March 8, 2026

ଚର୍ତୁଦଶ ଦିବସରେ ବୁଗୁଡ଼ା ପଞ୍ଚ ଠାକୁରାଣୀ ଯାତ୍ରା , ଦର୍ଶନୀୟ ପଟୁଆରରେ ମା’ଙ୍କ ଘଟ ପରିକ୍ରମା , ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ 

IMG-20230509-WA0054
Share

ବୁଗୁଡ଼ା : ତା ୦୬/୦୫/୨୩ : ଗତ ଏପ୍ରିଲ ୨୬ ତାରିଖରୁ ଆରମ୍ଭ ହୋଇଥିବା ବୁଗୁଡ଼ା ପଞ୍ଚ ଠାକୁରାଣୀ ଯାତ୍ରା ଆଜି ଚର୍ତୁଦଶ ଦିବସରେ ପହଞ୍ଚିଥିବା ବେଳେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନଙ୍କ ପକ୍ଷରୁ ପାରମ୍ପରିକ ରୀତିନୀତି ପ୍ରକାରେ ମା’ଙ୍କ ପୂଜାର୍ଚ୍ଚନା ଏବଂ ଘଟ ପରିକ୍ରମା କାର୍ଯ୍ୟକ୍ରମ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ବଡଦାଣ୍ଡସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପରେ ଯଥା ବିଧି ପୂର୍ବକ ପଞ୍ଚ ପୁରୋହିତ ମା’ଙ୍କ ପୂଜାର୍ଚ୍ଚନା ସମ୍ପାଦନ କରିଥିବା ବେଳେ ଭଗବାନ ନାୟକ ,ବି.କ୍ରିଷ୍ଣା ପାତ୍ର ଓ ରଙ୍କନିଧି ପ୍ରଧାନ ପ୍ରମୁଖ ମା’ଙ୍କ ସେବା କାର୍ଯ୍ୟରେ ନିୟୋଜିତ ଥିଲେ ।

ଏଥି ସହ ସନ୍ଧ୍ୟାରେ ମା’ଙ୍କ ୧୦୮ ଆଳତି ପରେ ଘଟ ପରିକ୍ରମାର ଶୁଭାରମ୍ଭ ହୋଇଥିଲା । ପଞ୍ଚ ମାନସିକଧାରୀ ମହିଳା କେ.ଯୋଶଦା ପାତ୍ର , ସଞ୍ଜୁଲତା ପ୍ରଧାନ , ସଂଯୁକ୍ତା ସାହୁ , କେ.କାନ୍ତା ପାତ୍ର ଓ ସଙ୍ଗୀତା ପୋଲେଇ ପ୍ରମୁଖ ପଞ୍ଚ ଠାକୁରାଣୀଙ୍କ ଘଟ ଧାରଣ କରିବ ବଳଦେବ ମନ୍ଦିର , ଥାନା କଲୋନୀ , ହାଇସ୍କୁଲ ଛକ , ନୂଆଁ ବସଷ୍ଟାଣ୍ଡ , ମୁଖ୍ୟ ସଡକ , ଗଣେଶ ମାର୍କେଟ , ବୁଦ୍ଧଖୋଲ ଛକ, ପୋଲସରା ରୋଡ ଆଦି ପରିକ୍ରମା କରି ସ୍ବଆସ୍ଥାନକୁ ଫେରିଥିଲେ । ମା’ଙ୍କ ଭ୍ରମଣି ଯାତ୍ରା କାଳରେ ଘଣ୍ଟତାଳ, ଢୋଲ ବାଦ୍ୟ ଏବଂ ଆତସବାଜିର ଶବ୍ଦରେ ପରିବେଶ ପ୍ରକମ୍ପିତ ହୋଇଥିଲା ବେଳେ ରଣପାକାଳୀ , ବିଷ୍ଣୁଙ୍କ ଦଶ ଅବତାର , ହାତୀ-ଘୋଡା-ବାଘ-ବୃଷଭ ପଟୁଆର ଲୋକଙ୍କୁ ଆକର୍ଷିତ କରିଥିଲା । ଅନ୍ୟପକ୍ଷରେ ବ୍ଲକ ଛକର ମହାଲକ୍ଷ୍ମୀ ମେଢ ଏବଂ କଲେଜ ରୋଡ ଯାତ୍ରା ତୋରଣ ନିକଟସ୍ଥ ଜଗନ୍ନାଥ-ବଳଭଦ୍ର-ସୁଭଦ୍ରା ମେଢ ଲୋକାର୍ପିତ ହୋଇ ଲୋକଙ୍କ ଭିଡ ସାଉଁଟି ଥିବାବେଳେ ହାଇସ୍କୁଲ ଛକରେ ସ୍ମାଇଲ୍ ସଙ୍ଗୀତ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯାତ୍ରା ଗହଳିକୁ ନିୟନ୍ତ୍ରଣ ପାଇଁ ପୋଲିସ ନିୟୋଜିତ ଥିଲେ ।