March 10, 2026

ମୁଖ୍ଯ ରାସ୍ତା ଉପରେ ମେଲୋଡି କାର୍ଯ୍ୟକ୍ରମ , ଯାତ୍ରାକୁ ଆସି ଲୋକେ ହଟହଟା , ପୋଲିସ୍ ନୀରବ ଦ୍ରଷ୍ଟା 

IMG-20230508-WA0014
Share

ବୁଗୁଡ଼ା : ତା ୦୮/୦୫/୨୩ : ସଂପ୍ରତି ବୁଗୁଡ଼ାରେ ଠାକୁରାଣୀ ଯାତ୍ରା ଚାଲିଥିବା ବେଳେ ରବିବାର ସନ୍ଧ୍ୟାରୁ ରାତି ପର୍ଯ୍ୟନ୍ତ ହାଇସ୍କୁଲ ଛକ ନିକଟରେ ମୁଖ୍ୟ ସଡକ ଉପରେ ଆୟୋଜିତ ମେଲୋଡି କାର୍ଯ୍ୟକ୍ରମ ଯୋଗୁଁ ଚାରିଆଡୁ ଆସିଥିବା ଯାତ୍ରା ଦେଖଣାହାରୀ ନାହିଁ ନଥିବା ହଟହଟାର ସମ୍ମୁଖୀନ ହୋଇଥିବା ବେଳେ ପୋଲିସ ନୀରବ ଦ୍ରଷ୍ଟା ସାଜିଥିବା ଘଟଣାକୁ ନେଇ ସାଧାରଣରେ ସମାଲୋଚନାମୂଳକ ଚର୍ଚ୍ଚା ଜୋର ଧରିଛି । ପ୍ରକାଶ ଯେ, ଠାକୁରାଣୀ ଯାତ୍ରାର ଦ୍ବାଦଶ ଦିବସରେ ମୁଖ୍ୟ ସଡକ ଉପରେ ଯାତାୟତ ପାଇଁ କିଛି ଫୁଟ ରାସ୍ତା ଛାଡି ଦେଇ ମେଲୋଡି କାର୍ଯ୍ୟକ୍ରମର ମଞ୍ଚ ପ୍ରସ୍ତୁତ ହୋଇଥିଲା । ସନ୍ଧ୍ୟାରେ ମେଲୋଡି କାର୍ଯ୍ୟକ୍ରମ ଆରମ୍ଭ ହୋଇ ଯିବାରୁ ସେଠାରେ ଅସମ୍ଭାଳ ଭିଡ ଜମିଥିଲା ବେଳେ ମଞ୍ଚ ପାର୍ଶ୍ବରେ ଲୋକେ ଠେଲାପେଲା ହୋଇ ବଡ କଷ୍ଟରେ ଯିବା ଆସିବା କରିବାକୁ ପଡୁଥିଲା । କିଛି ବଡବଡିଆ ବ୍ଯାରିକେଡ ଭିତରେ ବସି ମନୋରଞ୍ଜନ କରୁଥିବା ବେଳେ ଯାତ୍ରା ଦେଖିବାକୁ ଗ୍ରାମାଞ୍ଚଳରୁ ଛୁଟି ଆସିଥିବା ହଜାର ହଜାର ଲୋକ ରାସ୍ତା ପାରିହେବାକୁ ହଟହଟାର ସମ୍ମୁଖୀନ ହେଉଥିଲେ ଏବଂ ପୋଲିସ ଖଣ୍ଡେ ଦୂରରେ ରହି ନୀରବ ଦ୍ରଷ୍ଟା ସାଜିଥିଲା । ଅନ୍ୟପକ୍ଷରେ ଠାକୁରାଣୀଙ୍କ ଭ୍ରମଣି ଯୋଗୁଁ ପୋଲସରା ରୋଡରେ ଭିଡ ଜମିଥିବାରୁ ଯାତ୍ରୀବାହୀ ବସଗୁଡ଼ିକ ଦୀର୍ଘ ସମୟ ଧରି ଅଟକି ରହିଥିଲା । ଏଥି ସହ ରାସ୍ତା ଜାମ୍ ଯୋଗୁଁ ମେଲୋଡି ଗହଳିରେ କଣିଆପଲ୍ଲୀ ଗ୍ରାମର ତିନି ବର୍ଷର ଝିଅଟିଏ ନିଖୋଜ ହୋଇ ବହୁ ସମୟ ପରେ ବୁଗୁଡ଼ା ଉପକଣ୍ଠସ୍ଥ ତାରୁଟାଙ୍କି ନିକଟରୁ ଉଦ୍ଧାର ହୋଇଥିବା ଭଳି ଘଟଣା ଘଟିଥିଲା । ସେହିପରି ମୁଖ୍ୟ ରାସ୍ତା ଅବରୋଧ ଯୋଗୁଁ ନୂଆ ସାହି ରାସ୍ତା ଦେଇ ଯାତ୍ରୀବାହୀ ବସ୍ ଗଲାବେଳେ ଆଲୋକ ତୋରଣକୁ ଭାଙ୍ଗିଯିବା ଏବଂ ଗାଡିବାଲାକୁ କ୍ଷତି ପୂରଣ ରାଶି ଦେବାକୁ ପଡିବା ଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଅନ୍ୟପକ୍ଷରେ ପୋଲିସର ଟ୍ରାଫିକ୍ ପରିଚାଳନାଗତ ବିଫଳତା ଯୋଗୁଁ ଚାରି ଚକିଆ ଗାଡି ଚାଳକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏ ସମସ୍ତ ସମସ୍ଯାର ମୂଳ କାରଣ ରହିଥିଲା ରାସ୍ତା ଅବରୋଧ କରି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ । ଏଥି ପାଇଁ ପୋଲିସ କେଉଁ ବିବେକ ପଣିଆରେ ଅନୁମତି ଦେଇଥିଲା ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଥି ସହ ରାସ୍ତା ଅବରୋଧ ଯୋଗୁଁ ହଟହଟାର ସମ୍ମୁଖୀନ ହୋଇଥିବା ହଜାର ହଜାର ଲୋକ ଆୟୋଜକ ଏବଂ ପୋଲିସକୁ ଭର୍ତ୍ସନା କରିବାକୁ ଭୁଲି ନଥିଲେ । ତେଣୁ ଯାତ୍ରାର ଅବଶିଷ୍ଟ ଦିନ ଗୁଡିକରେ କିପରି ଶାନ୍ତି ଶୃଙ୍ଖଳା ରକ୍ଷା କରାଯିବ ସେନେଇ ପୋଲିସ ପ୍ରଶାସନ ଯତ୍ନବାନ୍ ରହିବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।