ପୁରୀ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଉଜ୍ଜାପିତ..
ପୁରୀ ପୋଲିସ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ **ସୁରଭି**କାର୍ଯ୍ୟକ୍ରମ ଆଡ଼ମ୍ବର ପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ପ୍ରାୟ ୧୦ ଟି ବିଭାଗରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଓ ବରିଷ୍ଠ, କନିଷ୍ଠ ତଥା ଶାରୀରିକ ଭିନ୍ନକ୍ଷମ ତିନି ଗୋଟି ବିଭାଗରୁ ପ୍ରାୟ ୫୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଓ ମାର୍ଗଦର୍ଶକ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ । ପ୍ରଥମେ ବିଦ୍ୟାଳୟ ,କ୍ଲଷ୍ଟର ଓ ବ୍ଲକ୍ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ତନ୍ମଧ୍ୟରୁ ଶ୍ରେଷ୍ଠ ଛାତ୍ରଛାତ୍ରୀ ମାନେ ଏଥିରେ ଭାଗ ନେଇଥିଲେ । ଜିଲ୍ଲା ସ୍ତରରେ ବିଭିନ୍ନ ବିଭାଗରେ ପ୍ରଥମ ସ୍ଥାନ ହାସଲ କରିପାରିଥିବା ଛାତ୍ରଛାତ୍ରୀ ମାନଙ୍କୁ ରାଜ୍ୟ ସ୍ତରୀୟ ସୁରଭି ପ୍ରତିଯୋଗିତାରେ ଭାଗନେବା ପାଇଁ ମନୋନୀତ କରାଗଲା। ସାମଗ୍ରିକ ରୂପେ ଏହି ପ୍ରତିଯୋଗିତା ଗୁଡ଼ିକୁ ଜିଲ୍ଲାର ୩୦ ଜଣ ଦକ୍ଷ ବିଚାରକ ପରିଚାଳନା କରିଥିଲେ । ଏହାର ଉଦ୍ଘାଟନ ଉତ୍ସବରେ ମାନ୍ୟବର ବିଧାୟକ, ସତ୍ୟବାଦୀ ଓମ୍ ପ୍ରକାଶ ମିଶ୍ର ଯୋଗଦାନ କରି ସୁରଭି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କ ଅନ୍ତର୍ନିହିତ ଗୁଣାବଳୀ ର ବିକାଶ ଘଟିଥାଏ ଓ ସେମାନଙ୍କ ମାନସିକ ଅଭିବୃଦ୍ଧି ସାଧିତ ହେବା ସହ ସେମାନଙ୍କୁ ଦୃଢ଼ ମନୋବଳ ପ୍ରଦାନ କଲେ ସେମାନେ ସମାଜକୁ ଏକ ନୂତନ ମାର୍ଗରେ ଆଗେଇ ନେବା ପାଇଁ ଚେଷ୍ଟିତ ହୋଇଥାନ୍ତି । ମାନ୍ୟବର ବିଧାୟକ, ପିପିଲି , ଆଶ୍ରିତ ପଟ୍ଟନାୟକ ଯୋଗଦାନ କରି ପୁଷ୍ପ ଦେହରେ ସୁରଭି ବା ସୁଗନ୍ଧ ଅଦୃଶ୍ୟ ଭାବେ ରହିଥିବା ପରି କୁନି କୁନି ପିଲାମାନଙ୍କ ଠାରେ ସୁରଭି ସଦୃଶ ଗୁଣ ସମୂହ ଅପ୍ରକାଶ୍ୟ ରୂପେ ରହିଥାଏ। ଏହିପରି ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମ ମାଧ୍ୟମରେ ତାହା ପ୍ରକଟିତ ହୋଇ ଭବିଷ୍ୟତରେ ସେମାନଙ୍କୁ ମହନୀୟ କରିଥାଏ। ସେମାନଙ୍କୁ କେବଳ ପ୍ରେରଣା ଦେବା ଶିକ୍ଷକ, ଅବିଭାବକ ଓ ଆମ୍ଭମାନଙ୍କର ସର୍ବାଦୌ କର୍ତ୍ତବ୍ୟ ଅଟେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ , (ପ୍ରଶାସନ), ପୁରୀ, ଶରତଚନ୍ଦ୍ର ବେହେରା ଉପସ୍ଥିତ ରହି ନିଜର ଓଜସ୍ବୀ ବକ୍ତବ୍ୟ ଦ୍ବାରା ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ମମତା ମିଶ୍ର ଓ ହିମାଂଶୁ ଭୂଷଣ ସମରଥ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ପ୍ରଦାନ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ଭବିଷ୍ୟତ ଜୀବନରେ ଉତ୍ତରୋତ୍ତର ଉନ୍ନତି କରିବା ପାଇଁ ପ୍ରୋତ୍ସାହନ ପ୍ରଦାନ କରିଥିଲେ । ପୂର୍ବାହ୍ଣରେ ଆୟୋଜିତ ଉଦ୍ଜାପନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହି ମାନ୍ୟବର ସାଂସଦ , ରାଜ୍ୟସଭା,ଶୁଭାଶିଷ ଖୁଣ୍ଟିଆ ଶିଶୁ ଅବସ୍ଥାରୁ ଛାତ୍ରଛାତ୍ରୀ ମାନଙ୍କୁ ପ୍ରୋତ୍ସାହନ, ମାର୍ଗଦର୍ଶନ ପ୍ରଦାନ କରାଗଲେ ସେମାନେ ନିଶ୍ଚିତ ଦୁନିଆଁରେ ଭଲ ମଣିଷ ହୋଇଥାଏ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷା ଓ ଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ଓ ୧୧ ଗୋଟି ମଣ୍ଡଳର ଶିକ୍ଷାଧିକାରୀ ମାନେ ଉପସ୍ଥିତ ଥିଲେ । ଏହି ସମସ୍ତ କାର୍ଯ୍ୟ ସାମଗ୍ରିକ ରୂପେ ସଭାପତି ତଥା ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଦୀପକ କୁମାର ପାଢ଼ୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପରିଚାଳନା କରାଯାଇଥିଲା ଓ ଶିକ୍ଷକ ମହେନ୍ଦ୍ର କୁମାର ଦାଶ୍ ଓ ଶିକ୍ଷୟିତ୍ରୀ କଳ୍ପନା ମିଶ୍ର ମଞ୍ଚ ପରିଚାଳନା କହିଥିଲେ ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ