May 13, 2026

ମାଙ୍କଡ଼ଙ୍କ ଯୋଗୁଁ ମରଣଯନ୍ତା ପାଲଟିଛି ଭବାନୀପାଟଣା ରାୟଗଡା ମୁଖ୍ୟ ରାସ୍ତା।

IMG-20250208-WA0062
Share

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ):କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରୁ ରାୟଗଡା ପର୍ଯ୍ୟନ୍ତ ଯାଇଥିବା ରାଜ୍ୟ ରାଜପଥରେ ଆସୁଥିବା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କଦଳୀଘାଟି ଠାରୁ ଢ଼େପଗୁଡା ଘାଟି ପର୍ଯ୍ୟନ୍ତ ଘଞ୍ଚ ଜଙ୍ଗଲ ପୁର୍ଣ ପ୍ରାୟ କୋଡିଏ କି.ମି ରାସ୍ତା ମାଙ୍କଡ଼ମାନଙ୍କ ଚରାଭୂଇଁ ପାଲଟିଛି। ବର୍ଷ ବର୍ଷ ଧରି ଟ୍ରକ ଓ ଚାରିଚକିଆ ଯାନରେ ଯାଉଥିବା ଡ୍ରାଇଭର ଓ ଯାତ୍ରୀମାନେ ମାଙ୍କଡମାନଙ୍କୁ ଶ୍ରଦ୍ଧାରେ ବିଭିନ୍ନ ପ୍ରକାରର ଖାଦ୍ୟ ଓ ଫଳମୂଳ ଖାଇବାକୁ ଦେଇଆସୁଛନ୍ତି। ଯାହାଫଳରେ ଏହି ରାସ୍ତାରେ ସର୍ବଦା ହଜାର ହଜାର ମାଙ୍କଡ଼ ଜଙ୍ଗଲ ଭିତରକୁ ନଯାଇ ରାସ୍ତା କଡରେ, ରାସ୍ତା ଉପରେ ବୁଲୁଥିବା ଦେଖିବାକୁ ମିଳେ। କିଏ ଖାଇବାକୁ ଦେଲେ ଏକାଥରକେ ଶତାଧିକ ମାଙ୍କଡ଼ ରାସ୍ତା ଜାମ କରି ସେଠାରେ ରୁଣ୍ଡ ହୋଇଥାନ୍ତି। ଯାହା ଫଳରେ ପ୍ରତ୍ୟେକ ଦିନ ଛୋଟ ବଡ ଦୁର୍ଘଟଣାମାନ ଘଟିଥାଏ। ଖାସକରି ଦୁଇ ଚକିଆ ଗାଡି ଚାଳକ ମାନେ ଅଧିକ ହଇରାଣ ହୋଇଥାଆନ୍ତି।ପ୍ରାୟ ଅଧିକାଂଶ ସମୟରେ ଦୁଇଚକିଆ ଚାଳକମାନେ ମାଙ୍କଡ ଆକ୍ରମଣର ଶିକାର ହୋଇଥାନ୍ତି। ମାଙ୍କଡ଼ମାନେ ମଧ୍ୟ ଦ୍ରୁତଗାମୀ ବଡ ଗାଡି ଚକ ତଳେ ଚାପିହେବା ଏକ ଦୈନନ୍ଦିନ ଘଟଣା। ଏହାଛଡା ବଡ ବଡ ଟ୍ରକ ଗୁଡିକ ମଧ୍ୟ ମାଙ୍କଡ଼ ମାନଙ୍କ ପାଇଁ ଭାରସାମ୍ୟ ହରାଇ ଓଲଟିବା ଓ ଡ୍ରାଇଭର ମାନଙ୍କ ଜୀବନ ଯିବା ସାଧାରଣ ଘଟଣା ହୋଇଯାଇଛି। ବର୍ତ୍ତମାନ ଏହି ରାଜ୍ୟରାଜପଥର ପ୍ରଶସ୍ତିକରଣ କାମ ଚାଲିଥିବା ବେଳେ,ଏଥିରେ କାମ କରୁଥିବା କର୍ମଚାରୀ ଏବଂ ମଜୁରିଆ ମାନେ ମଧ୍ୟ ମାଙ୍କଡ଼ ଆକ୍ରମଣର ଶିକାର ହେଉଛନ୍ତି। ଏହି ରାସ୍ତାରେ ଅନେକ ଜାଗାରେ ପି. ଡବ୍ଲୁ.ଡ଼ି ତରଫରୁ ମାଙ୍କଡ଼ ମାନଙ୍କୁ ଖାଇବାକୁ ଦିଅନ୍ତୁ ନାହିଁ ବୋଲି ବୋର୍ଡ ଗୁଡିକ ଲଗାଯାଇଛି। କିନ୍ତୁ ଏହାର ଫାଇଦା ଦେଖିବାକୁ ମିଳୁନାହିଁ। ତେଣୁ ଏନେଇ ବନବିଭାଗ ତରଫରୁ ତତ୍ପରତା ଦେଖାଇ ପେଟ୍ରୋଲିଂ ସହ ଲୋକଙ୍କୁ ସଚେତନ କରାଇଲେ ମଣିଷ ତଥା ମାଙ୍କଡ଼ ସମସ୍ତଙ୍କ ଜୀବନ ରକ୍ଷା ହୋଇପାରନ୍ତା ବୋଲି କିଛି ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି।