ଆକୁଳ କଣ୍ଠରେ କହୁଛି ମାଆ, ଦୟାକରି ମୋ ପୁଅକୁ ବଞ୍ଚେଇ ଦିଅନ୍ତୁ……

ତିର୍ତ୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।
ହାତଯୋଡ଼ି ନେହୁରା ହୋଇ ଆକୁଳ କଣ୍ଠରେ ନିବେଦନ କରି କହୁଛି ଗର୍ଭଧାରିଣୀ ମାଆ । ଦୟାକରି ମୋ ପୁଅକୁ ବଞ୍ଚେଇ ଦିଅନ୍ତୁ । ମୁଁ ଆଉ ମୋ ସ୍ୱାମୀ ଖଟିଖିଆ ଦୀନ ମଜୁରିଆ ।ପରଘରେ ପାଇଟି କରି ପରିବାର ଚଳାଏ । ପଇସା କୋଉଠୁ ପାଇବି ଯେ ପୁଅକୁ ଭଲ କରିବି । ମୋ ପଡୋଶୀ ଯୁବକ ମାନେ ପଇସା ଆଦାୟ କରି କଟକ ବଡ ଡାକ୍ତରଖାନା ନେଇକି ଯାଇଥିଲେ । ଡାକ୍ତର କହିଲେ ଆମେ ପାରିବୁନି । ତାଙ୍କୁ ଏମ୍ସ କୁ ନେଇଯାଅ । ଚିକିତ୍ସା ସମୟ କୁ ପୁଅର ଆଧାର କାର୍ଡ ନାହିଁ l ଆଧାର ନଥିଲେ ବି.ଏସ.କେ.ୱାଇ. ସ୍ୱାସ୍ଥ୍ୟ କାର୍ଡ କରି ହେଉନି l ଏଣେ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି ରୋଗ l ଗୋଡ ହାତ ଓ ଶରୀରର ଅନେକ ଯାଗା ଫୁଲି ଗଲାଣି l ପେଟରେ ଟ୍ୟୁମର ହୋଇ କ୍ୟାନ୍ସର ଆରମ୍ଭ ହୋଇଯାଇଛି l କଣ ଆମେ କରିପାରିବୁ ?
ଅଭାବୀ ସଂସାରକୁ ରୋଗର ଦାଉ l ଦୟାକରି ମୋ ପୁଅକୁ ବଞ୍ଚେଇ ଦିଅନ୍ତୁ l ମୋର ଘର ଦରକାର ନାହିଁ l ଭଙ୍ଗାଘରେ ରହିଯିବି l କିନ୍ତୁ ମୋ ପୁଅକୁ ଟିକେ ମେଡିକାଲ ନେଇ ବଞ୍ଚେଇ ଦିଅନ୍ତୁ l ଜଣେ ମାଆ ର ଦରଦୀ ନିବେଦନ l ଏପରି ମର୍ମ ବିଦାରକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୃଷ୍ଣାନନ୍ଦପୁର ପଞ୍ଚାୟତ ର ବାରେଘର ବସ୍ତିରେ l ଏହି ବସ୍ତିର ଅକ୍ଷୟ ଗୋଛାୟତ ଙ୍କ ୧୮ ବର୍ଷର ପୁଅ ସୁଜିତ ଗୋଛାୟତ , ଯାହାଙ୍କର ବାମ ହାତଟି କୌଣସି କାରଣରୁ ନାହିଁ l ସେ ବର୍ତ୍ତମାନ ଗର୍ଭରେ ଟ୍ୟୁମର ହେବା ସକାଶୁ କ୍ୟାନ୍ସର ହେବାର ଆରମ୍ଭ ହୋଇଯାଇଛି !ଅତି ଦୟନୀୟ ଅବସ୍ଥାରେ ଆର୍ଥିକ ସମସ୍ୟାର ସହିତ ପରିବାର ଚାଲିଥିବା ବେଳେ, ସୁଜିତ ର ରୋଗ ପରିବାରକୁ ଆହୁରି ଦୁଃଖରେ ପକାଇ ଦେଇଛି l ଗାଆଁ ର କିଛି ଯୁବକ ଟଙ୍କା ଆଦାୟ କରି କୌଣସି ମତେ କଟକ ବଡ ମେଡିକାଲ ନେଇ ଯାଇଥିଲେ l ସେଠାରୁ ଡାକ୍ତର ନିଜର ଅକ୍ଷମତା ପ୍ରକାଶ କରି ଭୁବନେଶ୍ୱର ସ୍ଥିତ ଏମ୍ସ ମେଡିକାଲ କୁ ନେଇଯାଅ ବୋଲି କହିଛନ୍ତି l ସମସ୍ୟା ହେଉଛି ସୁଜିତ ର ରାସନ କାର୍ଡ ନାହିଁ, ସ୍ୱାସ୍ଥ୍ୟ କାର୍ଡ ବି ଆସିବ କୋଉଠୁ ! ପ୍ରାୟ ତିନି ଦିନ ହେବ ଅନଲାଇନ ଯୋଗେ ରାସନ କାର୍ଡ ଆବେଦନ କରିଛନ୍ତି ବୋଲି ଜଣେ ଯୁବକ ଆମ ପ୍ରତିନିଧିଙ୍କୁ ଜଣେଇଛନ୍ତି l କେବେ ବାହାରିବ ରାସନ କାର୍ଡ ତାହା ଡିପାର୍ଟମେଣ୍ଟ କୁ ଜଣା l ଅପରପକ୍ଷେ ସୁଜିତ ର ସ୍ୱାସ୍ଥ୍ୟ ଦିନକୁଦିନ ଜଟିଳ ହେବାରେ ଲାଗୁଛି l ଜିଲ୍ଲାପାଳ ମହୋଦୟ ଙ୍କୁ ଚାନେଲ ମାଧ୍ୟମରେ ନିବେଦନ କରିଛନ୍ତି ଗାଆଁ ର ଯୁବଗୋଷ୍ଠି l ଯେବେ ମାନ୍ୟବର ଜିଲ୍ଲାପାଳ ଚାହିଁବେ ତେବେ ସୁଜିତ ର ଚିକିତ୍ସା ସଠିକ ଭାବେ ହୋଇପାରିବ l ତତସହିତ ଜିଲ୍ଲାର ସାମାଜିକ ସଂଗଠନ ମାନଙ୍କୁ ନିବେଦନ କରିଛନ୍ତି ଯେ ଉକ୍ତ ଅସହାୟ ପରିବାରକୁ ସହାୟତା ର ହାତ ବଢ଼େଇବା ପାଇଁ l ଦେଖିବାକୁ ରହିଲା ଗରିବ ଦୀନ ଦୁଃଖିଙ୍କ ପାଇଁ ପ୍ରଶାସନ ଆଉ ସାମାଜିକ ସଂଗଠନ କରୁଛନ୍ତି କଣ…. ?
