November 22, 2024

ଋଷିକୂଲ୍ୟା ନଦୀର ଉପରମୁଣ୍ଡରେ ଡେମ୍ ହେଲେ ନଦୀ ଶୁଖିଯିବ ! ଋଷିକୂଲ୍ୟା ନଦୀ ବଞ୍ଚାଅ କ୍ରିୟାନୁଷ୍ଠାନ କମିଟି ଗଠିତ

Share

ଓଡ଼ିଶା ସରକାର ଛତ୍ରପୁର ନିକଟରେ ଥିବା ଶିଳ୍ପ କରିଡରର ଘରୋଇ କମ୍ପାନୀମାନଙ୍କ କଳକାରଖାନାକୁ ପାଣି ଯୋଗାଇବାକୁ ଇତି ମଧ୍ୟରେ ଏକ ହଜାର କୋଟି ଟଙ୍କା ବ୍ୟୟରେ ସୋରଡ଼ା ବ୍ଳକ୍ ଅନ୍ତର୍ଗତ ପିପଳପଙ୍କା ଠାରେ ଏକ ବୃହତ ଜଳଭଣ୍ଡାର ନିର୍ମାଣ କରିବାକୁ ଯାଉଛନ୍ତି । ଋଷିକୂଲ୍ୟା ଓ ଓଡାଙ୍ଗୀ ନଦୀର ସଂଯୋଗ ସ୍ଥଳରେ ହେବାକୁ ଯାଉଥିବା ଏହି ବୃହତ୍ ଡେମ୍ ଫଳରେ ସେ ଅଞ୍ଚଳର ୨୩ଟି ଗାଁ ଜଳମଗ୍ନ ହେବା ସହ ହଜାର ହଜାର ଲୋକ ବିଶେଷ କରି ଆଦିବାସୀ ଓ ଚାଷୀମାନଙ୍କ ଜୀବିକା ନଷ୍ଟ ହେବ । ଏହା ସହିତ ଗଞ୍ଜାମ – କନ୍ଧମାଳ ସୀମା ଗାଜଲବାଡ଼ିରେ ରହିଥିବା ମୂଲ୍ୟବାନ ଘଂଚ ଜଙ୍ଗଲ ମଧ୍ୟ ସମ୍ପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହେବ ।
ସବୁଠାରୁ ବଡ କଥା ହେଲା, ବିନା କୌଣସି ବୈଜ୍ଞାନିକ ଅଧ୍ୟୟନରେ ହେବାକୁ ଯାଉଥିବା ଏହି ପ୍ରକଳ୍ପ ଫଳରେ ଋଷିକୂଲ୍ୟା ନଦୀ ଓ ତା’ର ଉପରେ ନିର୍ଭରଶୀଳ ଜିଲ୍ଲାର କୃଷି ଓ କୃଷକ ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହେବେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନ ଋଷିକୂଲ୍ୟା ନଦୀରେ ପଡ଼ିଥିବା ଘୋଡାହାଡ, ଡହ, ଧନେଇ, ବଡନଦୀ, ବାଘୁଆ ଆଦି ଉପନଦୀମାନଙ୍କରେ ସରକାର ଡେମ୍ କରିସାରିଥିବାରୁ ସେସବୁରୁ ଋଷିକୂଲ୍ୟା ନଦୀକୁ ପୂର୍ବରୁ ଆସୁଥିବା ପାଣିର ପରିମାଣ କମିସାରିଛି । ବର୍ତ୍ତମାନ କେବଳ ମୂଳ ଋଷିକୂଲ୍ୟା ନଦୀ ଓ ଓଡାଙ୍ଗୀ ନଦୀର ପାଣି ହିଁ ସିଧାସଳଖ ଜାନିବିଲି ଆନିକଟକୁ ଯାଇ ସେଠାରୁ କେନାଲ ଓ ପାଇପଲାଇନ୍ ଜରିଆରେ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ପିଇବା ପାଣି ଓ ଜଳସେଚନ ପାଇଁ ଯାଉଛି । ଅତଏବ ଋଷିକୂଲ୍ୟାର ଉପର ମୁଣ୍ଡରେ ବଡ଼ ନଦୀବନ୍ଧ ନିର୍ମାଣ କରି ତା’ର ପାଣିକୁ ପାଇପଲାଇନ ଯୋଗେ କମ୍ପାନୀଙ୍କ ପାଇଁ ନେଇଗଲେ ତାହା ଜାନିବିଲି ଆନିକଟକୁ ପ୍ରଭାବିତ କରିବ । ଏହାଫଳରେ ଏହା ଉପରେ ନିର୍ଭରଶୀଳ ବ୍ରହ୍ମପୁର ସମେତ ଜିଲ୍ଲାର ଲକ୍ଷ ଲକ୍ଷ ଲୋକଙ୍କ ପିଇବା ପାଣି ଯୋଗାଣ ସହିତ ହଜାର ହଜାର ଏକର ଜମିର ଜଳସେଚନ ବି ପ୍ରଭାବିତ ହେବ ।

ଏହି ପରିପ୍ରେକ୍ଷିରେ ଗଞ୍ଜାମର ଜୀବନରେଖା ରୂପେ ପରିଚିତ ଋଷିକୂଲ୍ୟା ନଦୀକୁ ବଞ୍ଚେଇବା ପାଇଁ ବିଚାର ଆଲୋଚନା କରିବା ପାଇଁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଜନବାଦୀ ରାଜନୈତିକ ଦଳ, କୃଷକ ସଂଗଠନ, ସ୍ଵେଚ୍ଛାସେବୀ ସଙ୍ଗଠନ, ବୁଦ୍ଧିଜୀବିମାନଙ୍କ ଏକ ବୈଠକ ଆଜି ସ୍ଥାନୀୟ ଏନଜିଓ ହଲ୍ ଠାରେ ଆୟୋଜିତ ହୋଇଥିଲା । ଏଥିରେ ଋଷିକୂଲ୍ୟା ନଦୀ ଓ ଭିଟାମାଟି ସୁରକ୍ଷା ମଞ୍ଚର ଉପଦେଷ୍ଟା କାଳୁଚରଣ ନାୟକ, ଲୋକଶକ୍ତି ଅଭିଯାନର ସଭାପତି ତଥା ବିଶିଷ୍ଟ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରା, ଏଆଇକେଏମ୍‌ଏସ୍‌ ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ଭାଲଚନ୍ଦ୍ର ଷଡ଼ଙ୍ଗୀ, ବରିଷ୍ଠ ଆଡଭୋକେଟ୍ ଭଗବାନ ସାହୁ, ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟରତ ଆର୍ଯ୍ୟଭଟ୍ଟ ଫାଉଣ୍ଡେସନର ସୁଧୀର ରାଉତ, ଋଷିକୂଲ୍ୟା ରଇତ ମହାସଭାର ସୀମାଞ୍ଚଳ ନାହାକ, ଏଆଇକେଏମଏସ୍ ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ, ପ୍ରଫେସର ଉଷାରାଣୀ ଆଚାର୍ଯ୍ୟ, ଅବସରପ୍ରାପ୍ତ ଶିକ୍ଷକ ଶ୍ୟାମସୁନ୍ଦର ଖାଡଙ୍ଗା, କାମରାଜୁ ମହାରଣା, ଇ ତେଜେଶ୍ଵର ରାଓ, ସୁବାସ ରାଉତ, କିଶୋର ମିଶ୍ର, ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚର ରାଜେନ୍ଦ୍ର ପଣ୍ଡା, ଜାହାଡାର ପୂର୍ବତନ ସରପଂଚ ନବଘନ ପ୍ରଧାନ, ସମାଜସେବୀ ନରସିଂହ ସାହୁ, ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ ଗୟା, ଚାଷୀ ନେତା ପଦ୍ମଚରଣ ସାହୁ, ଅଶୋକ ଦଳାଇ, ଶ୍ରମିକ ନେତା ପ୍ରତାପ ଚନ୍ଦ୍ର ପ୍ରଧାନ, ଋଷିକୂଲ୍ୟା ନଦୀ ଓ ଭିଟାମାଟି ସୁରକ୍ଷା ମଞ୍ଚର ଉପଦେଷ୍ଟା କାଳୁ ଚରଣ ନାୟକ, ଯୁବନେତା ଆଦିତ୍ୟ ନାରାୟଣ ରଥ, ଋଷିକୂଲ୍ୟା ରୟତ ମହାସଭାର ଆବାହକ ସୀମାଞ୍ଚଳ ନାହାକ, ସ୍ଵରାଜ୍ୟ ସୁବୁଦ୍ଧି ପ୍ରମୁଖ ଯୋଗଦେଇ ଘରୋଇ କମ୍ପାନୀଙ୍କ ସ୍ଵାର୍ଥରେ ସରକାର ବ୍ରହ୍ମପୁର ସମେତ ସମଗ୍ର ଜିଲ୍ଲାବାସୀଙ୍କ ଜୀବନ ଜୀବିକାକୁ ବିପଦାପନ୍ନ କରି ପିପଳପଙ୍କାରେ ନଦୀ ବନ୍ଧ ନିର୍ମାଣ କରିବାକୁ ଯେଉଁ ଉଦ୍ୟମ କରୁଛନ୍ତି ତା’ର ବିରୋଧ କରିଥିଲେ । ସରକାର କମ୍ପାନୀଙ୍କ ବଦଳରେ ଚାଷୀ ମାନଙ୍କ ସ୍ଵାର୍ଥକୁ ଦୃଷ୍ଟିରେ ରଖି ବର୍ତ୍ତମାନ ପୋତି ହୋଇ ପଡିଥିବା ସୋରଡ଼ା, ଘୋଡାହାଡ ଆଦି ଜଳଭଣ୍ଡାରର ପଙ୍କୋଦ୍ଧାର କରି ସେସବୁର ଜଳଧାରଣ କ୍ଷମତାକୁ ବୃଦ୍ଧି କରିବାକୁ ଦାବି କରାଯାଇଥିଲା । ଏହା ସହିତ ବର୍ଷା ସମୟରେ ଉପଲବ୍ଧ ଅତିରିକ୍ତ ଜଳକୁ ସଂଗୃହିତ କରିବା ପାଇଁ ନଦୀର ଉଭୟ କୂଳରେ ଥିବା ଗାଁମାନଙ୍କରେ ଥିବା ବଡ ବଡ ପୋଖରୀକୁ ବ୍ୟବହାର କରିବାକୁ ମତପ୍ରକାଶ ପାଇଥିଲା ।
ସଭାରେ ଋଷିକୂଲ୍ୟା ନଦୀକୁ ବଞ୍ଚେଇବା ପାଇଁ ଏକ ଅଭିଯାନ ଚଳେଇବାକୁ ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଇଥିଲା । ବିଶିଷ୍ଟ ପରିବେଶ କର୍ମି ସୁଧୀର ରାଉତଙ୍କ ଆବାହକତ୍ଵରେ ଏକ କ୍ରିୟାନୁଷ୍ଟାନ କମିଟି ଗଠିତ ହୋଇ ସେଥିରେ ଆଗାମୀ ଦିନରେ ଏକ ତଥ୍ୟ ସମ୍ବଳିତ ପ୍ରଚାରପତ୍ର ପ୍ରକାଶ କରାଯିବା ସହ ସମଗ୍ର ଜିଲ୍ଲାରେ ଗାଁ ଗାଁରେ ଏନେଇ ସଭାସମିତି କରି ଋଷିକୂଲ୍ୟା ନଦୀକୁ ବଞ୍ଚେଇବା ପାଇଁ ସ୍ଥିର ହୋଇଥିଲା । ଶେଷରେ ଶ୍ୟାମସୁନ୍ଦର ଖାଡଙ୍ଗା ଧନ୍ୟବାଦ ଅର୍ପଣ କରିଥିଲେ ।