March 10, 2026

କାଉନସିଲରଙ୍କ ବିରୋଧରେ ଅଭିଯୋଗ ଆଣିଲେ ୨୪ନଂ ୱାର୍ଡର ସଂଖ୍ୟାଧିକ ବାସୀ

IMG-20250806-WA0067
Share

 

 

ବାଲେଶ୍ଵର: ବାଲେଶ୍ୱର ପୌର ପରିଷଦରେ କିଛି ଦିନ ଅନ୍ତରରେ ପୁଣି ମୁଣ୍ଡ ଟେକିବାରେ ଲାଗିଛି ରାଜନୈତିକ ବାଦବିବାଦ । ଏହାରି ମଧ୍ୟରେ ଆରୋପ ପ୍ରତ୍ୟାରୋପ ମଧ୍ୟ ବାଦ ବିବାଦର ନିଆଁରେ ଘିଅ ଢାଲିବା ସଦୃଶ ହେଉଥିବା ଦେଖିବାକୁ ମିଳିଛି । ସଦ୍ୟତମ ଘଟଣାରେ ୨୪ନଂ ୱାର୍ଡରେ ବିକାଶମୂଳକ କାର୍ଯ୍ୟ ସମ୍ପାଦନରେ ପୌରାଧ୍ୟକ୍ଷା ବାଧକ ସାଜିଥିବା ନେଇ ଗତ ଜୁନ ୩୦ତାରିଖ ଦିନ ପୌର କାର୍ଯ୍ୟନିର୍ବାହୀ ଅଧିକାରିଣୀଙ୍କ ନିକଟରେ କାଉନସିଲର ମୀନା ମହାନ୍ତି ଅଭିଯୋଗ ପତ୍ର ଦେଇଥିଲେ । ତାଙ୍କ ସହ ପୂର୍ବତନ ବିଧାୟକ ସ୍ୱରୂପ ଦାସ ଓ ପୌର ଉପାଧ୍ୟକ୍ଷ କେଳାସ ସେଠୀଙ୍କ ସମେତ ଏକାଧିକ କାଉନସିଲର ମଧ୍ୟ ଉପସ୍ଥିତ ଥିଲେ । ତେବେ ସେହି ଅଭିଯୋଗକୁ ଚେକ୍ ଦେବା ପାଇଁ ବିଜେପିର ବରିଷ୍ଠ ନେତା ଗୌରାଙ୍ଗ ଦାସ ଓ ୱାର୍ଡ ସଭାପତି ଅଶୋକ ଦାସଙ୍କ ନେତୃତ୍ୱରେ ୨୪ନଂ ୱାର୍ଡର ସଂଖ୍ୟାଧିକ ବାସିନ୍ଦା ପୌର କାର୍ଯ୍ୟନିର୍ବାହୀ ଅଧିକାରିଣୀଙ୍କ ନିକଟରେ ସ୍ଥାନୀୟ କାଉନସିଲର ମୀନା ମହାନ୍ତିଙ୍କ ବିରୋଧରେ ପାଲଟା ଆରୋପ ଉଠାଇଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ଅନୁଦାନ ପ୍ରଦତ ଅର୍ଥରେ ପୌରପାଳିକା ପକ୍ଷରୁ ୨୪ନଂ ୱାର୍ଡରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟରେ ଅନିୟମିତା ଓ କାଉନସିଲର ଶ୍ରୀମତୀ ମହାନ୍ତିଙ୍କ ଏକଚାଟିଆ କାର୍ଯ୍ୟକଳାପ ବିରୋଧରେ ବାରମ୍ବାର ଅଭିଯୋଗ ହେଉଥିବା ସତ୍ୱେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ଅଶୋକ ଦାସ ଏହି ଅବସରରେ କହିଥିଲେ । ୨୪ନଂ ୱାର୍ଡରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ନ ହେବା, ପ୍ରକଳ୍ପ କାର୍ଯ୍ୟ ଶିଳାନ୍ୟାସ ବା ଉଦଘାଟନ ସହିତ ଫଳକରେ ବିଧାୟକ ବା ପୌରାଧ୍ୟକ୍ଷାଙ୍କ ନାମ ନ ରଖିବା ଭଳି ଶ୍ରୀମତୀ ମହାନ୍ତି ଅନେକ ସରକାରୀ ନିୟମ ବାହାରେ କାର୍ଯ୍ୟ ଜାରି ରଖିଛନ୍ତି । ସେହିପରି ଅର୍ଥ ଆତ୍ମସାତ ପାଇଁ ବିନା ଏଷ୍ଟିମେଟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟରେ ଗୁଣବତାର ସ୍ୱତନ୍ତ୍ର ଯାଂଚ ପାଇଁ ଶ୍ରୀ ଦାସ ଦାବି ଜଣାଇଥିଲେ । ବାଲିଘାଟ ଶ୍ମଶାନ ଘର ଉନ୍ନୟନ କାର୍ଯ୍ୟରେ ପୁରୁଣା ସାମଗ୍ରୀ ବ୍ୟବହାର ହେଉଥିବା ନେଇ ଅଭିଯୋଗ ହେବାରୁ ନିୟମ ଉଲ୍ଲଙ୍ଘନ ସହ ରାତିଅଧିଆ ପ୍ରକଳ୍ପକୁ ଉଦଘାଟନ କରାଯିବା ଶ୍ରୀମତୀ ମହାନ୍ତିଙ୍କ ବିରୋଧରେ ହେଉଥିବା ଅଭିଯୋଗକୁ ପ୍ରମାଣିତ କରୁଛି ବୋଲି ସେ କହିଥିଲେ । ଅନୁରୂପ ଭାବେ କାଉନସିଲର ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ କେବଳ ନିଜ ସମର୍ଥକଙ୍କ ପାଇଁ ବିଭିନ୍ନ ସରକାରୀ ଭତା ପ୍ରଦାନ ନିୟନ୍ତ୍ରଣ କରୁଥିବା, ବେଆଇନ ଭାବେ ସ୍କୁଲର ପରିସରରେ ଜନସାଧାରଣଙ୍କ ପାଇଁ ପାର୍କ ନିର୍ମାଣ, ରାସ୍ତା କଡରେ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଷ୍ଟ୍ରିଟ ଲାଇଟ ଗୁଡିକ ବନ୍ୟାପ୍ରବଣ ପଡିଆରେ ଲଗାଇବା ଭଳି ଅନେକ ବେଆଇନ କାର୍ଯ୍ୟ ବିରୋଧରେ ଉପଯୁକ୍ତ ପଦକ୍ଷେପ ନେବାକୁ ଶ୍ରୀ ଦାସ ଦାବି ଜଣାଇଛନ୍ତି । ଅନ୍ୟପକ୍ଷରେ ୱାର୍ଡବାସୀଙ୍କ ବିରୋଧକୁ ବିଜେପିର ଷଡଯନ୍ତ୍ର ବୋଲି କାଉଂଟରରେ କହିଛନ୍ତି କାଉନସିଲର ମୀନା ମହାନ୍ତି । ଗତ ଦୁଇଟି ଯାକ ପୌର ନିର୍ବାଚନରେ ସେ ସର୍ବାଧିକ ଭୋଟରେ ନିର୍ବାଚିତ ହୋଇ ଆସିଛନ୍ତି । ତାଙ୍କ ପ୍ରତି ଥିବା ଲୋକଙ୍କ ସମର୍ଥନରେ ଇର୍ଷାନ୍ୱିତ ହୋଇ ଯେଉଁ ଅଭିଯୋଗ ଅଣାଯାଉଛି ତାହା କେବଳ ଔଷଧ ବିକଳରେ ତାଟିଆ କାମୁଡିବା ସଦୃଶ । ପୌରାଂଚଳରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ କାର୍ଯ୍ୟ ପାଇଁ ପ୍ରସ୍ତାବ ଦେବା ଛଡା କାଉନସିଲରଙ୍କ ଭୂମିକା ନଗନ୍ୟ । କୌଣସି ପ୍ରକଳ୍ପର ଗୁଣବତା ଯାଂଚ କାର୍ଯ୍ୟ ପୌର ଯନ୍ତ୍ରୀଙ୍କ ଓ ବିଲ୍ ବାବଦ ଅର୍ଥ ପ୍ରଦାନ ପୌର କାର୍ଯ୍ୟାଳୟର ଦାୟିତ୍ୱ । ସେଥିରୁ ଅର୍ଥ ଆତ୍ମସାତ ପାଇଁ କାଉନସିଲର କଣ ବା କରି ପାରିବ ବୋଲି ଶ୍ରୀମତୀ ମହାନ୍ତି ପ୍ରଶ୍ନ ପଚାରିଛନ୍ତି । ବିଜେଡିର ପୌରାଧ୍ୟକ୍ଷାଙ୍କ ସପକ୍ଷରେ ଯେଉଁ ବିଜେପି ନେତାମାନେ ତାଙ୍କ ଉପରେ ଅଭିଯୋଗ ଉଠାଇଛନ୍ତି, ସେମାନେ ବିଭିନ୍ନ ପ୍ରକଳ୍ପ ନାମରେ ପୌରପାଳିକା ପକ୍ଷରୁ ଚାଲିଥିବା ଦୁର୍ନିତି ସମ୍ପର୍କରେ ପ୍ରଥମେ ସ୍ୱର ଉତୋଳନ କରିବାକୁ ଶ୍ରୀମତୀ ମହାନ୍ତି ଆହ୍ୱାନ ଦେଇଛନ୍ତି ।