March 12, 2025

ବ୍ଲକ ସ୍ତରୀୟ ଶ୍ରୀଅରବିନ୍ଦ ପାଠଚକ୍ର କର୍ମଶାଳା ଅନୁଷ୍ଠିତ 

Share

 

 

 

ବୋଲଗଡ଼,(ଉପାନ୍ତ ଖବର): ବ୍ଲକ ସ୍ତରୀୟ ଶ୍ରୀଅରବିନ୍ଦ ପାଠଚକ୍ର କର୍ମଶାଳା ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ସୂର୍ଯ୍ୟକାନ୍ତ ମହାରଣାଙ୍କ ଆବାହକତ୍ଵରେ ବୋଲଗଡ଼ ବ୍ଲକ ଅନ୍ତର୍ଗତ ବାଙ୍କୋଇ ସ୍ଥିତ ସାଧନା ଶିଳ୍ପ ତାଲିମ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ବ୍ଲକ ସ୍ତରୀୟ ଶ୍ରୀଅରବିନ୍ଦ ପାଠଚକ୍ର କର୍ମଶାଳାକୁ ପୂର୍ବତନ ସରପଞ୍ଚ ତଥା ମାତୃଭକ୍ତ ମାଧବ ଚନ୍ଦ୍ର ବିଶ୍ବାଳ ଯୋଗ ଦେଇ ଅଖଣ୍ଡ ଭାରତର ଆଧ୍ଯାତ୍ମିକ ପତାକାକୁ ଉତ୍ତୋଳନ କରି ଉଦ୍ଦଘାଟନ କରିଥିଲେ ।

ଏହି କର୍ମଶାଳାରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବ୍ଳକର ଶ୍ରୀଅରବିନ୍ଦ ପାଠଚକ୍ର ସଂଯୋଜକ ମାନେ ଯୋଗ ଦେଇ ଦିବ୍ୟ ଜନନୀ ଶ୍ରୀମା’ ଓ ମହାଯୋଗୀ ଶ୍ରୀଅରବିନ୍ଦଙ୍କ ଫଟୋ ବିଗ୍ରହରେ ଧୂପ ପୁଷ୍ପ ଅର୍ପଣ କରି କାଯ୍ୟକ୍ରମକୁ ଆରମ୍ଭ କରିଥିଲେ।ଏହି କର୍ମଶାଳାର ପ୍ରାରମ୍ଭରେ ପୂର୍ବତନ ନିଷ୍ଠା ଜୋନ (ପୁରୀ, ଖୋର୍ଦ୍ଧା , ନୟାଗଡ଼ )ର ଆବାହକ ସ୍ବର୍ଗତ ତାରେଶ୍ବର ରଥ ଙ୍କ ଉଦ୍ଦେଶ୍ଯରେ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।

ଏହି କାଯ୍ୟକ୍ରମକୁ ଖୋର୍ଦ୍ଧା ଜିଲ୍ଲା ଶ୍ରୀଅରବିନ୍ଦ ପାଠଚକ୍ର ସଂଗଠନର ସଂଗଠକ ସୁରେନ୍ଦ୍ର ନାଥ ଜେନା ସାଙ୍ଗଠନିକ ବିବରଣୀ ପାଠ କରିଥିବା ବେଳେ ସୂର୍ଯ୍ୟାକାନ୍ତ ମହାରଣା ଉପସ୍ଥିତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଆଜିର ମୁକ୍ତ ଆଲୋଚନା ଚକ୍ରରେ ପ୍ରଫେସର ଶରତ ଚନ୍ଦ୍ର ରଥ, ପ୍ରଫେସର ସରୋଜିନୀ ପଟ୍ଟନାୟକ, ରଣପୁର ବ୍ଲକ ସଂଯୋଜକ ଶିକ୍ଷାବିତ ବନାମ୍ବର ମହାରଣା , ପ୍ରାକ୍ତନ ଶିକ୍ଷା ଅଧିକାରୀ ରତ୍ନାକର ପାଣି, ଡାଃ ବିଜୟ କୁମାର ପାତ୍ର , ଅଧ୍ୟାପକ ଉତ୍ତମ କୁମାର ପାଇକରାୟ, ଶିକ୍ଷୟିତ୍ରୀ ସତ୍ଯଶ୍ରୀ ରଥ, ରେଣୁବାଳା ସାମନ୍ତରାୟ , ଅଭିମନ୍ୟୁ ନାୟକ, ରାଘବ ରଣା , ନବକିଶୋର ମହାରଣା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ଆଜିର ବ୍ଲକ ସ୍ତରୀୟ ଶ୍ରୀଅରବିନ୍ଦ ପାଠଚକ୍ର କର୍ମଶାଳାଟି ଏକ ମୁକ୍ତ ଆଲୋଚନା ଚକ୍ର ଭାବେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବ୍ଲକର ପାଠଚକ୍ର କର୍ମୀମାନେ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଯୋଗ ଦର୍ଶନ କୁ ବିଭିନ୍ନ ପ୍ରଶ୍ନୋତ୍ତର ମାଧ୍ୟମରେ ଉପସ୍ଥାପନା କରିଥିଲେ। ବୋଲଗଡ଼ ବ୍ଲକ ଅଞ୍ଚଳର ୧୯ଟି ଗ୍ରାମପଞ୍ଚାୟତରୁ ପ୍ରାୟ ୨୦୦ରୁ ଉର୍ଦ୍ଧ ଶ୍ରୀଅରବିନ୍ଦ ପାଠଚକ୍ର ସଦସ୍ଯ ମାନେ ଯୋଗ ଦେଇଥିଲେ।

ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ତଥା ଯୋଗ ଦର୍ଶନ ଟି ଆଜି ପ୍ରତ୍ୟେକ ବ୍ଯକ୍ତି ବିଶେଷଙ୍କର ଆବଶ୍ଯକ ରହିଛି ବୋଲି ଉପସ୍ଥିତ ଅତିଥି ମାନେ ଏହି ମୁକ୍ତ କର୍ମଶାଳାରେ ଉପସ୍ଥାପନା କରିଥିଲେ । ସମଗ୍ର ଜୀବନ ହିଁ ଯୋଗ, ସମଗ୍ର ଜୀବନ ହିଁ ଶିକ୍ଷା ବୋଲି ଶ୍ରୀଅରବିନ୍ଦ ଯେଉଁ ବାର୍ତ୍ତା ଦେଇଛନ୍ତି, ତାହାକୁ କିପରି ଆମେ ଆମ ଜୀବନରେ ଆଚରଣ କରିବାକୁ ହେବ ତାହା ପାଠଚକ୍ର ରୁ ଶିକ୍ଷା ମିଳିଥାଏ। ଶ୍ରୀଅରବିନ୍ଦ ପାଠଚକ୍ର ଅତିମାନସ ଦିବ୍ୟ ଚେତନାର ତପୋନିଷ୍ଠ କ୍ଷେତ୍ର, ଏହା ଏକ ସାମୁହିକ ସାଧନା ପୀଠ ଓ ମାନବିକ ସମନ୍ବୟର ଆଦର୍ଶ, ମାନବ ଐକ୍ଯ ଓ ସଂଗତିର ପୀଠ , ଯେଉଁଥିରେ ମନୁଷ୍ଯ ଜୀବନର ଯଥାର୍ଥ ଲକ୍ଷ୍ଯ ଓ କର୍ତ୍ତବ୍ଯ ପ୍ରତି ସଚେତନ କରାଇଥାଏ। ବାସ୍ତବରେ ଶ୍ରୀଅରବିନ୍ଦ ପାଠଚକ୍ର ହିଁ ଏକ ସକ୍ରୀୟ ଜୀବନ ବିଦ୍ୟାଳୟ , ସେହି ବିଦ୍ୟାଳୟର ଶିକ୍ଷକ ହେଲେ ସ୍ବୟଂ ଶ୍ରୀମା’ ଶ୍ରୀଅରବିନ୍ଦ, ଶ୍ରୀଅରବିନ୍ଦ ପାଠଚକ୍ର ର ସଭ୍ଯ ହିଁ ସମାଜ ପାଇଁ ଏକ ଜ୍ବଳନ୍ତ ଦ୍ରୁଷ୍ଟାନ୍ତ ଓ ଆଲୋକ ସ୍ତମ୍ଭ ବୋଲି ଏହି ମୁକ୍ତ କର୍ମଶାଳାରେ ଆଲୋଚିତ ହୋଇଥିଲା।ଏହି କର୍ମଶାଳାକୁ ବୋଲଗଡ଼ ବ୍ଲକ ଆବାହକ ବିଶ୍ବଜିତ ମହାପାତ୍ର ଓ ସହ-ସଂଯୋଜକ କବିତା ପରିଡ଼ା ଙ୍କ ତତ୍ବାବଧାନରେ ବାଙ୍କୋଇ ଓ ଆରିକମାର ଶ୍ରୀଅରବିନ୍ଦ ପାଠଚକ୍ରର ସମସ୍ତ ସଭ୍ଯ ସଭ୍ୟାମାନେ ଅଂଶ ଗ୍ରହଣ କରିଥିଲେ। ଏହି କାଯ୍ୟକ୍ରମକୁ ବୋଲଗଡ଼ ବ୍ଲକରେ ଗଢି ଉଠିଥିବା ଆରିକମା ଓ ବୋଲଗଡ଼ ସଦରମହକୁମା ର ଦୁଇଟି ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର କାଯ୍ୟରତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଅପାଭାଇ ମାନେ ସହଯୋଗ କରିଥିଲେ। ଆଜିର ମୁକ୍ତ କର୍ମଶାଳାରେ ଶ୍ରୀଅରବିନ୍ଦ ପାଠଚକ୍ର ସଭ୍ଯ ସୁଶାନ୍ତ କୁମାର ସୁବୁଦ୍ଧି, ସୁଜାତା ସାହୁ, ଗୋଲାପ ଭୋଳ , କରୁଣାକର ଜେନା, ଭାସ୍କର ମହାରଣା, ଚିନ୍ମୟ ସାମନ୍ତରାୟ , ଦୁଃଖୀଶ୍ୟାମ ଖଡିରତ୍ନ ପ୍ରମୁଖ ପରିଚାଳନା କରିଥିଲେ। ପରିଶେଷରେ ସାଧନା ଶିଳ୍ପ ତାଲିମ କେନ୍ଦ୍ରର ଅଧ୍ଯକ୍ଷ ସୂର୍ଯ୍ୟକାନ୍ତ ବିଶ୍ବାଳ ସମସ୍ତ ଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।