ବାଲେଶ୍ୱରରେ ଅନୁଷ୍ଠିତ ହେବ ବିଏନଆଇର ‘ବିଲ୍ଡ ଅପ୍ ୧.୦ – ସଂଯୋଗ’ କାର୍ଯ୍ୟକ୍ରମ
ବାଲେଶ୍ୱର (ଶେଖ୍ ନଜିମ୍):ବ୍ୟବସାୟିକ ସହଯୋଗିତା ସଂଗଠନ ବିଜ୍ନେସ ନେଟୱାର୍କ ଇଂଟରନ୍ୟାସନାଲ (ବିଏନଆଇ) ପକ୍ଷରୁ ବାଲେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଛି ‘ବିଲ୍ଡ ଅପ୍ ୧.୦ – ସଂଯୋଗ’ କାର୍ଯ୍ୟକ୍ରମ । ବିଏନଆଇ ଗ୍ରେଟର ଓଡିଶା ଆନୁକୂଲ୍ୟରେ ଆସନ୍ତା ୧୦ ତାରିଖରେ ବାମପଦା ସ୍ଥିତ ନୋସି ବିଜନେସ ପାର୍କ ଠାରେ ଆୟୋଜିତ ହେବାକୁ ଯାଉଥିବା ଏହି କାର୍ଯ୍ୟକ୍ରମ ନିର୍ମାଣ କାର୍ଯ୍ୟ ଓ ତତ୍ ସମ୍ବଦ୍ଧୀୟ ବ୍ୟବସାୟରେ ସଂପ୍ରେଷଣ ଅଭିଯାନ ଓ ସହଯୋଗିତା ବୃଦ୍ଧି ତଥା ପ୍ରଭାବଶାଳୀ ସଂଗୋଷ୍ଠୀ ସୃଷ୍ଟି, ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଏନଆଇର କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି । ବିଏନଆଇ ଗ୍ରେଟର ଓଡିଶା ଇତିହାସରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମ ଏକ ମାଇଲଖୁଂଟ ହେବ । ବିଏନଆଇ ବାଲେଶ୍ୱରର ୭୫ଜଣ ସଦସ୍ୟଙ୍କ ସହିତ ବିଏନଆଇ ଗ୍ରେଟର ଓଡିଶାର ସୁଦୃଢ ୪୫୦ଜଣ ସଦସ୍ୟ ଯୁକ୍ତ ନେଟୱାର୍କ ସହିତ ଏହି କାର୍ଯ୍ୟକ୍ରମ ସହଯୋଗିତା, ସହଭାଗିତା ଏବଂ ପାରସ୍ପରିକ ସଫଳତାକୁ ରେଖାଙ୍କିତ କରିବ । ବିଏନଆଇର ମୂଳ ନୀତି ଓ ସିଦ୍ଧାନ୍ତକୁ ମଧ୍ୟଭାଗରେ ରଖି ବ୍ୟବସାୟିକ କାର୍ଯ୍ୟକଳାପର ଅଭିବୃଦ୍ଧି ନିମନ୍ତେ ଏହା ଏକ ଅଭିନବ ଉପକ୍ରମ । ବିଶେଷ କରି ନିର୍ମାଣ କାର୍ଯ୍ୟ ସମ୍ବନ୍ଧିତ ବ୍ୟବସାୟିକ ସଦସ୍ୟଙ୍କ ମଧ୍ୟରେ, ପ୍ରତ୍ୟେକଙ୍କ ପରିସରକୁ ଲାଭ ଯୁକ୍ତ ଚୁକ୍ତି ମାଧ୍ୟମରେ ସାର୍ଥକ ସହଯୋଗ ସୃଷ୍ଟି କରିବା ପାଇଁ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି ବୋଲି କର୍ମକର୍ତ୍ତାମାନେ କହିଛନ୍ତି । ବିଏନଆଇ ଗ୍ରେଟର ଓଡିଶାର କାର୍ଯ୍ୟକାରୀ ନିର୍ଦ୍ଦେଶକ ପ୍ରଦୀପ ଅଗ୍ରୱାଲ, ସିଏସ ସୁନୀତା ମହାନ୍ତି ଓ ନମ୍ରତା ସାମଲ ପ୍ରମୁଖଙ୍କ ବଳିଷ୍ଠ ନେତୃତ୍ୱ ତଥା ବିଏନଆଇ ଧନୁଷ ବାଲେଶ୍ୱର ଚାପ୍ଟରର ସଭାପତି ନିଖିଲ ଖଣ୍ଡେଲୱାଲ, ଉପ-ସଭାପତି ସମ୍ପଥ ଦାସ, ସମ୍ପାଦକ – ଚିରାଗ ଚୌହାନ ଓ ଲିଡରସିପ୍ ଭାଇସ ହୋଷ୍ଟ ମୁକୁଲ ଖଣ୍ଡେଲୱାଲ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ । ‘ବିଲ୍ଡ ଅପ୍ ୧.୦ – ସଂଯୋଗ’ର କ୍ୟାପଟେନ ଭାବେ ଉତ୍ପଳ କର ଏବଂ ଭାଇସ – କ୍ୟାପଟେନ ଭାବେ ପାରଶ ଶର୍ମା ଓ ସୈକତ ମଣ୍ଡଳ ଦାୟିତ୍ୱ ନିର୍ବାହ କରିବେ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି । ବିଏନଆଇର କ୍ଷେତ୍ରୀୟ ନିର୍ଦ୍ଦେଶକ ଏମଏଚ ଶାଦ ହାସମୀ ଓ ଦେବଜ୍ୟୋତି ଦାସମହାପାତ୍ରଙ୍କ ସହ ବିଏନଆଇ ଧନୁଷ ଚାପ୍ଟରର ସଭାପତି ନିଖିଲ ଖଣ୍ଡେଲୱାଲ, ଉପ-ସଭାପତି ସମ୍ପଥ ଦାସ ଓ ‘ବିଲ୍ଡ ଅପ୍ ୧.୦ – ସଂଯୋଗ’ର କ୍ୟାପଟେନ ଉତ୍ପଳ କର ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ । ମିଡିଆ ସଂଯୋଜକ ଗୋବିନ୍ଦ ରାଠୀ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।