ପାରିବାରିକ ସମସ୍ୟାର ସମାଧାନ
ସୋନପୁର:- ଆଜି ତା.05.03.23 ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ର କାର୍ଯ୍ୟାଳୟ ପରିସରରେ ଏକ ଜଟିଳ ପାରିବାରିକ ସମସ୍ୟାର ସମାଧାନ ଆପୋଷ ବୁଝାମଣା ମାଧ୍ୟମରେ ସମ୍ଭବ ହୋଇ ପାରିଛି I ଦୀର୍ଘକାଳ ବିଚ୍ଛେଦ ପରେ ସ୍ବାମୀ ସ୍ତ୍ରୀ ଏକାଠି ରହିବା ପାଇଁ ନିଷ୍ପତ୍ତି ନେଇଛନ୍ତି I ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ନକଟାମୁଣ୍ଡା ଗାଁର ସ୍ତ୍ରୀ ଭୂମିସୂତା ବାଘ ଏବଂ ଦେବଗଡ ଜିଲ୍ଲା ବୁଡାବାହାଲ ଗାଁର ସ୍ବାମୀ ଲିଙ୍ଗରାଜ ବାଘ ଦୁଇ ପରିବାରଙ୍କ ଉପସ୍ଥିତିରେ ଉକ୍ତ ପାରିବାରିକ ସମସ୍ୟାର ସମାଧାନ ଆପୋଷ ବୁଝାମଣାରେ ହୋଇଛି I ପ୍ରକାଶ ଥାଉ କି ଗତ ଛଅମାସ ତଳେ ଭୁମିସୂତା ଓ ଲିଙ୍ଗରାଜଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇ ଝଗଡା ହୋଇଥିଲା I ଝଗଡା ଏପରି ବଢିଥିଲା ଯେ ଭୂମିସୂତା ନିଜ ଶାଶୁଘର ଛାଡି ନିଜ ଔରସରୁ ଜାତ ଆଠ ବର୍ଷର ଗୋଟିଏ ଝିଅ ଓ ପାଞ୍ଚ ବର୍ଷର ଗୋଟିଏ ପୁଅକୁ ଧରି ନିଜ ମା ଘରକୁ ଚାଲିଆସି ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାରେ ଥିବା ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ରକୁ ନିଜ ଅଭିଯୋଗ ନେଇ ଆସିଥିଲେ I ପରେ ପରେ ସୁବର୍ଣ୍ଣାର କାର୍ଯ୍ୟକର୍ତ୍ତାମାନେ ଉଭୟ ପରିବାରକୁ କାଉନସେଲିଙ୍ଗ କରିଥିଲେ Iଦୁଇ ତିନି ଥର କାଉନସେଲିଙ୍ଗ କଲାପରେ ଆଜି ସୁବର୍ଣ୍ଣା କାର୍ଯ୍ୟାଳୟରେ ଉଭୟ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଆପୋଷ ବୁଝାମଣା ହୋଇଥିଲା Iସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ରର ଅଧ୍ୟକ୍ଷା ମୀନା ମହାରଣ , ସୁନନ୍ଦା ସାହୁ, ଇନ୍ଦୁମତୀ ପୁରୋହିତ ଏବଂ ଗୀତା ବହିଦାର ପ୍ରମୁଖ ବୁଝାମଣାରେ ଅଂଶ ଗ୍ରହଣ କରିଥିବା ବେଳେ ଦୁଇ ପରିବାର ମଧ୍ୟରେ ମିଳାମିଶା ଯୋଗୁଁ ସମସ୍ତଙ୍କ ମନରେ ଆନନ୍ଦ ପ୍ରକାଶ ପାଇଥିଲା I