ବୁଗୁଡ଼ାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା-୨୦୨୫ ଆୟୋଜିତ, ଗ୍ରାମାଞ୍ଚଳ ଚାଷୀଙ୍କ ଦ୍ବିଗୁଣିତ ଆୟ ଆମ ଲକ୍ଷ୍ୟ : ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ
ବୁଗୁଡ଼ା : ତା ୦୭/୧୨/୨୫ : ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ମିନି ଷ୍ଟାଡିୟମ ପରିସରରେ ବୁଗୁଡ଼ା ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ଗ୍ରାମୀଣ କୃଷକଙ୍କୁ ଜ୍ଞାନକୌଶଳ ପ୍ରଦାନ ଏବଂ ଆର୍ଥିକ ସମୃଦ୍ଧ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ମେଳା ବୁଗୁଡା ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡ.ଶୁଭ୍ରାଶୁ ଶେଖର ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମୁଖ୍ୟ ବକ୍ତା ଭାବେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡ.ଅଞ୍ଜନ କୁମାର ଦାଶ, ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ବିଡିଓ ଦୁତିକୃଷ୍ଣ ପାତ୍ର, ତହସିଲଦାର ତାପସ ରାଉତ, ଜିଲ୍ଲା ମତ୍ସ୍ୟ ବିଭାଗ ଅଧିକାରୀ ଭାରତ ଭୂଷଣ ସାହୁ, ସାଂସଦ ପ୍ରତିନିଧି ଉତ୍ତମ କୁମାର ଦାଶ, ବ୍ଲକ ଅଧ୍ୟକ୍ଷା ପ୍ରତିନିଧି କେ.ନୀଳମାଧବ ଆଚାରୀ , ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଜେନା ପ୍ରମୁଖ ଯୋଗ ଦେଇ ଉପସ୍ଥିତ ସହସ୍ରାଧିକ ପୁରୁଷ ଓ ମହିଳା ଚାଷୀଙ୍କ ସମେତ ଅନ୍ୟମାନଙ୍କୁ ଚାଷକାର୍ଯ୍ୟ ଏବଂ ପଶୁପାଳନ ପ୍ରତି ଆକୃଷ୍ଟ ହେବାକୁ ଉତ୍ସାହିତ କରିଥିଲେ। ଏ ଅବସରରେ ମନ୍ତ୍ରୀ ଗୋକୁଳାନନ୍ଦ ଗ୍ରାମାଞ୍ଚଳ ଚାଷୀକୁ ସଶକ୍ତ କରିବା ଏବଂ ସେମାନଙ୍କ ଆୟକୁ ଦ୍ବିଗୁଣିତ କରିବା ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି ମତବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା, ମାଛ ପାଇଁ ପୋଖରୀ ଖନନ ଯୋଜନା, ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା, ପ୍ରଧାନମନ୍ତ୍ରୀ ମତ୍ସ୍ୟସମ୍ପଦ ଯୋଜନା, ଗୋପାଳନ, ଘାସ ଚାଷ ଆଦି ପାଇଁ କୋଟିକୋଟି ଟଙ୍କାର ସବସିଡ଼ି ପ୍ରଦାନ କରାଯାଉଥିବା ଯୋଗୁଁ ଏହାର ଲାଭ ଉଠାଇବାକୁ ଉପସ୍ଥିତ ଚାଷୀମାନଙ୍କୁ ଆହ୍ବାନ ଦେଇଥିଲେ। ଏଥି ସହ ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ଗ୍ରାମାଞ୍ଚଳ ଚାଷୀଙ୍କ ନିକଟତର କରିବା ପାଇଁ ବ୍ଲକ ସ୍ତରରେ ଆୟୋଜିତ ଏହି ମେଳାରେ ପ୍ରାଣୀ ସମ୍ପଦ ସହ
ଜଡିତ ବିଭିନ୍ନ ଉତ୍ପାଦ ପ୍ରଦର୍ଶିତ ଷ୍ଟଲଗୁଡିକୁ ମନ୍ତ୍ରୀ ପର୍ଯ୍ଯବେକ୍ଷଣ ପୂର୍ବକ ଛେଳି ପାଳନ, ଗୋପାଳନ ଏବଂ ମତ୍ସ୍ୟ ଚାଷ ଆଦି ଯୋଜନାର ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ । ଅନ୍ଯପକ୍ଷରେ ମନ୍ତ୍ରୀଙ୍କ କରକମଳରେ ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟର ନୂତନ ଗୃହ ଉଦଘାଟିତ ହୋଇଯାଇଥିଲା।
