ରାସ୍ତା ଅପେକ୍ଷାରେ ଡୁମ୍ବାଡା ଗ୍ରାମବାସୀ

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ଦୁର୍ଗମ ଅଞ୍ଚଳର ଆଦିବାସୀ ମାନଙ୍କ ପାଇଁ ସରକାରଙ୍କ ଯୋଜନାର ମାଳ ଯେତିକି ଲମ୍ବା , ବିଫଳତାର ତାଲିକା ତାଠାରୁ ଅଧିକ । ତେବେ ସରକାରଙ୍କ ଯୋଜନାର ପ୍ରତିଫଳନ ଉପାନ୍ତ ଇଲାକାରେ ଦେଖାଯାଏ ନାହିଁ । ସରକାରଙ୍କ ବିଫଳତାର ଗାଥା ବୟାନ କରୁଥିବା ଏଭଳି ଏକ ଅପହଞ୍ଚ ଇଲାକା ହେଲା ଗୁଣପୁର ବ୍ଲକ ଟଲଣା ପଞ୍ଚାୟତ ଡୁମ୍ବାଡା ଗ୍ରାମ । ମୌଳିକ ସୁବିଧା ସତେ ଯେପରି ଏ ଗାଁ ର ବାଟ ଭୁଲି ଯାଇଛି । ଏବେ ଵି ଗ୍ରାମବାସୀ ଶିକ୍ଷା , ପିଇବା ପାଣି , ରାସ୍ତା , ଚିକିତ୍ସା ଭଳି ମୌଳିକ ସୁବିଧାରୁ ବଞ୍ଚିତ । ନିର୍ବାଚନ ସମୟରେ ନେତା ମନ୍ତ୍ରୀ ପହଞ୍ଚି ପ୍ରତିଶୃତିରେ ପୋତି ପକାନ୍ତି କିନ୍ତୁ ନିର୍ବାଚନ ସରିଗଲେ ପ୍ରତିଶୃତି, ପ୍ରତିଶୃତିରେ ରହିଯାଏ । ଦୀର୍ଘ ୫୦ ବର୍ଷ ହେଲା ଏହି ପାହାଡ଼ି ଇଲାକାରେ ବାସ କରୁଥିବା ୨୦୦ ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଙ୍କ ପାଇଁ ରାସ୍ତା ସତେ ଯେମିତି ସାତ ସପନ ପାଲଟି ଯାଇଛି । ମୂଖ୍ୟ ରାସ୍ତା ଠାରୁ ତିନି କିଲୋମିଟର ଦୂରରେ ଅବସ୍ଥିତ ଏହି ଗ୍ରାମକୁ ବହୁ ଅଭିଯୋଗ ପରେ ବି ରାସ୍ତା ଖଣ୍ଡିଏ ସରକାର ଯୋଗାଇ ପାରିଲେ ନାହିଁ । ” ଗାଁ କୁ ରାସ୍ତା ମାଁ କୁ ସମ୍ମାନ” ର ଡିଣ୍ଡିମ ପିଟୁଥିବା ସରକାରଙ୍କ ଏହି ମାଳ ମାଳ ଯୋଜନା କାହାପାଇଁ ? ପାହାଡିଆ ପାଦଚଲା ଖାଲଢିପ ରାସ୍ତା ଯୋଗୁଁ ବହୁ କଷ୍ଟରେ ମଟରସାଇକେଲ ଗାଁ କୁ ଯାଉଥିଲା କିନ୍ତୁ ଗତ ମାସରେ ହୋଇଥିବା ଲଘୁଚାପ ଜନିତ ବର୍ଷା ଯୋଗୁଁ ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଜରୁରୀ ଚିକିତ୍ସା ପାଇଁ ମେଡିକାଲ୍ ଯିବାକୁ ହେଲେ ଆମ୍ବୁଲାନ୍ସ ୩ କିଲୋମିଟର ଦୂର ମୂଖ୍ୟ ରାସ୍ତାରେ ରହିଯାଏ । ଫଳରେ ଗର୍ଭବତୀ ମହିଳା ଓ ରୋଗିଙ୍କୁ ୩ କିଲୋମିଟର ବାଟ ଖଟିଆରେ ଵୋହିକରି ନେବାକୁ ପଡେ । ଏଭଳି ଦୁଃଖ ଦୁର୍ଦ୍ଦଶା ରେ, ଗାଁ କୁ ପକ୍କା ରାସ୍ତା ଖଣ୍ଡିଏ ପାଇଁ ସଂଘର୍ଷ କରୁଥିବା ଗ୍ରାମବାସୀ ଏବେ ପ୍ରଶାସନ ବିରୁଦ୍ଧରେ ଅଣ୍ଟା ଭିଡିଛନ୍ତି । କେତେ ଦିନ ଆଉ ପ୍ରଶାସନର ଅବହେଳାର ଶିକାର ହେବେ । ପ୍ରଶାସନ ତୁରନ୍ତ ଡୁମ୍ବାଡା ଗ୍ରାମକୁ ରାସ୍ତାର ବ୍ୟବସ୍ଥା ନକଲେ ଗ୍ରାମବାସୀ ବ୍ଲକ ଘେରାଉ କରିବେ ବୋଲି ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ଆମେ ଗୁଣପୁର ବିଡ଼ିଓ ଙ୍କୁ ପଚାରିଥିଲୁ ସେ ଯାହା କହିଲେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ଜଣେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯଦି ନିଜ ବ୍ଳକ୍ ଭିତରେ କଣ ସମସ୍ୟା ଜାଣି ପାରୁ ନାହାଁନ୍ତି ତେବେ ସେ କାର୍ଯ୍ୟାଳୟ ଚାରି କାନ୍ଥ ରୁ ବାହାରୁ ନ ଥିବା ମନେହୁଏ । ତେବେ ସରକାର କେବେ ଏହି ଆଦିବାସୀ ଇଲାକା କୁ ରାସ୍ତା ଖଣ୍ଡିଏ ଯୋଗାଇ ଦେବାରେ ସକ୍ଷମ ହେଉଛନ୍ତି ଦେଖିବାକୁ ବାକି ରହିଲା ।
