” ମୁଁ ଦେହ ନୁହଁ ମୁଁ ବ୍ୟକ୍ତିତ୍ୱ “..

(ବ୍ରହ୍ମପୁର- ଲମ୍ବୋଦର ସାହୁ)
ମୁଁ ଦେହ ନୁହଁ ମୁଁ ବ୍ୟକ୍ତିତ୍ୱ ଆଜି ଏହିଭଳି କିଛି ମତ ପ୍ରକାଶ ପାଇଛି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ମହିଳା ଅଧ୍ୟୟନ ଗବେଷଣା କେନ୍ଦ୍ର ତରଫରୁ ଆହୂତ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ । ଭାରତ ସରକାରଙ୍କ ନିର୍ଦ୍ଦେଶାନୁସାରେ ସପ୍ତାହବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିବା ସ୍ଥଳେ ଆଜିଥିଲା ମୁଖ୍ୟ ସମାରୋହ । ଏଥିରେ ମୁଖ୍ୟ ଅତିଥି ଭାବେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଯୋଗ ଦେଇ କେବଳ ଗୋଟିଏ ଦିନ ନୁହଁ ବର୍ଷ ସାରା ୩୬୫ ଦିନ ମହିଳାଙ୍କୁ ସମ୍ମାନ, ସ୍ୱାବଲମ୍ବୀ, ସାହସୀ ତଥା ସମସ୍ତଙ୍କ ନିମନ୍ତେ ସମାନତାର ବ୍ୟବସ୍ଥା ହେବା ଆବଶ୍ୟକ ବୋଲି ମତ ଉପସ୍ଥାପନ କରିଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ଦାଶ ମାନସିକତାରେ ପରିବର୍ତ୍ତନରେ ସବୁ ସମ୍ଭବ ତଥା ସାମାଜିକ ପରିବର୍ତ୍ତନ ନିମିତ୍ତ ଅନେକ ପ୍ରୟାସ ଆବଶ୍ୟକତା ରହିଛି ବୋଲି କହିଥିଲେ । ଦୁନିଆରେ ସବୁ ନାରୀ ଭିନ୍ନ ଏବଂ ସ୍ୱତନ୍ତ୍ର , ସେମାନେ ନିଜର ସେହି ସ୍ୱତନ୍ତ୍ର ଗୁଣକୁ ଖୋଜିବା ଆବଶ୍ୟକ ବୋଲି ଉପଦେଶ ଦେଇଥିଲେ । ଏଥି ସହିତ ବିଭିନ୍ନ କ୍ଷେତ୍ରରେ ତଥା ସ୍ୱତନ୍ତ୍ର ଭାବେ ଶିକ୍ଷାକ୍ଷେତ୍ରରେ ମହିଳାଙ୍କ ଯୋଗଦାନ ବୃଦ୍ଧି ଏବଂ ତାହାଯୋଗୁଁ ହେଉଥିବା ଗୁଣାତ୍ମକ ବିକାଶ ମାନଙ୍କର ଦୃଶ୍ୟପାତ କରିଥିଲେ । କାର୍ଯ୍ୟକ୍ରମର ପୃଷ୍ଠପୋଷକ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ମହିଳାଙ୍କ ନିମନ୍ତେ ଉତ୍ତମ ପରିବେଶ ତିଆରି କରିବା ସମସ୍ତଙ୍କ ଉତ୍ତର ଦାୟିତ୍ୱ ବୋଲି ମତବ୍ୟକ୍ତ କରିଥିଲେ ।
ସ୍ୱତନ୍ତ୍ର ଅତିଥି ଭାବେ ଭାରତ ତଥା ଓଡି଼ଶାର ପ୍ରଥମ ତୃତୀୟ ଲିଙ୍ଗ ସଫଳକାମୀ ପ୍ରଶାସନିକ ଅଧିକାରୀ ଏଶ୍ୱର୍ଯ୍ୟା ଋତୁପର୍ଣ୍ଣ ପ୍ରଧାନ ବାଲ୍ୟକାଳରୁ ଯୌବନ ପର୍ଯ୍ୟନ୍ତ ନିଜର ଅନୁଭୂତି ମାନଙ୍କୁ ବଖାଣି ସଫଳତାର ଆଠଟି ସୂବର୍ଣ୍ଣ ସୁତ୍ର ପ୍ରଦାନ କରିଥିଲେ । କେବେ ମଧ୍ୟ ପଛଘୁଞ୍ଚା ଦେବା ନାହିଁ, ନିଜକୁ ପ୍ରଚୁର ଭଲ ପାଇବା, କାହା ସହ ତୁଳନା କରିବା ନାହିଁ, ଆତ୍ମବିଶ୍ୱାସ ରଖିବା, ନିଜସ୍ୱ ଗୁଣଙ୍କୁ ଗ୍ରହଣ କରିବା, ପାରସ୍ପରିକ ଆଲୋଚନାରେ ଜ୍ଞାନବୃଦ୍ଧି କରିବା, ଅନୁକୂଳ ପ୍ରସ୍ତୁତି ତଥା ଅର୍ଥନୈତିକ ସ୍ୱାବଲମ୍ବୀ ହେଇ ସଫଳତାକୁ ଛୁଇଁ ପାରିବା । ସ୍ୱତନ୍ତ୍ର ଅତିଥି ଭାବେ ଫ୍ରଫେସର ସ୍ୱର୍ଣ୍ଣମୟୀ ତ୍ରିପାଠୀ ଯୋଗଦେଇ ବୈଶ୍ୱିକ ଇତିହାସର ପ୍ରଧାନ ବିପ୍ଳବ ଯଥା ଆମେରିକାର ସ୍ୱଧୀନତା ସଂଗ୍ରମ, ଫରାସୀ ବିପ୍ଳବ ତଥା ଋଷ୍ ରେ ଅକ୍ଟୋବର ବିପ୍ଳବ କିଭଳି ମହିଳାଙ୍କ ଦ୍ୱାରା ଅୟମାରମ୍ଭ ହେଇଥିଲା ତାହାର ବିବରଣୀ ପ୍ରଦାନ ସହ ବିଶ୍ୱ ମାନବୀୟ ବିକାଶ ସୂଚୀରେ ଭାରତ ମାନକ ଉଚ୍ଚା କରିବା ପରିପ୍ରେକ୍ଷୀରେ ବିଭିନ୍ନ ଆହ୍ୱାନ , ସ୍ୱଧୀନତା ସମୟ ତଥା ସ୍ୱାଧୀନତ୍ତୋର ଭାରତରେ ବିଶଖା ନିର୍ଦ୍ଦେଶାବଳୀ, ପୈତୃକ ସମ୍ପତ୍ତିରେ ଅଧିକାର ନିୟମ ମାନଙ୍କ ସମ୍ପର୍କରେ ଆଲୋଚନା କରିଥିଲେ । ସଂଗଠିତ ହେଇ ହାତମୁଠାକୁ କିଭଳି ଟାଣ କରାଯାଇପାରେ ତାହାର ଉଦାହରଣ ଭାବେ ଓଡି଼ଶାର ନୟାଗଡ଼ର ଠେଙ୍ଗାପାଳି ଏବଂ ଗଞ୍ଜାମରେ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ଶୁଖୁଆ ଫେଡ଼ରେସନ ବିଷୟରେ ଆଲୋକପାତ କରିଥିଲେ । ସ୍ୱାସ୍ଥ୍ୟ କ୍ଷେତ୍ରରୁ ସ୍ୱତନ୍ତ୍ର ଅତିଥି ଭାବେ ଡ. ମୀରାବାଇ ମହାନ୍ତି ଯୋଗ ଦେଇ ଯୌବନରେ ହର୍ମୋନରେ ପରିବର୍ତ୍ତନ ତଥା ସ୍ୱାସ୍ଥ୍ୟ ସୁରକ୍ଷା ସମ୍ବନ୍ଧରେ ଉପଦେଶ ପ୍ରଦାନ କରିଥିଲେ । ନିର୍ଦ୍ଦେଶୀକା ଡ. ବନ୍ଦିତା କୁମାରୀ ପଣ୍ତା କେନ୍ଦ୍ରର ବାର୍ଷିକ ବିବରଣୀ ପାଠ କରିଥିଲେ ତଥା ସମସ୍ତ କ୍ଷେତ୍ରରେ କୁଳପତିଙ୍କ ପ୍ରଗତିଶୀଳ ସହଯୋଗ ନିମନ୍ତେ କୃତଜ୍ଞତା ଜ୍ଞାପନ କରିଥିଲେ । ସମଜଶାସ୍ତ୍ର ବିଭାଗର ସଂଯୋଜିକା ଡ. ଦିପ୍ତିମୟୀ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରାରମ୍ଭିକ ପରିଚୟ ତଥା ପୋଷ୍ଟର ଉପରେ ଆଲୋକପାତ ଡ. ବାଗ୍ମୀ ପ୍ରିୟଦର୍ଶିନୀ କରିଥିବା ସ୍ଥଳେ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସୁଶ୍ରୀ ରଶ୍ମୀରେଖା ଜେନା । ଶେଷର ପୂର୍ବରୁ ଆୟୋଜିତ ଜଷ୍ଟ ଏ ମିନିଟ୍, ଟଗ୍ ଅଫ୍ ୱାର୍ ତଥା ପୋଟାଟେ ରେସ୍ ର ବିଜୟୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ତଥା ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ବିଶ୍ବବିଦ୍ଯାଳୟର ବିଭିନ୍ନ ବିଭାଗର ଶୈକ୍ଷିକ ତଥା ଅଣଶୈକ୍ଷିକ କର୍ମଚାରୀ, ସ୍ନାତକୋତ୍ତର ବିଦ୍ୟାର୍ଥି ତଥା ରିସର୍ଚ୍ଚ ସ୍କଲାର ଗଣ ସହସ୍ରାଧିକ ମାତ୍ରା ଯୋଗଦାନ କରିଥିଲେ । ଶେଷରେ ଅତିଥିଙ୍କ ସହ ପ୍ରତିଭାଗୀଙ୍କ ଆଲୋଚନା ପର୍ବ ତଥା ଫୋଟ ସେସନ ଆୟୋଜିତ ହେଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତଙ୍କ ନିମନ୍ତେ ଜଳପାନର ବ୍ୟବସ୍ଥା ଭଞ୍ଜବିହାରସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ତରଫରୁ ପ୍ରାୟୋଜିତ କରାଯାଇଥିଲା ।