April 8, 2025

ପମ୍ବନ ସେତୁର ଉଦଘାଟନ ସମୟରେ କାହିଁକି ଅନୁପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‌ ?*

Share

 

 

 

ରାମନବମୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦେଶକୁ ଏକ ବଡ଼ ଉପହାର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଆଜି ତାମିଲନାଡୁର ରାମେଶ୍ୱରମରେ ନୂତନ ପମ୍ବନ ସେତୁର ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ୨୦୧୯ରେ ୭୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ସେତୁର ଶିଳାନ୍ୟାସ କରିଥିଲେ । ପମ୍ବନ ସେତୁର ଉଦଘାଟନ ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ରାମେଶ୍ୱରମ-ତାମ୍ବରମ (ଚେନ୍ନାଇ)ର ନୂତନ ରେଳ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।

 

ତାମିଲନାଡୁର ରାମେଶ୍ୱରମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ତାମିଲନାଡୁ ରାଜ୍ୟପାଳ ଆର. ଏନ. ରବି, ରାଜ୍ୟ ଅର୍ଥମନ୍ତ୍ରୀ ଥାଙ୍ଗମ ଥେନାରାସୁ ଏବଂ ଅନ୍ୟାନ୍ୟ ନେତାମାନେ ଉପସ୍ଥିତ ଥିଲେ। କିନ୍ତୁ କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍‌ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ରାଜ୍ୟର ମୁଖ୍ୟମନ୍ତ୍ରୀ କାହିଁକି ଅନୁପସ୍ଥିତ ଥିଲେ, ସେନେଇ ଜାଣିବାକୁ ସମସ୍ତେ ଆଗ୍ରହ ପ୍ରକାଶ କରିଛନ୍ତି ।

 

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ ରାଜ୍ୟର ନୀଳଗିରି ଜିଲ୍ଲାରେ ଆୟୋଜିତ ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଷ୍ଟାଲିନ କହିଛନ୍ତି, ‘ରାମେଶ୍ୱରମରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ତାଙ୍କର ଅନୁପସ୍ଥିତି ବିଷୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୂର୍ବରୁ ଜଣାଇ ଦେଇଥିଲେ।’ ସେ ପୂର୍ବରୁ କହିଥିଲେ, ‘ନୀଳଗିରିରେ ହେବାକୁ ଥିବା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଯୋଗୁଁ ସେ ବ୍ୟକ୍ତିଗତ ଭାବରେ ଯୋଗ ଦେଇପାରିବେ ନାହିଁ, କିନ୍ତୁ ଏହି ସମୟରେ ତାଙ୍କ ମନ୍ତ୍ରୀ ଥାଙ୍ଗମ ଥେନାରାସୁ ଏବଂ ରାଜକନ୍ନାପ୍ପନ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବେ।’

 

ସେପଟେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ତାମିଲ ଭୂମି ଏବଂ ଦକ୍ଷିଣ ରାଜ୍ୟକୁ ଆସିଛନ୍ତି । ତେଣୁ ସେ ତାମିଲନାଡୁର ଲୋକମାନଙ୍କୁ ଏକ ପ୍ରତିଶ୍ରୁତି ଦିଅନ୍ତୁ ଯେ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଅଧୀନରେ ଏହି ରାଜ୍ୟଗୁଡ଼ିକର କୌଣସି ପ୍ରକାରର କ୍ଷତି ହେବ ନାହିଁ ।

 

ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ରବିବାର ଉଦଗମଣ୍ଡଲମରେ ୪୯୪.୫୧ କୋଟି ଟଙ୍କା ବ୍ୟୟରେ ସମ୍ପୂର୍ଣ୍ଣ ହୋଇଥିବା ୧୭୦୩ଟି ସରକାରୀ କାର୍ଯ୍ୟର ଉଦଘାଟନ କରିଛନ୍ତି । ଏଥିରେ ନବନିର୍ମିତ ଉଦଗମଣ୍ଡଲମ୍ ସରକାରୀ ମେଡିକାଲ୍ କଲେଜ ଏବଂ ହସ୍ପିଟାଲ ମଧ୍ୟ ଅନ୍ତର୍ଭୁକ୍ତ। ଏହା ସହିତ ସେ ନୀଳଗିରି ଜିଲ୍ଲାରେ ୧୩୦.୩୫ କୋଟି ଟଙ୍କାର ୫୬ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି