November 8, 2026

ଦୀର୍ଘ ଅଠରବର୍ଷ ବିତିଲା, କୌଣସି ଜଣେହେଲେ ବିସ୍ଥାପିତ ହେଲେନି ଥଇଥାନ : ଜୀବନ ଜୀବିକା ହରାଇ ତିନିଶହ ଦୋକାନୀ ଭୋଗୁଛନ୍ତି ଦୁର୍ଦ୍ଦଶା !!! ସାରଳା ମନ୍ଦିରପ୍ରଶାସନ ଓ ଜିଲ୍ଲା ପ୍ରଶାସନ କରୁଛି କଣ ?

IMG-20261108-WA0160
Share

ତିର୍ତ୍ତୋଲ ତା 7/11/2026 ପ୍ରସିଦ୍ଧ ଝଙ୍କଡ଼ ସାରଳାପୀଠ ର ସମ୍ପ୍ରସାରଣ ପାଇଁ ଗତ 2009 ମସିହାରେ ସାରଳାମନ୍ଦିର ସମ୍ମୁଖରେ ଥିବା ସତୁରି ରୁ ଉର୍ଦ୍ଧ୍ୱ ଦୋକାନଘର କୁ ପ୍ରଶାସନ ତରଫରୁ ବୁଲଡୋଜର ଲଗାଇ ଭାଙ୍ଗି ଦିଆଯାଇଥିଲା l ମାତ୍ର ବର୍ଷକ ମଧ୍ୟରେ ନୂତନ ମାର୍କେଟକପ୍ଲେକ୍ସ ନିର୍ମାଣ କରାଯାଇ, ସମସ୍ତ ବିସ୍ଥାପିତ ଦୋକାନୀ ମାନଙ୍କୁ ଥଇଥାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶୃତି ଦିଆଯାଇଥିଲା l ପରେପରେ 2015 ମସିହା ରେ ଏଠାରୁ ବଡ଼ଠାକୁର ବଳଦେବଜୀଉ ଙ୍କ ବ୍ରହ୍ମଦାରୁ ଆବିର୍ଭାବ ହେବାପରେ, ତତ୍କାଳୀନ ଶ୍ରୀ ମନ୍ଦିରର ମୁଖ୍ୟପ୍ରଶାସକ ସୁରେଶ ମହାପାତ୍ର ଓ ଜଗତସିଂହପୁର ଜିଲ୍ଲାପାଳ ସତ୍ୟ କୁମାର ମଲ୍ଲିକ ଙ୍କ ନେତୃତ୍ୱ ଓ ନିର୍ଦ୍ଦେଶ କ୍ରମେ, ସାରଳାପୀଠରେ ଦୋକାନକରି ଜୀବନଜୀବିକା ନିର୍ବାହ କରୁଥିବା ଶହେତିରିଶ ଟି ଦୋକାନଘର କୁ ଭାଙ୍ଗିଦିଆଯାଇଥିଲା l ସେତେବେଳେ ମଧ୍ୟ ପ୍ରଶାସନ ତରଫରୁ ଦୃଢ଼ପ୍ରତିଶୃତି ଦିଆଯାଇଥିଲା ଯେ, ମାତ୍ର ତିନିମାସ ମଧ୍ୟରେ, ନୂତନ ଦୋକାନଘର ନିର୍ମାଣ କରାଯାଇ ସମସ୍ତ ଦୋକାନୀମାନଙ୍କୁ ଯଥାଶୀଘ୍ର ଯୋଗାଇଦିଆଯିବ l ସେ ପ୍ରତିଶୃତି ମଧ୍ୟ ପ୍ରତିଶୃତି ରେ ରହିଗଲା l ପୁନଃଶ୍ଚ 2018 ମସିହାରେ ତତକାଳୀନ ରାଜ୍ୟସରକାର ଙ୍କ ପକ୍ଷରୁ, ସାରଳାପୀଠ ର ନବୀକରଣ କାର୍ଯ୍ୟ ନିମନ୍ତେ ବୟାଳିଶ କୋଟିଟଙ୍କା ଆର୍ଥିକ ଅନୁଦାନ ରେ, ଓ ବି ସି ସି ଦ୍ୱାରା କାମ ଆରମ୍ଭ ହେବାପୂର୍ବରୁ ଶହେଆଠଟି ଦୋକାନଘର କୁ ବୁଲଡୋଜର ଲଗାଇ ଭାଙ୍ଗି ଚୁରମାର କରି ମାଟିରେ ମିଶାଇ ଦିଆଗଲା l ଜଗତସିଂହପୁର ଜିଲ୍ଲାପାଳ, ଏସ ପି , ଓ ମନ୍ଦିରପ୍ରଶାସନ ତରଫରୁ ପୁଣିଥରେ ପ୍ରତିଶୃତି ଦିଆଗଲା, ଯେ ମାର୍କେଟକମ୍ପେକ୍ସ କାମ ସରିବା ମାତ୍ରେ ସମସ୍ତ ବିସ୍ଥାପିତ ଦୋକାନୀ ମାନଙ୍କୁ ଅତିଶୀଘ୍ର ଦୋକାନଘର ଯୋଗାଇଦିଆଯିବ l ମାତ୍ର ତାହାମଧ୍ୟ ଆଜିପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ l ଯାହାଫଳରେ ତିନିଶହ ରୁ ଉର୍ଦ୍ଧ୍ୱ ଦୋକାନୀ ମାନଙ୍କ ମଧ୍ୟରୁ କେତେକ ଜୀବିକା ହରାଇ, ଭୋକଉପାସ ରେ ରହି ଓ ରୋଗାକ୍ରାନ୍ତ ହେଲାପରେ ଚିକିତ୍ସା ଅଭାବ ରୁ ମୃତ୍ୟୁ ବରଣ କଲେଣି l ଅପରପକ୍ଷରେ ଯେଉଁ ଦୋକାନଘର ଗୁଡିକ ଶବରପଲ୍ଲୀ ରେ ନିର୍ମାଣ କରାଯାଇଛି, ସେଥିରେ କୌଣସି ଜଳଖିଆ ଦୋକାନ ବା ହୋଟେଲ ଟିଏ ମଧ୍ୟ ଖୋଲିବା ଆଦୌ ସମ୍ଭବପର ନୁହେଁ l ତେଣୁ ଦୋକାନୀମାନେ ଏହି ଛୋଟଛୋଟ ଘର ନେବାପାଇଁ ଇଛୁକ ନୁହଁନ୍ତି l ଏ ସମ୍ପର୍କରେ ସାରଳା ମନ୍ଦିର ପ୍ରଶାସନ ର କାର୍ଯ୍ୟନିର୍ବାହୀ ଅଧିକାରୀ ସୌର୍ଯ୍ୟରଞ୍ଜନ ପରିଜା ଙ୍କୁ ପଚାରିବାରୁ, ସେ କହୁଛନ୍ତି ଆମେ, ନିର୍ମାଣକରାଯାଇଥିବା, ଦୋକାନଘର ର ମଝିକାନ୍ଥ କୁ ଭାଙ୍ଗି, ଦୁଇଟି ଦୋକାନ କୁ ଗୋଟିଏ କରି, ବଡ଼ଘର ଯୋଗାଇଦେବୁ l ଦୋକାନଘର ମାନଙ୍କରେ ବିଦ୍ୟୁତକରଣ ଓ ଜଳଯୋଗାଣ ବ୍ୟବସ୍ଥା ମଧ୍ୟ ହୋଇପାରିନଥିବାରୁ, ଏଠାରେ କିଏ କାହିଁକି ଓ କିପରି ଦୋକାନ ଖୋଲିବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ସବୁଠୁଁ ବଡ଼କଥା ଓ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଆଜକୁ ତିନିବର୍ଷ ପୂର୍ବରୁ ତତ୍କାଳୀନ ରାଜ୍ୟମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ଏଠାରେ ଥିବା ମାର୍କେଟକପ୍ଲେକ୍ସ, ଶୌଚାଳୟ, ଯାତ୍ରୀବିଶ୍ରାମାଗାର, ଜଳସମ୍ପଦ ବିଭାଗର ଝଙ୍କଡ଼ ବିଶ୍ରାମାଗାର,ସାରଳା ସୂଚନାକେନ୍ଦ୍ର, ପାଠାଗାର ଓ ସର୍ବୋପରି ଓ ଟି ଡି ସି ର ପାନ୍ଥଶାଳା ର ଭରଚୁଆଲ ଉଦଘାଟନ ସରିଥିଲେ ମଧ୍ୟ ସେଥିମଧ୍ୟରୁ କୌଣସି ଗୋଟିଏହେଲେ କାର୍ଯ୍ୟକାରୀ ହୋଇପାରିନାହଁ l ସେହିପରି ଏଠାରେ ଥିବା ନାଟ୍ୟମଣ୍ଡପ, ଯାତ୍ରୀମାନଙ୍କ ପାଇଁ ପ୍ରସାଦମଣ୍ଡପ ଓ ସେବାୟତ ମଣ୍ଡପ କୁ ନଷ୍ଟ କରିଦିଆଯାଇଥିବାରୁ, ସେବାୟତ, ଯାତ୍ରୀ ଓ କଳାକାର ମାନେ ବହୁଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି l ଖୋଦ ଜଗତସିଂହପୁରର ଜିଲ୍ଲାପାଳ ସାରଳାମନ୍ଦିର ପ୍ରଶାସନ ର ଏକମାତ୍ର ସୋଲଟ୍ରଷ୍ଟି ଥିଲେ ମଧ୍ୟ, ନବୀକରଣ କାର୍ଯ୍ୟ କାହିଁକି ମନ୍ଥର ଓ ବିଳମ୍ବିତ ହେଉଛି ତାର କିଛି ତଦାରଖ ମଧ୍ୟ କରୁନାହାଁନ୍ତି l ଅପର ପକ୍ଷରେ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପରିଜା ଦୀର୍ଘମାସ ଧରି ରୋଗାକ୍ରାନ୍ତ ଅବସ୍ଥାରେ ଭୁବନେଶ୍ୱର ରେ ରହୁଥିବାରୁ, ବାୟାଳିଶ କୋଟି ଟଙ୍କାର ନବୀକରଣ କାମ ତ୍ୱରାନ୍ୱିତ ହୋଇପାରୁନାହିଁ l ସରକାର ବଦଳିବା ପରେ ରାଜ୍ୟମନ୍ତ୍ରୀ ଓ ଶାସକଦଳର ଜିଲ୍ଲାର ଜନପ୍ରତିନିଧି ମାନଙ୍କ ନିକଟରେ ସ୍ଥାନୀୟ ଅଧିବାସୀ ଓ ସେବାୟତ ମାନେ ଏ ସମ୍ପର୍କରେ ଯେତେ ଆପତ୍ତି ଅଭିଯୋଗ କଲେ ମଧ୍ୟ କେବଳ ପ୍ରତିଶୃତି ପରେ ପ୍ରତିଶୃତି ବ୍ୟତୀତ ଅନ୍ୟକୌଣସି ସୁଫଳ ମିଳୁନାହିଁ l ଯାହାଫଳରେ ପ୍ରଶାସନିକ ଏହି ଅବ୍ୟବସ୍ଥା ଓ ଅଚଳାବସ୍ଥା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର