ତିନିଦିନିଆ ରାଷ୍ଟ୍ରୀୟ ଯୁବ ନେତୃତ୍ୱ ସମ୍ମେଳନ ଉଦଘାଟିତ

ଗୁରୁଜନଙ୍କ ଆଶୀର୍ବାଦ,କାର୍ଯ୍ୟ କ୍ଷେତ୍ରରେ ପ୍ରତିବଦ୍ଧତା,ସକାରାତ୍ମକ ଚିନ୍ତନ ସଫଳତାର ମୂଳମନ୍ତ୍ର : ଜଷ୍ଟିସ ବି ଆର ଷଡ଼ଙ୍ଗୀ,ଭଗବାନ ପ୍ରକାଶ ଇନଷ୍ଟିଚ୍ୟୁଟ ଅଫ ନଲେଜ ଆକ୍ସନ ଆଣ୍ଡ ଲିଡରସିପି ପ୍ରମୋସନ ( ବିକଳ୍ପ ) ସଂଗଠନ ଦ୍ୱାରା ପୁରୀର ୟୁଥ ହଷ୍ଟେଲ ଠାରେ ତିନି ଦିନିଆ ରାଷ୍ଟ୍ରୀୟ ଯୁବ ନେତୃତ୍ୱ ସମ୍ମେଳନ ଆଜି ଉଦଘାଟିତ ହୋଇ ଯାଇଛି l 6 ତାରିଖରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ତିନିଦିନ ଧରି ଅନୁଷ୍ଠିତ ହୋଇ 8 ତାରିଖରେ ଉଦଯାପିତ ହେବ l ଦେଶର ବିଭିନ୍ନ ରାଜ୍ୟରୁ ପ୍ରାୟ 150 ଜଣ ଯୁବ ନେତୃତ୍ୱ ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି l ବିକଳ୍ପର ଯୁଗ୍ମ ମ୍ୟାନେଜିଙ୍ଗ ଟ୍ରଷ୍ଟି ତଥା ଜାତୀୟ ମାନବାଧିକାର କମିଶନ ନୂଆଦିଲ୍ଲୀର କୋର କମିଟି ସଦସ୍ୟ ଶ୍ରୀଯୁକ୍ତ ମନୋଜ ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନ ସମାରୋହରେ ଜାତୀୟ ମାନବାଧିକାର କମିଶନ ନୂଆଦିଲ୍ଲୀର ମାନ୍ୟବର ସଦସ୍ୟ ନ୍ୟାୟାମୁର୍ତ୍ତି ଡ଼ଃ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ମୁଖ୍ୟ ଅତିଥି ତଥା ଉଦଘାଟକ ଭାବେ ଯୋଗ ଦେଇ ଉପସ୍ଥିତ ଯୁବ ନେତୃତ୍ୱଙ୍କୁ ରଚନାତ୍ମକ ଓ ରାଷ୍ଟ୍ରନିର୍ମାଣ କ୍ଷେତ୍ରରେ ସଦୟ ଯୋଗଦାନ ପାଇଁ ଗୁରୁମନ୍ତ୍ର ଦେଇଥିଲେ l ଗୁରୁଜନଙ୍କ ଆଶୀର୍ବାଦ କାର୍ଯ୍ୟକ୍ଷେତ୍ରରେ ନିରନ୍ତର ଚେଷ୍ଟା ସହ ପ୍ରତିବଦ୍ଧତା ଓ ସକାରାତ୍ମକ ଚିନ୍ତନ ସଫଳତାର ମୂଳମନ୍ତ୍ର ବୋଲି ସେ କହିଥିଲେ ପୂର୍ବତନ ପ୍ରଶାସକ ତଥା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଡ଼ଃ ଜୟନ୍ତ କୁମାର ଦାସ,କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କୃତ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ସୁସ୍ମିତା ଦାସ,ଜଣାଶୁଣା ଅଭିନେତା ତଥା କଣ୍ଠଶିଳ୍ପୀ ସୋହମ ସିଂ,ଅଭିଭାବକ ମହାସଂଘ କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ,ପ୍ରସିଦ୍ଧ ନ୍ୟୁଜ ସଞ୍ଚlଳିକା ବର୍ଷା ବିସ୍ମିତା , ଏନ ଏସ ଏସର ପରାମର୍ଶଦାତା ପ୍ରଫେସର ଡ଼ଃ.ରଘୁନାଥ ମଣ୍ଡଳ, ଏଲ ଡବ୍ଲ୍ୟୁ ଏସ ର ସଂଯୋଜିକା ବେବି ନାୟକ ଆଦି ନିମନ୍ତ୍ରିତ ସମ୍ମାନିତ ଅତିଥି ଏବଂ ବିଷୟ ଭିତିକ ବିଶେଷଜ୍ଞ ଭାବେ ଯୋଗ ଦେଇ କାର୍ଯ୍ୟକ୍ରମରେ ଯୁବ ନେତୃତ୍ୱ ମାନଙ୍କ ଭବିଷ୍ୟତ କାର୍ଯ୍ୟଶୈଳୀ ଓ ସାମାଜିକ ପ୍ରତିବଦ୍ଧତା ସମ୍ପର୍କରେ ଆଲୋକପାତ କରିଥିଲେ l ତିନିଦିନିଆ ଏହି ସମ୍ମେଳନ ରେ ଯୁବ ନେତୃତ୍ୱ ମାନଙ୍କୁ ଆଗାମୀ ଦିନରେ ଆସୁଥିବା ଆହ୍ୱାନ ଓ ସୁଯୋଗ, ଦକ୍ଷତା ବିକାଶ, ଉଦ୍ୟମିତା, ସରକାରୀ ଯୋଜନା, ଗୋଷ୍ଠୀ ଉନ୍ନୟନ,ସମସ୍ୟା ସମାଧାନ, ଯୁକ୍ତିଯୁକ୍ତ ବିଚାରଧାରା,ସାମ୍ବିଧାନିକ ମୂଲ୍ୟବୋଦ୍ଧ, ରାଷ୍ଟ୍ରୀୟ ଉତ୍ତରଦାୟୀତ୍ୱ, ସାମାଜିକ ସଦଭାବନା, ସୂଚନା ଅଧିକାର ଆଇନର ଉପଯୋଗୀତା, ସ୍ୱଛ ପ୍ରଶାସନିକ ବ୍ୟବସ୍ଥା, ଦୁର୍ନୀତି ମୁକ୍ତ ସମାଜ ଗଠନ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସାମାଜିକ ସଶକ୍ତିକରଣ ଓ ସଚେତନତା, ଗୋଷ୍ଠୀଗତ ନେତୃତ୍ୱ, ଦାରିଦ୍ର୍ୟ ଦୂରୀକରଣ ଓ ପ୍ରଶାସନ କ୍ଷେତ୍ରରେ ଡିଜିଟାଲ ଆପ ଓ କୃର୍ତିମ ବୁଦ୍ଧିମତାର ପ୍ରୟୋଗ, ମାନବାଧିକାର ସୁରକ୍ଷା, ନାରୀ ସଶକ୍ତିକରଣ, ଦୃଢ଼ ଗଣତନ୍ତ୍ର ପ୍ରତିଷ୍ଠାରେ ଯୁବ ଭୋଟରଙ୍କ ପ୍ରଧାନ୍ୟତା, ଯୁବବର୍ଗଙ୍କ ସଠିକ ନିଯୁକ୍ତି ଓ ନିୟୋଜନ ଆଦି ଗୁରୁତ୍ୱପୂର୍ଣ ରାଷ୍ଟ୍ର ନିର୍ମାଣ ପ୍ରସଙ୍ଗ ଉପରେ ତିନି ଦିନ ଧରି ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ପର୍ଯ୍ୟାଲୋଚନା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି l ଉଦଘାଟନୀ ଉତ୍ସବରେ ସାମାଜିକ କୃତି କ୍ଷେତ୍ରରେ ବିଶେଷ ଯୋଗଦାନ ପାଇଁ ଆସାମର ପ୍ରିତୀସ ତିୱାରୀ, ବିହାରର ବବଲୁ କୁମାର, ଝାଡ଼ଖଣ୍ଡର ଅଜୟ କୁମାର, ବରଗଡ଼ ଓଡିଶାର ମଧୁସ୍ମିତା ବିଶି, ବର୍ଷା ପ୍ରିୟଦର୍ଶିନୀ ଯୁବ ନେତୃତ୍ୱ ଉର୍ବଶୀ ବେହେରା, ସୁରେଶ ଚନ୍ଦ୍ର ସାହୁ, ନବଘନ ଦାସ, ଆହୁଲା ଗଣେଶ ରାଓ,ପ୍ରାନ୍ତସିନି ଜେନା, ଭାସ୍କର ମହାରଣା ଆଦିଙ୍କୁ ଉତ୍ତରୀୟ ଓ ଫଳକ ପ୍ରଦାନ ସହିତ ସମ୍ମାନିତ କରାଯାଇଥିଲା l ଆଗାମୀ ଦିନରେ ଏହିପରି କାର୍ଯ୍ୟକ୍ରମ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରେ ଆୟୋଜନ କରାଯାଇ ଦକ୍ଷ ଯୁବ ନେତୃତ୍ୱ ସୃଷ୍ଟି କରି ବିକଶିତ ରାଷ୍ଟ୍ର ନିର୍ମାଣରେ ସହାୟକ ହେବାପାଇଁ ପ୍ରୟାସ କରାଯିବ ବୋଲି ବିକଳ୍ପର ମ୍ୟାନେଜିଙ୍ଗ ଟ୍ରଷ୍ଟି ମନୋଜ ଜେନା ପ୍ରକାଶ କରିଛନ୍ତି l ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ରାଜ୍ୟର ଲୋକ ନୃତ୍ୟ,ସଂଗୀତ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି l ଆସନ୍ତା 8 ବିଶ୍ୱ ମହିଳା ଦିବସ ସନ୍ଧ୍ୟାରେ କାର୍ଯ୍ୟକ୍ରମର ଉଦଯାପନୀ ସମାରୋହ ଅନୁଷ୍ଠିତ ହେବ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
