January 29, 2025

ପଡ଼ିଆବାହାଲ ନୂତନ ଡାକ୍ତରଖାନା କୋଠା ଲୋକାର୍ପିତ 

Share

 

ପଡ଼ିଆବାହାଲରେ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ହେବ ଉପଲବ୍ଧ-କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

 

ସମ୍ବଲପୁର(ରାଜାରାମ ଷଡ଼ଙ୍ଗୀ):ସ୍ୱାସ୍ଥ୍ୟ ସେବାର ଗୁରୁତ୍ୱକୁ ଆଧାର କରି ପଡିଆବାହାଲରେ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରାଯିବାକୁ ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୁଆଁ ଆଶାର କିରଣ ଦେଇଛନ୍ତି।ଆଜି ଯୁଯୁମୁରା ବ୍ଲକ ବାହାମ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଡ଼ିଆବାହାଲ ପ୍ରାଥମିକ ଆରୋଗ୍ୟ କେନ୍ଦ୍ରର ନୂତନ କୋଠା ଲୋକାର୍ପଣ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଏହା ପ୍ରକାଶ କରି ସ୍ୱାସ୍ଥ୍ୟ ସେବାରେ ଓଡିଶା ଏକ ଅଗ୍ରଣୀ ଭୂମିକା ନେଉଥିବା ବିଷୟରେ ସ୍ପଷ୍ଟ କରିଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଗ୍ରାମ ଉନ୍ନୟନ , ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ନୂତନ କୋଠାର ଲୋକାର୍ପିତ କରିଥିଲେ। ଅନ୍ୟତମ ଅତିଥି ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ସ୍ୱାସ୍ଥ୍ୟଗତ ଅସୁବିଧା ଯୋଗୁଁ ଏହି କାର୍ଯ୍ୟକ୍ରମରେ ପହଞ୍ଚି ପାରିନଥିଲେ।

ସ୍ଥାନୀୟ ଅଞ୍ଚଳରେ ମୌଳିକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଦିଗରେ ଲୋକାର୍ପିତ ହୋଇଥିବା ଏହି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଦ୍ୱାରା ଅନେକ ଲୋକ ଉପକୃତ ହୋଇପାରିବେ । ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ‘ସବକା ସାଥ୍, ସବକା ବିକାଶ’କୁ ପ୍ରାଥମିକତାରେ ରଖି ସ୍ୱାସ୍ଥ୍ୟସେବାକୁ ପ୍ରାଧାନ୍ୟ ଦିଆଯାଇ ଅତି ଅଳ୍ପ ଦିନ ମଧ୍ୟରେ ଏଠାରେ ୨୪ ଘଣ୍ଟିଆ ଚିକିତ୍ସା ସୁବିଧାକୁ ଉପଲବ୍ଧ କରାଯିବ ବୋଲି ସଭାରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ସଭାରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମନ୍ତ୍ରୀ

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଆମ ରାଜ୍ୟରେ ପ୍ରାକୃତିକ ଦୁର୍ବିପାକ ଓ ମହାମାରୀ ସମୟରେ ସାହାଯ୍ୟ ସହଯୋଗ ଯୋଗାଇ ଦେବା ଦିଗରେ ଆଶା ଦିଦିମାନେ ବଡ ଦାୟିତ୍ୱ ନିର୍ବାହ କରି ଆସୁଛନ୍ତି । ନିକଟରେ କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳର ଆଶା ଦିଦି ଶିବାନୀ ମଣ୍ଡଳ ବାତ୍ୟା ସମୟରେ ବୟସ୍କା ମହିଳାଙ୍କୁ ପିଠିରେ ବୋହି ଆଶ୍ରୟସ୍ଥଳକୁ ଆଣି ସମସ୍ତଙ୍କ ଦ୍ୱାରା ପ୍ରଶଂସିତ ହୋଇଛନ୍ତି । ଆଶା ଦିଦିଙ୍କ ସହଯୋଗରେ ହିଁ ଗର୍ଭବତୀ ମହିଳା, ଶିଶୁ ସ୍ୱାସ୍ଥ୍ୟାବସ୍ଥା ତଥା ସମ୍ବଲପୁର ଜିଲ୍ଲାର ସ୍ୱାସ୍ଥ୍ୟସେବାରେ ସୁଧାର ଆସିପାରିବ । ସେମାନଙ୍କ ଯୋଗଦାନ ବିନା ୨୦୪୭ ସୁଦ୍ଧା ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନର ସ୍ୱପ୍ନ ପୂରଣ ହୋଇପାରିବ ନାହିଁ। ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାକୁ ଏକ ନୁଆଁ ରୂପ ଦେବାକୁ ଆଶା କର୍ମୀଙ୍କ ଠାରୁ ସିଡ଼ିଏମଓ ପର୍ଯ୍ୟନ୍ତ ସଭିଙ୍କୁ ଏକାଠି କରି ଏକ ସମ୍ମିଳନୀ କରିବାକୁ ସେ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ।ମନ୍ତ୍ରୀ ରବି ନାରାୟଣ ନାୟକ ଏ ଅଞ୍ଚଳର ପୂର୍ବତନ ବିଧାୟକ ଥିବାରୁ ଅଞ୍ଚଳର ଅସୁବିଧା ସମ୍ପର୍କରେ ଅବଗତ ଅଛନ୍ତି ଓ ସାମଗ୍ରିକ ବିକାଶ ନେଇ ସରକାର ଉପରେ ବିଶ୍ୱାସ ରଖିବାକୁ ସେ କହିଥିଲେ l ସଭାରେ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର, ସମ୍ବଲପୁର ମହାନଗର କମିଶନର ବେଦଭୂଷଣ ମଂଚାସୀନ ଥିଲେ। ଏହି ସମୟରେ ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରି ନାଏକ,ଶିକ୍ଷାବିତ ପ୍ରଫୁଲ୍ଲ କୁମାର ପଣ୍ଡା, ବାହାମ ସରପଞ୍ଚ ସରସ୍ବତୀ ଭୁସାଗର, ବିଜେପିର ବରିଷ୍ଠ ନେତା ସିମାଞ୍ଚଳ ଖଟେଇ, ଗୋବିନ୍ଦ ଅଗ୍ରୱାଲ, ସୁସ୍ମିତା ଦେହୁରୀ, ଜୟନ୍ତ ପ୍ରଧାନଙ୍କ ସହିତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ/ସଭ୍ୟା ବିଜେପି ନେତୃ ମଣ୍ଡଳୀ ପ୍ରମୁଖ ଉପସ୍ଥିତ ଥିଲେ।ଶେଷରେ ସିଡ଼ିଏମଓ ଡାକ୍ତର ସୁଜାତା ରାଣୀ ମିଶ୍ର ଧନ୍ୟବାଦ ଦେଇଥିଲେ।ଆୟୋଜିତ ଉତ୍ସବରେ ଆଇଜି ହିମାଂଶୁଲାଲ ପୋଲିସ ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ ,ଏଡିଏମଓ ଡା. ଭରତ ଦାଶ,ଜିଲ୍ଲାପରିଷଦ ଉନ୍ନୟନ ଓ ନିର୍ବାହୀ ଅଧିକାରୀ ଧର୍ମେନ୍ଦ୍ର ମଲ୍ଲିକ,ସମ୍ବଲପୁର ସଦର ଉପଜିଲ୍ଲାପାଳ,ଯୁଯୋମୁରା ବିଡ଼ିଓ ବିଜୟ ସାଏଙ୍କ ସହିତ ବିଭିନ୍ନ ଅଧିକାରୀ, ସ୍ୱାସ୍ଥ୍ୟକର୍ମୀ ପ୍ରମୁଖ ଉପସ୍ଥିତ ଥିଲେ।