ତ୍ରୟୋଦଶ ଦିବସରେ ପଞ୍ଚ ଠାକୁରାଣୀ ଯାତ୍ରା , ବିରାଟ ପଟୁଆରରେ ମା’ଙ୍କ ଘଟ ପରିକ୍ରମା

ବୁଗୁଡ଼ା : ତା ୦୭/୦୫/୨୫ : ୪୫ : ବୁଗୁଡ଼ା ପଞ୍ଚ ଠାକୁରାଣୀ ଯାତ୍ରା ଆଜି ତ୍ରୟୋଦଶ ଦିବସରେ ପହଞ୍ଚିଥିବା ବେଳେ ସ୍ଥାନୀୟ ଶ୍ରୀ ତ୍ରିନାଥ ସ୍ବାମୀ ପରିବା ବଜାର ବ୍ଯବସାୟୀ ସଂଘ ପକ୍ଷରୁ ପଞ୍ଚ ଠାକୁରାଣୀଙ୍କ ଘଟ ପରିକ୍ରମା ସହ ଆଜିର ଯାତ୍ରା କାର୍ଯ୍ୟକ୍ରମ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ବଡଦାଣ୍ଡସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପରେ ଯଥା ବିଧି ପୂର୍ବକ ପଞ୍ଚ ପୁରୋହିତ ମା’ଙ୍କ ପୂଜାର୍ଚ୍ଚନା ସମ୍ପାଦନ କରିଥିବା ବେଳେ ସନ୍ଧ୍ୟାରେ ୧୦୮ ଆଳତି ପରେ ଘଟ ପରିକ୍ରମାର ଶୁଭାରମ୍ଭ ହୋଇଥିଲା । ପଞ୍ଚ ମାନସିକଧାରୀ ମହିଳା ସଙ୍ଗୀତା ଦଳେଇ , ସଞ୍ଜୁଲତା ସ୍ବାଇଁ , ରଶ୍ମିତା ପ୍ରଧାନ , ଶାନ୍ତିଲତା ପ୍ରଧାନ , ନର୍ମଦା ପ୍ରଧାନ ପ୍ରମୁଖ ଘଟ ଧାରଣ ପୂର୍ବକ ବଳଦେବ ମନ୍ଦିର ପଥ , ଥାନା ରୋଡ , ହାଇସ୍କୁଲ ଛକ , ନୂଆଁ ବସଷ୍ଟାଣ୍ଡ , ମଦନ ମୋହନ ଛକ, ପରିବା ମାର୍କେଟ୍ , ବୁଦ୍ଧଖୋଲ ଗେଟ୍ , ପୋଲସରା ରୋଡ ଆଦି ପରିକ୍ରମା କରି ସ୍ବଆସ୍ଥାନକୁ ଫେରିଥିଲେ । ମା’ଙ୍କ ଭ୍ରମଣି ଯାତ୍ରା କାଳରେ ଘଣ୍ଟତାଳ, ଢୋଲ ବାଦ୍ୟ ଏବଂ ଆତସବାଜିର ଶବ୍ଦରେ ପରିବେଶ ପ୍ରକମ୍ପିତ ହୋଇଥିଲା ବେଳେ ଶିବ-ପାର୍ବତୀ, ନବଦୁର୍ଗା, ରାମ-ଲକ୍ଷ୍ମଣ-ସୀତା , ହନୁମାନ, ରାବଣ, ଜଟାୟୁ ଆଦି ବେଶ ଧାରଣ ପଟୁଆର ଲୋକଙ୍କୁ ବହୁତ ଆକୃଷ୍ଟ କରିଥିଲା । ଅନ୍ୟପକ୍ଷରେ ଆଜି “କୁମ୍ଭାର ସାହିର “ଶିବ ଲିଙ୍ଗ” ମେଢ,ପୋଲସରା ରୋଡ ନୂଆସାହିର ” ଶିବ-କାର୍ତ୍ତିକ-ଗଣେଶ “ମେଢ ଏବଂ ବ୍ଲକ କଲୋନୀର” ଅନନ୍ତ ଶୟନ” ମେଢ ଲୋକାର୍ପିତ ହୋଇଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ପୋଲିସ ନିୟୋଜିତ ରହିଥିଲେ।