ଗଜପତିରେ ଦକ୍ଷିଣ ଓଡ଼ିଶାର ସୌରା ମାନବ ଐତିହାସିକ ଦୃଷ୍ଟିକୋଣ ସମ୍ପର୍କିତ ଆଲୋଚନା ଚକ୍ର ଓ କର୍ମଶାଳା..
ପାରଳାଖେମୁଣ୍ଡି(ଗଣେଶ କୁମାର ରାଜୁ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟର ଇତିହାସ ବିଭାଗର ସମ୍ମିଳନୀ କକ୍ଷ ଠାରେ ଇତିହାସ ବିଭାଗ ସ୍ନାତକୋତ୍ତର ବିଭାଗ ପକ୍ଷରୁ ଦକ୍ଷିଣ ଓଡ଼ିଶାର ସୌରା ମାନବ ଐତିହାସିକ ଦୃଷ୍ଟିକୋଣ ସମ୍ପର୍କିତ ଏକ ଦିନିକିଆ ଆଲୋଚନା ଚକ୍ର ଓ କର୍ମଶାଳା କାର୍ଯ୍ୟକ୍ରମ ଆନ୍ତଃ ଗୁଣବତ୍ତା ଆଶ୍ଵାସନା ପ୍ରକୋଷ୍ଟ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ରାଧାକାନ୍ତ ଭୂୟାଁ ମୁଖ୍ୟଅତିଥି ଭାବେ ଯୋଗଦେଇ ଧୀରେ ଧୀରେ ଲୋପ ପାଇ ଯାଉଥିବା ସୌରା ସମାଜର ଜୀବନ ଧାରା,ଆସ୍ଥା,ସଂସ୍କୃତି ଓ ପରମ୍ପରା ସବୁକୁ ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଜନଜାତି ଇତିହାସ ଓ କଳାକୁ ନୂତନ ପିଢ଼ିଙ୍କ ପାଖରେ କିଭଳି ପହଞ୍ଚାଇ ପାରିବା ଏହା ହିଁ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ରହିଛି ବୋଲି କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ପ୍ରସିଦ୍ଧ ଭାଷାବିତ୍ ପୂର୍ବତନ କେନ୍ଦ୍ରୀୟ ଝାଡ଼ଖଣ୍ଡ ବିଶ୍ଵବିଦ୍ୟାଳୟର ସହକାରୀ ପ୍ରଧ୍ୟାପକ ଏବଂ ପରିମଲ ଫାଉଣ୍ଡେସନର ପରିଚାଳକ ଭାଷାବିତ୍ ଗୁଞ୍ଜଲ୍ ଇକିର ମୁଣ୍ଡା ଯୋଗ ଦେଇ ଜନଜାତି ଭାଷା ବିଜ୍ଞାନ ଓ ସଂସ୍କୃତିର ସଂରକ୍ଷଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରି ଅସୁର ବିରୋହର ଓ ବିରଜିଆ ଭଳି ବିଲୁପ୍ତି ପଥରେ ରହିଥିବା ଝାଡଖଣ୍ଡି ଭାଷା ଗୁଡ଼ିକର ଦଲିଲିକରଣ ସହିତ ମାତୃଭାଷା ଆଧାରିତ ଶିକ୍ଷାର ଆବଶ୍ୟକତା ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ।ସେହିଭଳି ରାଞ୍ଚି ୟୁନଭରସିଟିର ନର-ବିଜ୍ଞାନ ବିଭାଗର ପି ଏଚ୍ ଡି ଗବେଷଣା ଛାତ୍ର ଓ ଶିକ୍ଷଣ ସହାୟକ ଶ୍ରୀ ଅଭିଜିତ ମୁଣ୍ଡା ଯୋଗ ଦେଇ ଜନଜାତି ଅଧ୍ୟୟନରେ ସୌରାଙ୍କ ସାମାଜିକ ଜୀବନ ଏବଂ ଇଥନୋଗ୍ରାଫିକ୍ ପ୍ରଣାଳୀର ଗୁରୁତ୍ଵ ଉପରେ ନିଜର ମତ ରଖିବା ସହ ତାଙ୍କର ଗବେଷଣାତ୍ମକ ପୂର୍ବ ଭାରତର ସୌରା ଜନଜାତିଙ୍କ ସାମାଜିକ ଜୀବନ,ଅର୍ଥନୈତିକ ପ୍ରଣାଳୀ ଓ ଆତ୍ମୀୟତା ବ୍ୟବସ୍ଥାରେ ଘଟୁଥିବା ପରିବର୍ତ୍ତନ ଉପରେ ବିଶେଷ ଭାବେ ଫୋକସ କରିଥିଲେ।ମହାବିଦ୍ୟାଳୟର ଇତିହାସ ବିଭାଗ ମୁଖ୍ୟ ସହକାରୀ ପ୍ରଫେସର ଡ଼ଃ ସୌରଭ କୁମାର ମହାନ୍ତ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ ସଉରା ମାନବ ସମ୍ପ୍ରଦାୟ ଓ ଜଗନ୍ନାଥ ସଂସ୍କୃତିର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଭାଗୀୟ ଛାତ୍ରୀ ମହାଲକ୍ଷ୍ମୀ ମହାପାତ୍ର ଏବଂ ଅର୍ଚ୍ଚନା ଭୂୟାଁ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ।
ଏହି ଅବସରରେ ମଞ୍ଚାସିନ ଅତିଥି ମାନଙ୍କ ସହ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କ ମନରେ ରହିଥିବା ସନ୍ଦେହ ମୋଚନ ଉଦ୍ଦେଶ୍ୟତା ନେଇ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ସମେତ ପରୀକ୍ଷା ନିୟନ୍ତ୍ରକ,ସଂସ୍କୃତ ବିଭାଗ,ଆନ୍ତଃ ଗୁଣବତ୍ତା ଆଶ୍ଵାସନା ପ୍ରକୋଷ୍ଠ (ଆଇକ୍ୟୁଏସି)ମୁଖ୍ୟ ଶ୍ରୀ ସୁକାନ୍ତ ବେହେରା ଏବଂ ଅନ୍ୟାନ୍ୟ ଅଧ୍ୟାପକ ମାନେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବିଭାଗୀୟ ଛାତ୍ରୀ ଅର୍ଚ୍ଚନା ଭୂୟାଁ, ମହାଲକ୍ଷ୍ମୀ ମହାପାତ୍ର,ଅମିତ୍ ମଲ୍ଲିକ ଏବଂ ଶ୍ରୀୟା ମହାରଣା ପ୍ରମୁଖ କାର୍ଯ୍ୟକ୍ରମର ବିଷୟ ବସ୍ତୁ ଉପରେ ନିଜ ନିଜର ଷ୍ଟୁଡେଣ୍ଟ୍ ପେପର(ସନ୍ଦର୍ଭ)ଉପସ୍ଥାପନ କରିଥିଲେ।ଏହି ସେମିନାର କାର୍ଯ୍ୟକ୍ରମରେ ଏସ୍.କେ.ସି.ଜି. ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଚନ୍ଦନ ରାଇକା,ମିଟନ ରଇତ,ଦାମନ୍ ଭୂୟାଁ,ଅଜିତ ରାଇକା,ଲେବ୍ୟା ଗମାଙ୍ଗ,ବାଦଲ ରଇତ,ପ୍ରଭାକର କାର୍ଜି,ଆନ୍ତିୟୋ ଖିଆର ଏବଂ ନିମ୍ରତ ଭୂୟାଁ ପ୍ରମୁଖ ସକ୍ରିୟ ଭାଗ ନେଇ ସୌରା ଜନଜାତିଙ୍କ ଚିତ୍ରକଳା, ଚିତ୍ରଣ ଓ ତାହାର ସାମାଜିକ ଓ ସାଂସ୍କୃତିକ ମହତ୍ତ୍ୱ ବିଷୟରେ ପ୍ରସ୍ତୁତି କରଣ ଏକ ବିରାଟ ପ୍ରଦର୍ଶନୀ ମାଧ୍ୟମରେ ଦେଇଥିଲେ।ପ୍ରଦର୍ଶନୀ ସମୟରେ ସୌରା ଜନଜାତିଙ୍କ ଚିତ୍ରକଳା ଓ ଅନ୍ୟାନ୍ୟ ସୃଜନଶୀଳ କୃତି ଗୁଡ଼ିକୁ ଛାତ୍ରଛାତ୍ରୀ ମାନେ ଅତିଥି ମାନଙ୍କ ସମ୍ମୁଖରେ ସୁନ୍ଦର ଭାବରେ ପ୍ରସ୍ତୁତ କରିଥିଲେ।କାର୍ଯ୍ୟକ୍ରମ ଶେଷରେ ଇତିହାସ ବିଭାଗର ମୁଖ୍ୟ ଡ଼.ସୌରଭ କୁମାର ମହାନ୍ତ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଠାରୁ ମିଳିଥିବା ଉପାଦେୟ ମୂଳକ ଶିକ୍ଷାକୁ ଜୀବନରେ ପ୍ରୟୋଗ କରିବା ପାଇଁ ଉତ୍ସାହିତ କରିଥିଲେ।
