୟାବିନେଟ୍ ମନ୍ତ୍ରୀ ଓ ୩୩ରୁ ୩୫ ଜଣ ରାଷ୍ଟ୍ରମନ୍ତ୍ରୀ ରହିବା ସମ୍ଭାବନା ରହୁଛି।ବିଶ୍ୱସ୍ଥ ସୂତ୍ରରୁ ମିଳୁଥିବା ସୂଚନା ଅନୁଯାୟୀ ଟିଡିପି, ଜେଡିୟୁ, ଏଲଜେପି, ଆରଏଲଡି, ଜନସେନା, ଜେଡିଏସ ଓ ଅପନା ଦଳ ଏନଡିଏର ସହଯୋଗୀ ଭାବେ ସରକାରରେ ସାମିଲ ହୋଇପାରନ୍ତି । ଚର୍ଚ୍ଚା ଏହା ବି ଯେ, ଟିଡିପିକୁ ଗୋଟିଏ କ୍ୟାବିନେଟ, ଦୁଇଟି ରାଷ୍ଟ୍ରମନ୍ତ୍ରୀ, ଜେଡିୟୁକୁ ଗୋଟିଏ କ୍ୟାବିନେଟ, ଶିବସେନା, ଏଲଜେପି, ଆରଏଲଡି ଏବଂ ଏନସିପିକୁ ଗୋଟିଏ ମନ୍ତ୍ରୀ ପଦ ଦେଇ ସରକାରରେ ସାମିଲ କରାଯାଇପାରେ।ସେହିପରି କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଓଡ଼ିଶାକୁ ଅଧିକ ପ୍ରାଧାନ୍ୟ ମିଳିବ । କାରଣ ପ୍ରଥମଥର ଓଡ଼ିଶାର ବିଜେପି ଶ୍ରେଷ୍ଠ ପ୍ରଦର୍ଶନ କରି ଆଞ୍ଚଳିକ ଦଳ ବିଜେଡିକୁ ଧୋଇଦେଇ ୨୧ ଆସନରୁ ୨୦ଟି ଆସନ ହାସଲ କରିଛି।ଅନ୍ୟ ଏକ ଆସନରେ କଂଗ୍ରେସ ନିର୍ବାଚିତ ହୋଇଥିବାରୁ ଚଳିତ ମନ୍ତ୍ରୀମଣ୍ଡଳରେ ଓଡିଶାର ସଂଖ୍ୟା ଅଧିକ ରହିବ ସେଥିପାଇଁ ସମସ୍ତେ ଆଶାବାଦୀ।ଏପରିକି ବିଧାନସଭା ରେ ମଧ୍ୟ ବିଜେପି ଏକାକି ସଂଖ୍ୟାଗରିଷ୍ଟ ଆସନ ହାସଲ କରିଛି।ଏଣୁ ଓଡିଶାରୁ ଲୋକସଭା ଅତି ୩ ରୁ ୫ ଜଣ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାର ସମ୍ଭାବନା ରହିଛି ।କାରଣ ନିର୍ବାଚିତ ଲୋକସଭା ସାଂସଦଙ୍କ ଭିତରୁ କେହି କାହାକୁ କମ୍ ନୁହଁନ୍ତି।

You may have missed