February 22, 2025

ଉଦ୍‌ଘାଟିତ ହେଲା ଚାନ୍ଦିପୁର ସୁବର୍ଣ୍ଣ ବେଳାଭୂମି ମହୋତ୍ସବର ରୌପ୍ୟ ଜୟନ୍ତୀ

Share

 

 

ବାଲେଶ୍ୱର : ଓଡ଼ିଶା ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ସହଯୋଗରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଓ ଚାନ୍ଦିପୁର ବେଳାଭୂମୀ ମହୋତ୍ସବ କମିଟିର ମିଳିତ ଆନୁକୂଲ୍ୟରେ ଉଦଘାଟିତ ହୋଇଛି ଚାନ୍ଦିପୁର ସୁବର୍ଣ୍ଣ ବେଳାଭୂମି ମହୋତ୍ସବର ରୌପ୍ୟ ଜୟନ୍ତୀ। ମହୋତ୍ସବର ପୃଷ୍ଠପୋଷକ ତଥା ସଦର ବିଧାୟକ ମାନସ କୁମାର ଦତ୍ତ, ଚାରି ଦିନିଆ ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ସହିତ ସମ୍ପର୍କର ସେତୁବନ୍ଧ ବାନ୍ଧିବାରେ ସୁବର୍ଣ୍ଣ ଚାନ୍ଦିପୁର ବେଳାଭୂମି ମହୋତ୍ସବର ଦୀର୍ଘ ୨୫ ବର୍ଷ ଧରି ନିରବଚ୍ଛିନ୍ନ ଭୂମିକାକୁ ଉଚ୍ଚ ପ୍ରଶଂସା କରିଥିଲେ । ସମଗ୍ର ଏସିଆ ମହାଦେଶରେ ଅଦ୍ୱିତୀୟ ଚାନ୍ଦିପୁର ବେଳାଭୂମିର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ୨୦ କୋଟି ଟଙ୍କାର ଆର୍ଥିକ ଅନୁଦାନ ମଞ୍ଜୁର କରିଥିବା ସମ୍ପର୍କରେ ସେ ସୂଚନା ଦେଇଥିଲେ । ସାମୁହିକ ସହଯୋଗ ମାଧ୍ୟମରେ ଏହି ଉତ୍ସବର ବିଶ୍ବବ୍ୟାପୀ ପ୍ରଚାର ପ୍ରସାର କରିବା ଉପରେ ବିଧାୟକ ଶ୍ରୀ ଦତ୍ତ ଗୁରୁତ୍ୱ ଦେଇଥିଲେ । ପୁର୍ବତନ ମନ୍ତ୍ରୀ ତଥା ଜଳେଶ୍ବର ବିଧାୟକ ଅଶ୍ୱିନୀ କୁମାର ପାତ୍ର ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାନ୍ଦିପୁର ସୁବର୍ଣ୍ଣ ବେଳାଭୂମି ମହୋତ୍ସବ ଦ୍ୱାରା ବାଲେଶ୍ୱର ତଥା ଓଡ଼ିଶାର କଳା ଓ ସଂସ୍କୃତି ବିଶ୍ୱ ଦରବାରରେ ପ୍ରସିଦ୍ଧି ଲାଭ କରିପାରିଛି ବୋଲି ମତ ପ୍ରକାଶ କରିଥିଲେ । ତେବେ ଚାନ୍ଦିପୁର ବେଳାଭୂମିର ଅବକ୍ଷୟ ଯୋଗୁଁ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇବାକୁ ନେଇ ଚିନ୍ତା ପ୍ରକଟ କରିଥିଲେ । ଚାନ୍ଦିପୁର ବେଳାଭୂମିର ସାମଗ୍ରିକ ବିକାଶ ସହ ପର୍ଯ୍ୟଟନ ବୃଦ୍ଧି ପାଇଁ ସାମଗ୍ରିକ ସହଯୋଗ ଉପରେ ଶ୍ରୀ ପାତ୍ର ଗୁରୁତ୍ୱାରୋପ କରିଥିଲେ। ବାଲେଶ୍ଵର ଉପଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଓ ଆଇଏଏସ ପ୍ରୋବେସନର ଦିଲ୍ଲୀପ ଅଭିଷେକ ଦୁଧଲ୍ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚାନ୍ଦିପୁର ବେଳାଭୂମୀର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଥିବା କହିଥିଲେ । ପୂର୍ବତନ ବିଧାୟକ ତଥା ବେଳାଭୂମି ମହୋତ୍ସବ କମିଟିର ସଭାପତି ଜୀବନ ପ୍ରଦୀପ ଦାଶ ଏଥିରେ ସଭାପତିତ୍ୱ କରିବା ସହ ଉତ୍ସବର ପୃଷ୍ଠଭୂମି ଓ କମିଟିର କାର୍ଯ୍ୟଧାରା ସମ୍ପର୍କରେ ଆଲୋଚନା ସହ କମିଟିର ଦିବଙ୍ଗତ ପ୍ରତିଷ୍ଠାତା ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ରୌପ୍ୟ ଜୟନ୍ତୀ ଉତ୍ସବ କମିଟିର ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀନାରାୟଣ ମହାନ୍ତି ଏଥିରେ କାର୍ଯ୍ୟକ୍ରମରେ ସଂଯୋଜନା ସହ ଉତ୍ସବର ସଫଳ ରୂପାୟନ ରେ ସହଯୋଗ ପ୍ରଦାନ କରିଥିବା ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜଣାଇଥିଲେ । ମହୋତ୍ସବ କମିଟିର ସାଧାରଣ ସଂପାଦକ ବରିଷ୍ଟ ଆଇନଜୀବୀ ହରେକୃଷ୍ଣ ଦାଶ ଏଥିରେ ସଂପାଦକୀୟ ବିବରଣୀ ପାଠ କରିଥିଲେ । ସମ୍ପାଦକ କିଶୋର ଦାସ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। କମିଟିର ଉପସଭାପତି ବିପ୍ଳବ କୁମାର ମହାନ୍ତି ଶେଷରେ ଧନ୍ୟବାଦ୍ ଅର୍ପଣ କରିଥଲେ । ସମାଜସେବୀ ପର୍ଶୁରାମ ବେହେରା, ଉତ୍ସବ କମିଟିର ସମ୍ପାଦକ ସମରେନ୍ଦ୍ର ନାଥ ଦାସ, ଅତିରିକ୍ତ ସଧାରଣ ସମ୍ପାଦକ ଭାବଗ୍ରାହୀ ମହାନ୍ତି, ସମ୍ପାଦକ ଭାଗବତ ସାହୁ, ଆରତୀ ଦାସ, ସୁକୁମାର ରଣା, ଶେଖ ଆଲାମ, ତପନ ଜେନା, ନାଏବ ସରପଂଚ ଶ୍ରୀକାନ୍ତ ନାୟକ ପ୍ରମୁଖ ଏଥିରେ ମଞ୍ଚାସୀନ ଥିଲେ। ସଭା ପରେ ସାଂସ୍କୃତିକ ସଂପାଦକ ଡକ୍ଟର ଶ୍ରୀମାନ ଶ୍ରୀଚନ୍ଦନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସାଂସ୍କୃତିକୁ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏଥିରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁନାମଧନ୍ୟ କଣ୍ଠଶିଳ୍ପୀ ବିଷ୍ଣୁ ମୋହନ କବି ଓ ସୁଜ୍ଞାନି ମହାପାତ୍ର ସଙ୍ଗୀତ ପରିବେଷଣ କରିଥିଲେ । ଦିବ୍ୟଜ୍ୟୋତି ମହାନ୍ତି, ଦେବଜ୍ୟୋତି ଦାସ ମହାପାତ୍ର, ପ୍ରଶାନ୍ତ ପଟେଲ, ବିଭୂପଦ ମହାନ୍ତି, ସନ୍ଧ୍ୟାରାଣୀ ଭୂୟାଁ, ନିର୍ମାଲ୍ୟ ମହାନ୍ତି, ରାଜେନ୍ଦ୍ର ପଟ୍ଟନାୟକ, ଜ୍ୟୋତିର୍ମୟୀ ସାମଲ, ଜିତ ପ୍ରକାଶ ଦାଶ, ଅସିତ କୁମାର ଦାସ, ଅନୁପମ ମିଶ୍ର, ଇପସିତା ପଣ୍ଡା, ସନ୍ନ୍ୟାସୀ ମହାରଣା ସଞ୍ଜୟ ପ୍ରଧାନ ପ୍ରମୁଖ ସମସ୍ତ କାର୍ଯ୍ଯ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।