March 10, 2026

ବ୍ଲକ ଅଧ୍ୟକ୍ଷା ନିର୍ବାଚନ,ବାଜି ମାରିଲା ସ୍ଵାଧୀନ ପ୍ରାର୍ଥୀନି 

IMG-20251205-WA0051
Share

 

 

ତା,୫/୧୨: କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକରେ ଖାଲି ପଡ଼ିଥିବା ଅଧ୍ୟକ୍ଷା ପଦ ପୂରଣ ହୋଇଛି l ଆଜି ଥିଲା ନିର୍ବାଚନ l ବ୍ଲକ ସଭାଗୃହ ଅନୁଷ୍ଠିତ ହୋଇଛି ଉପ ନିର୍ବାଚନ l ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ଆଜି ସକାଳ ୧୦ ଟାରେ ଆରମ୍ଭ ହୋଇଥିଲା ନିର୍ବାଚନ ପ୍ରକ୍ରିୟା l ନିର୍ବାଚନ ଅଧିକାରୀ ବୋରିଗୁମ୍ମା ବିଡିଓ ସୁକାନ୍ତ କୁମାର ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ହୋଇଥିଲା ନିର୍ବାଚନ l ସକାଳ ୧୦ ରୁ ୧୧ ଟା ମଧ୍ୟରେ ହୋଇଥିଲା ନାମାଙ୍କନ ପତ୍ର ଦାଖଲ l ନାମାଙ୍କନ ପରେ ଯାଞ୍ଚ ହୋଇଥିଲା ନାମାଙ୍କନ ପତ୍ର l ପ୍ରାର୍ଥୀପତ୍ର କେହି ପ୍ରତ୍ୟାହାର କରିନଥିଲେ l ଏଥିରେ ବ୍ଲକର ୧୬ ଜଣ ସମିତି ସଭ୍ୟସଭ୍ୟାଙ୍କ ମଧ୍ୟରୁ ୧୫ ଜଣ ଉପସ୍ଥିତ ଥିଲେ l ଫୁପୁଗାଁ ପଞ୍ଚାୟତ ସମିତି ସଭ୍ଯା ଚନ୍ଦ୍ରିକା କାନ୍ଦଲିଆ ଏବଂ ବାଣୁଆଗୁଡ଼ା ସମିତି ସଭ୍ଯା ବନିତା କାନ୍ଦଲିଆ ନାମାଙ୍କନ ପତ୍ର ଦାଖଲ କରିଥିଲେ l ବନିତାଙ୍କ ସପକ୍ଷରେ ୮ ଟି ଓ ଚନ୍ଦ୍ରିକାଙ୍କ ସପକ୍ଷରେ ୬ ଖଣ୍ଡ ଭୋଟ ପଡ଼ିଥିଲା I ଗୋଟିଏ ଭୋଟ ନାକଚ ହୋଇଥଲା l ୮ ଖଣ୍ଡ ଭୋଟ ପାଇ ବନିତା ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି l ସରକାରୀ ଭାବେ ଜିଲ୍ଲାପାଳ ଏକ ବିଜ୍ଞପ୍ତି ଜାରି କରିବା ପରେ ଅଧ୍ୟକ୍ଷା ବିଧିବଦ୍ଧ ଭାବେ ଦାୟିତ୍ଵ ଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି ନିର୍ବାଚନ ଅଧିକାରୀ ଶ୍ରୀ ପଟ୍ଟନାୟକ l

ସୂଚନା ଥାଉକି,ପୂର୍ବତନ ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ପରଜାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପରେ ସେ ଗତ ଅକ୍ଟୋବର ୩ ତାରିଖରେ ଅଧ୍ୟକ୍ଷା ପଦରୁ ଇସ୍ତଫା ଦେଇଥିଲେ l ଅକ୍ଟୋବର ୪ ରେ ହୋଇଥିଲା ଅନାସ୍ଥା ଭୋଟ l ସେବେଠାରୁ ଖାଲି ପଡ଼ିଥିଲା ଅଧ୍ୟକ୍ଷା ପଦ I ବ୍ଲକ ଉପାଧ୍ୟକ୍ଷ ତରୁଣୀ ସେନ ବିଶୋୟୀ ଭାରପ୍ରାପ୍ତ ଅଧ୍ୟକ୍ଷ ଦାୟିତ୍ଵ ତୁଲାଇ ଆସୁଥିଲେ l ଆଜି ମତଦାନ ପରେ ବିଧିବଦ୍ଧ ଭାବେ ଅଧ୍ୟକ୍ଷା ନିର୍ବାଚିତ ହୋଇଛନ୍ତି l ଚନ୍ଦ୍ରିକା ବିଜେଡି ସମର୍ଥିତ ପ୍ରାର୍ଥୀନୀ ଏବଂ ବନିତା ବିଜେଡିର ଅସନ୍ତୁଷ୍ଟ ପ୍ରାର୍ଥୀନୀ ସ୍ଵାଧୀନ ଭାବେ ନାମାଙ୍କନ ପତ୍ର ଦାଖଲ କରି ବାଜିମାତ କରିଛନ୍ତି l

 

କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ ନ୍ୟୁଜ୍ ଉପାନ୍ତ ଓଡ଼ିଶା l