ପଥ ଚାରୀଙ୍କ ପାଇଁ କାଳ ସାଜିପାରେ ଶୁଖିଲା ଆମ୍ବଗଛ
କୋଲନରା: କୋଲନରା ବ୍ଲକ ୩୨୬ ନମ୍ବର ଜାତୀୟ ରାଜପଥର କୈଳାଶକୋଟା ଘାଟି ମଝିରେ ଥିବା ଲୁଣ୍ଡୁରୁକଣା ଛକ ନିକଟ ରାସ୍ତା କଡ଼ରେ ଦୀର୍ଘ ୩ ବର୍ଷ ହେବ ଏକ ବଡ ଆମ୍ବଗଛଟି ଶୁଖିଲା ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି | ଉକ୍ତ ଗଛଟିରେ ନା ଅଛି ପତ୍ର ନା ଫଳ | ଗଛଟି ମରି ଯାଇଥିବାରୁ ଡାଳ ସବୁ ମଧ୍ଯ ଶୁଖି ଯାଇଛି | କୌଣସି ସମୟରେ ତାହା ଗଳି ପଡ଼ି କାହାର ଜୀବନ ମଧ୍ୟ ନେଇପାରେ | ମାତ୍ର ଏଥିପ୍ରତି କାହାରି ଦୃଷ୍ଟି ନାହିଁ | ଏହି ରାସ୍ତା ଜାତୀୟ ରାଜପଥ ହୋଇଥିବା ହେତୁ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଯାନବାହନ ଚଳାଚଳ କରିଥାଏ | ରାୟଗଡ଼ା ଠାରୁ ଗୁଣୁପୁର, ପାରଳାଖେମୁଣ୍ଡି ସହ ଏମିତିକି ଭୁବନେଶ୍ଵର ଓ କଟକ ମଧ୍ୟ ଏହି ରାସ୍ତା ଦେଇ ଯିବା ଆସିବା କରୁଛନ୍ତି | ସେହିପରି ପାରଳାଖେମୁଣ୍ଡି ଠାରୁ କୋରାପୁଟ, ଜୟପୁର ଓ ମାଲକାନଗିରି ମଧ୍ୟ ଏହି ରାସ୍ତା ଦେଇ ଯିବା ଆସିବା କରୁଛନ୍ତି | ଉକ୍ତ ଗଛଟି ଶୁଖି ଯାଇ ରାସ୍ତା କଡ଼ରେ ଛିଡା ହୋଇ ରହିଥିବା ଯୋଗୁଁ କେତେବେଳେ ଯେ କାହା ଉପରେ ପଡ଼ି ଅଘଟଣ ଘଟି ଧନ ଜୀବନ ନଷ୍ଟ ହେବ କିଛି କହିହେବ ନାହିଁ | ଜାତୀୟ ରାଜପଥ ହୋଇଥିବା ହେତୁ କୌଣସି ସମୟରେ ଯଦି କେଉଁ ପଥ ଚାରୀଙ୍କ ଉପରେ ହଠାତ୍ ପଡ଼ିଯାଏ ତାହେଲେ ମୃତ୍ୟୁ ସୁନିଶ୍ଚିତ ଏବଂ ତା ପାଇଁ ଦାୟୀ କିଏ ରହିବେ ବୋଲି ମତପ୍ରକାଶ ପାଇଛି | ଉକ୍ତ ରାସ୍ତା ଦେଇ ପ୍ରାୟ ସମୟରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ସ୍ତରୀୟ ବହୁ ଅଧିକାରୀ ମାନେ ଏମିତିକି ପୂର୍ତ୍ତ ବିଭାଗର ବହୁ ଅଧିକାରୀ ମଧ୍ୟ ଏହି ରାସ୍ତା ଦେଇ ଯିବା ଆସିବା କରୁଛନ୍ତି କିନ୍ତୁ ଏହି ଗଛ ଉପରେ କାହାର ନଜର ନ ପଡ଼ିବା ଆଶ୍ଚର୍ଯ୍ୟଜନକ | କେବଳ ଏହି ଗଛ ନୁହେଁ ଏହିଭଳି ଭାବେ କୈଳାଶକୋଟା ଘାଟିରେ ବହୁ ଗଛ ରାସ୍ତା କଡ଼ରେ ଶୁଖିଲା ଅବସ୍ଥାରେ ରହିଛି | କୌଣସି ଅଘଟଣ ନ ଘଟୁନୁ ଶୁଖିଲା ଗଛ ସବୁ କାଟି ଦେଲେ ହୁଏତ କାହାର ହେଉ ଜୀବନ ବଞ୍ଚି ଯିବ | ତେଣୁ ଘାଟିର ବିଭିନ୍ନ ସ୍ଥାନରେ ରହିଥିବା ଶୁଖିଲା ଗଛ ଗୁଡ଼ିକ ରାସ୍ତା କଡରୁ ହଟେଇବା ପାଇଁ ଜିଲା ପ୍ରଶାସନ ଓ ଜିଲ୍ଲା ପୂର୍ତ୍ତ ବିଭାଗ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି |
ରିପୋର୍ଟ :ସଞ୍ଜୀବ କଣ୍ଡାଗରୀ