ଶ୍ୱଶୁର ଘରେ ଜ୍ୱାଇଁର ଉନ୍ନତକାଣ୍ଡ..

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଆମପାଣି ଥାନା ଅଧିନସ୍ଥ କାଉଡୋଳା ଗ୍ରାମରେ ଶ୍ୱଶୁର ଘରେ ଜ୍ୱାଇଁର ଉନ୍ନତକାଣ୍ଡ ଓ ବାଇକ ପୋଡି ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।ସୂଚନା ମୁତାବକ କାଉଡୋଳା ଗ୍ରାମର ନାରାୟଣ ଧଙ୍ଗଡ଼ାମାଝୀଙ୍କ ଝିଅ ଲୀପି ଗତ
୨O୧୭ ମସିହାରେ ଝାରକୁଣ୍ଡା ଗ୍ରାମର ରତ୍ନାକର ସାରାଫ ନାମକ ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ ଓ ସେମାନଙ୍କ ପୁତ୍ର ସନ୍ତାନ ମଧ୍ୟ ହୋଇଥିଲା କିନ୍ତୁ ଏହା ପରେ ଧୀରେ ଧୀରେ ରତ୍ନାକରଙ୍କ ମାନସିକତାରେ ପରିବର୍ତ୍ତନ ଆସିଥିଲା ଓ ଲିପିଙ୍କ ଉପରେ ଅତ୍ୟାଚାର ଆରମ୍ଭ ହୋଇଥିଲା। ପୀଡିତା ଲିପିଙ୍କ କହିବା ଅନୁଯାୟୀ, ବିବାହ ପରେ ବର୍ଷେ କାଳ ଦୁହିଁଙ୍କ ମଧ୍ୟରେ ବୈବାହିକ ସମ୍ପର୍କ ଭଲଥିଲା କିନ୍ତୁ ଏହାପରେ ତାଙ୍କ ସ୍ୱାମୀ ଧୀରେ ଧୀରେ ମାନସିକ ଅତ୍ୟାଚାର ଆରମ୍ଭ କରିଦେଇଥିଲେ ଓ ପରେ ପରେ ଘରେ କବାଟ ଦେଇ ଛୋଟ ଛୁଆ ସାମ୍ନାରେ ଲିପିଙ୍କୁ ପ୍ରବଳ ମାଡ଼ ଦେବା ନିତିଦିନିଆ ଘଟଣା ହୋଇଯାଇଥିଲା।ଏପରିକି ଧାରୁଆ ଟାଙ୍ଗିଆ ସାହାଯ୍ୟରେ ପୀଡିତା ଲିପିଙ୍କ ଆଙ୍ଗୁଠି ଗୁଡିକ କାଟିବା ପାଇଁ କେତେଥର ଚେଷ୍ଟା ମଧ୍ୟ କରିଥିଲେ।ଏଥରେ ମନ ନପୁରିବାରୁ ସିରିଞ୍ଜ ଦ୍ୱାରା ଜବରଦସ୍ତ ଲିପିଙ୍କ ଦେହରୁ ରକ୍ତ ମଧ୍ୟ କାଢିଥିଲେ।ଗତ ଦୁଇ ଦିନ ତଳେ ପୀଡିତାଙ୍କ ସ୍ୱାମୀ ପୀଡିତାଙ୍କ ଦ୍ୱାରା ଦୋକାନରୁ ଏକ ନୂଆ ବ୍ଲେଡ ମଗାଇଥିଲେ। ଏହାପରେ ପୀଡିତାଙ୍କୁ ଖଟରେ ତାଙ୍କ ମୁଣ୍ଡର ବାଳ ଗୁଡିକୁ କାଟିଦେଇଥିଲେ ଓ ଅନ୍ୟ ବ୍ୟକ୍ତିଙ୍କ ସହ ସମ୍ପର୍କ ଥିବା କହି ପ୍ରବଳ ମାଡ଼ ଦେଇଥିଲେ।ଏହା ପରେ ପୀଡିତା ଲିପି ଅତିଶୟ ନିର୍ଯାତନା ସମ୍ଭାଳିନପାରି ନିଜ ବାପଘରକୁ ଚାଲିଆସିଥିଲେ।ଏଥିରେ ରତ୍ନାକର ପ୍ରବଳ ରାଗିଯାଇ ବିଳମ୍ବିତ ରାତ୍ରରେ ଶ୍ୱଶୁର ଘରେ ପହଞ୍ଚି କବାଟ ବାଡେଇ ସମସ୍ତଙ୍କୁ ଡାକି ପାଟିତୁଣ୍ଡ ଓ ଅଭଦ୍ର ଭାଷାରେ ଗାଳିଗୁଲଜ ଆରମ୍ଭ କରିଦେଇଥିଲେ।ଶ୍ୱଶୁର ଘର ଲୋକେ ଯେତେ ବୁଝାଇବାକୁ ଚେଷ୍ଟା କଲେ ମଧ୍ୟ ରତ୍ନାକର ବୁଝିନଥିଲେ ବରଂ ଅଧିକ ଉତ୍ପାତ ମଚାଇ ଶ୍ୱଶୁରଙ୍କ ଘରେ ନିଆଁ ଲଗାଇବା ପାଇଁ ଚେଷ୍ଟା କରିଥିଲେ ଏଥିରେ ଶ୍ୱଶୁର ଘର ଲୋକେ ବିରୋଧ କରିବାରୁ ଘର ସମ୍ମୁଖରେ ଥିବା ଶ୍ୱଶୁରଙ୍କ ମୋଟର ସାଇକଲକୁ ନିଆଁ ଲଗାଈ ଦେଇଥିଲେ ଓ ଫିଲ୍ମ ଷ୍ଟାଇଲରେ ଶ୍ୱଶୁର ଘର ଲୋକଙ୍କୁ ଧମକ ଦେଇଥିଲେ ଯେ’ ଏହା ତ ଟ୍ରେଲର ଦେଖଲ,ଆଗକେ ପିକ୍ଚର ବାକି ଅଛେ।ଏତିକି କହି ରତ୍ନାକର ସେଠାରୁ ଚାଲିଯାଇଥିଲେ।ଏହି କାଣ୍ଡ ପରେ ପୀଡିତା ଲିପି ଓ ତାଙ୍କ ବାପ ଘର ଲୋକେ ଆତଙ୍କିତ ହୋଇ ପଡିଥିବା ବେଳେ ଗ୍ରାମର କିଛି ବୟୋ ଜ୍ୟେଷ୍ଠ ବୁଦ୍ଧିଜୀବୀଙ୍କ ପରାମର୍ଶ କ୍ରମେ ଲିପିଙ୍କ ବାପ ଘରଲୋକେ ଆମପାଣି ଥାନାରେ ରତ୍ନାକରଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ କରିଛନ୍ତି ଓ ଥାନା ଅଧିକାରିଙ୍କୁ ଅନୁରୋଧ କରିଛନ୍ତି ଯେ ଦୋଷୀକୁ ଅତିଶୀଘ୍ର ଗିରଫ କରି ପୀଡିତା ଲିପିଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ।ଏନେଇ ଆମପାଣି ପୋଲିସ ଏକ ମାମଲା ୠଜ୍ଜୁ କରି ତତ୍ପରତାର ସହ ମାମଲାର ଯାଞ୍ଚ ଆରମ୍ଭ କରିଦେଇଛି।
