May 10, 2026

ବିଜୁବାବୁଙ୍କ ପ୍ରତି ଅସମ୍ମାନ ପ୍ରତିବାଦରେ ବିଜେଡ଼ିର ବିକ୍ଷୋଭ ବ୍ଲକ ଘେରାଉ କରି ଗର୍ଜନ କଲେ ବିଜେଡ଼ି କର୍ମୀ ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧରଙ୍କ କଟାକ୍ଷ

IMG-20250306-WA0061
Share


ଖଣ୍ଡପଡ଼ା (ଭବାନି ଶଙ୍କର ମହାନ୍ତି) ରାଜ୍ୟରେ ପ୍ରାୟ ୩ ଦଶନ୍ଧି ଧରି ମାର୍ଚ୍ଚ ୫ ତାରିଖରେ ପଞ୍ଚାୟତିରାଜ ଦିବସ ପାଳିତ ହୋଇଆସୁଛି। ମାତ୍ର ବିଜେପି ସରକାର ଏହାକୁ ମାର୍ଚ୍ଚ ୫ରେ ପାଳନ ନକରି ଏପ୍ରିଲ ୨୪ ତାରିଖରେ ପାଳନ କରିବା ନିଷ୍ପତ୍ତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛି ଖଣ୍ଡପଡ଼ା ବିଜେଡ଼ି। ଏଥିସହ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତି ସଂକୀର୍ଣ୍ଣ ମନୋଭାବର ପରିଚୟ ବୋଲି କହି କଟାକ୍ଷ କରିଛନ୍ତି ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ। ଆଜି ପୂର୍ବାହ୍ନରେ ଉପାଧ୍ୟକ୍ଷ ଶ୍ରୀ ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ବିଜେଡ଼ି କର୍ମୀ ଓ ଛାମୁଆ ନେତା ଏକତ୍ରିତ ହୋଇ ଖଣ୍ଡପଡ଼ା ବ୍ଲକ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତିକୁ ଦୃଢ଼ ନିନ୍ଦା କରିବା ସହ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ପଞ୍ଚାୟତିରାଜ ଦିବସ ତାରିଖ ପରିବର୍ତ୍ତନକୁ ନେଇ ବିଜେପି ଉପରେ ବର୍ଷିଛନ୍ତି ଉପାଧ୍ୟକ୍ଷ ଶ୍ରୀ ପ୍ରଧାନ। ସେ କହିଛନ୍ତି ଯେ ୧୯୯୩ ମସିହାରୁ ଦୀର୍ଘ ୩୦ବର୍ଷ ଧରି ରାଜ୍ୟବାସି ମାର୍ଚ୍ଚ ୫ ତାରିଖ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରି ଆସୁଛନ୍ତି। ମାତ୍ର ବିଜେପି ଶାସନକୁ ଆସିବା ପରେ ପଞ୍ଚାୟତିରାଜ ଦିବସ ତାରିଖ ବଦଳାଇ ଦେଲେ ସିନା କିନ୍ତୁ ଲୋକଙ୍କ ହୃଦୟକୁ ପରିବର୍ତ୍ତନ କରିପାରିବେନି। ସେହିପରି ଯୁବ ବିଜେଡ଼ି ସଭାପତି ମନୋରଞ୍ଜନ ବେହେରା କହିଛନ୍ତି କେବଳ ଓଡ଼ିଶା କି ଭାରତ ନୁହେଁ ସାରା ବିଶ୍ବରେ ବରପୁତ୍ରର ଆଖ୍ୟା ପାଇଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଡବଲ ଇଞ୍ଜିନ ସରକାର ଅସମ୍ମାନ ପ୍ରଦର୍ଶନ କରିଛନ୍ତି। ୯୦ ଦଶକରୁ ଓଡ଼ିଶାକୁ ଶାସନ କରିଥିବା ବିଭିନ୍ନ ସରକାର ବିଜୁ ପଟ୍ଟନାୟକଙ୍କ ସମ୍ମାନରେ ତାଙ୍କ ଜନ୍ମଦିନକୁ ପଞ୍ଚାୟତିରାଜ ଦିବସ ଭାବେ ପାଳି ଆସୁଥିଲେ। ମାତ୍ର ଦଳମତ ଠାରୁ ଉପରେ ଥିବା ବିଜୁ ବାବୁଙ୍କୁ ମୋହନ ମାଝୀ ସରକାର ରାଜନୈତିକ ଦୃଷ୍ଟିକୋଣରୁ ଦେଖୁଥିବାରୁ ଆଜି ଅସନ୍ତୋଷ ବୃଦ୍ଧି ପାଇଛି। ତେଣୁ ମହାପୁରୁଷଙ୍କ ସମ୍ମାନ ଓ ଗଣତନ୍ତ୍ରର ମହାନୀୟତା ପାଇଁ ବିଜୁ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ ଜାରି ରଖିବାକୁ ବିଜେଡ଼ି ଦାବି କରିଛି। କାର୍ଯ୍ୟକ୍ରମରେ ଖଣ୍ଡପଡ଼ା ବ୍ଲକ ଅଧ୍ୟକ୍ଷା ଉପମା ବେହେରା, ଉପାଧ୍ୟକ୍ଷ ଶିଶିର କୁମାର ସାହୁ, ୧୮ ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର କୁମାର ଧଳ, ବରିଷ୍ଠ ନେତା ବିଜୟ କୁମାର ତ୍ରିପାଠୀ, ସନ୍ତୋଷ ତ୍ରିପାଠୀ ଓ ବାସୁଦେବ ମାଝି ପ୍ରମୁଖ ବହୁ ନେତୃମଣ୍ଡଳୀ ଉପସ୍ଥିତ ରହି ବିଜେପି ସରକାର ବିରୋଧରେ ବର୍ଷିଥିଲେ। ଏହି ପ୍ରତିବାଦ ସଭାରେ ନିର୍ବାଚନମଣ୍ଡଳୀରୁ ଶତାଧିକ ବିଜେଡ଼ି କର୍ମୀଙ୍କ ସମାଗମ ହୋଇଥିବା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଥିଲା।