September 21, 2024

ଲୋକସଭାରେ ଉଠିଲା ଏନ ଏଚ୍ ଏ ଆଇ ଅବହେଳା ପ୍ରସଙ୍ଗ

Share

ଲୋକସଭାରେ ଉଠିଲା ଏନ ଏଚ୍ ଏ ଆଇ ଅବହେଳା ପ୍ରସଙ୍ଗ —–
(ଚଳିତ ମାସ ଶେଷ ସୁଦ୍ଧା ଫ୍ଲାଏ ଓଭର ଓ ଭୂତଳ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ନ ହେଲେ ଲୋକେ ଆନ୍ଦୋଳନ କୁ ଓହ୍ଲାଇବେ — ସାଂସଦ ସାହୁ)
ମୋହନା (ଆ.ପ୍ର) ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ୩ ଓଭର ବ୍ରିଜ ଓ ୭ଭୂତଳ ରାସ୍ତା ନିର୍ମାଣକୁ ୨୦୨୨ରୁ କେନ୍ଦ୍ରୀୟ ମଞ୍ଜୁରୀ ମିଳିଛି। ଦୀର୍ଘଦିନ ପରେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଗୋଟିଏ ବି ପ୍ରକଳ୍ପର ଅଗ୍ରଗତି ହୋଇନାହିଁ ବୋଲି ୬ ତାରିଖ ଦିନ ଲୋକସଭାରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଦାବୀ କରିଛନ୍ତି। ଏହାଦ୍ବାରା ସ୍ଥାନୀୟ ଲୋକଙ୍କ ମଧ୍ୟରେ ନିରାଶ ଦେଖିବାକୁ ମିଳିଛି ବୋଲି ସାଂସଦ ଲୋକସଭାରେ ପ୍ରକାଶ କରିଛନ୍ତି। ଏହାସହ ଚଳିତ ମାସ ଶେଷ ସୁଦ୍ଧା ପ୍ରକଳ୍ପ ଗୁଡ଼ିକ ଆରମ୍ଭ କରା ନ ଗଲେ ଲୋକେ ସ୍ଥାନେ ସ୍ଥାନେ ଜାତୀୟ ରାଜପଥ ଅବରୋଧ କରିପାରନ୍ତି ବୋଲି ସାଂସଦ ଶ୍ରୀ ସାହୁ ଆଶଙ୍କା ପ୍ରକାଶ କରିଛନ୍ତି। ଜାତୀୟ ରାଜପଥ ଦୁର୍ଘଟଣା ପ୍ରବଣ ହୋଇଛି। ରାଜପଥରେ ଅନେଲ ଦୁର୍ଘଟଣା ସ୍ଥଳ ରହିଛି। ପ୍ରତିଦିନ ସେହି ରାସ୍ତାରେ କିଛି ନା କିଛି ଦୁର୍ଘଟଣା ଘଟୁଛି। ବ୍ରହ୍ମପୁର ସଂସଦୀୟ ଅଞ୍ଚଳରେ ଥିବା ଛତ୍ରପୁର , ଜଗନ୍ନାଥପୁର, ବ୍ରହ୍ମପୁର, କନିଶି, ଗୋଳନ୍ଥରା ଆଦି ଦୁର୍ଘଟଣା ସ୍ଥଳ ଚିହ୍ନଟ ଅଞ୍ଚଳରେ ଦୁର୍ଘଟଣା ଘଟି ବର୍ଷକୁ ପ୍ରାୟ ୩୦ରୁ ଜୀବନ ଅକାଳରେ ଯାଉଛି। ଜାତୀୟ ରାଜପଥରେ ଥିବା ଗୁରୁତ୍ଵ ପୂର୍ଣ୍ଣ ସ୍ଥାନରେ ଫ୍ଲାଏ ଓଭର ଓ ଭୂତଳ ରାସ୍ତା ଅଭାବ ହେତୁ ଏହିପରି ଦୁର୍ଘଟଣା ଘଟୁଥିବା କାରଣ ବୋଲି ଅନୁମାନ କରାଯାଉଛି। ସେଥି ପାଇଁ ଏହି ସଂସଦୀୟ କ୍ଷେତ୍ରରେ ୩ଟି ଫ୍ଲାଏ ଓଭର ବ୍ରିଜ ସହ ୭ଟି ଭୂତଳ ରାସ୍ତାକୁ ଜାତୀୟ ରାଜପଥ ପ୍ରାଧିକରଣ ଅନୁମୋଦନ କରିଛନ୍ତି। ସେଥି ମଧ୍ୟରୁ ବ୍ରହ୍ମପୁର ର ଲାଞ୍ଜିପଲ୍ଲି, ପୁକୁଡ଼ିବନ୍ଧ ଛକ, ଛତ୍ରପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ନିକଟ ଛକ ସମେତ ମଣ୍ଡିଆପଲି ଠାରେ ଫ୍ଲାଏ ଓଭର ନିର୍ମାଣକୁ ଅନୁମୋଦନ ମିଳିଛି। ସେହିପରି ସୁରଳ ରୋଡ ଛକ, ଭୈରବୀ ଛକ, ପଞ୍ଚମା ଛକ, କନିସି ଛକ, ହଳଦିଆପଦର ଛକ ସ୍ଥାନରେ ଜାତୀୟ ରାଜପଥରେ ଭୂତଳ ରାସ୍ତା ନିର୍ମାଣକୁ ମଞ୍ଜୁରୀ ମିଳିଛି। ୨୦୨୨ ମସିହାରୁ କେନ୍ଦ୍ର ସଡକ ପରିବହନ ବିଭାଗ ଅନ୍ତର୍ଗତ ଜାତୀୟ ରାଜପଥ ପ୍ରାଧିକରଣ ଅନୁମୋଦନ କରିଛନ୍ତି। ଏହାରି ଭିତରେ ବର୍ଷଟି ବିତିଗଲା ପରେ ବି ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ଦେଖିବାକୁ ମିଳୁନାହିଁ। ଯେଉଁଥିପାଇଁ ବାରମ୍ବାର ଦୁର୍ଘଟଣା ଘଟିଛି ଏବଂ ନିରୀହ ଜୀବନ ଗୁଡ଼ିକ ଯାଉଛି। ଏ ଦିଗରେ ଅଞ୍ଚଳରେ ଥିବା ବିଭାଗୀୟ ଅଧିକାରୀ ମାନଙ୍କ ଅବହେଳା ସ୍ପଷ୍ଟ ଜଣାପଡ଼ୁଛି। ତେଣୁ ବିଭାଗ ଏହି ସବୁ କାର୍ଯ୍ୟ ଗୁଡିକ ଆରମ୍ଭ କରିବା ନିମନ୍ତେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ସାଂସଦ ଦାବୀ କରିଛନ୍ତି। ଯଦି ଚଳିତ ମାସ ଶେଷ ସୁଦ୍ଧା କାର୍ଯ୍ୟ ଗୁଡିକ ଆରମ୍ଭ କରା ନ ଯାଏ ଜନତା ରାଜପଥକୁ ଓହ୍ଲାଇବାକୁ ପ୍ରସ୍ତୁତ ଅଛନ୍ତି ବୋଲି ପ୍ରକାଶ କରିଛନ୍ତି।